ପୁଲିସ ମୋ ସ୍ବାମୀଙ୍କ ମୃତ୍ୟୁ ରହସ୍ୟ ସାମ୍ନାକୁ ଆଣୁ: ପ୍ରଫୁଲ୍ଲଙ୍କ ପତ୍ନୀ

କଟକ/ମାହାଙ୍ଗା/ଟାଙ୍ଗୀ : ପୁଲିସ ମୋ ସ୍ବାମୀଙ୍କ ମୃତ୍ୟୁ ରହସ୍ୟ ସାମ୍ନାକୁ ଆଣୁ। ଯଦି ଠିକ୍‌ ଢଙ୍ଗରେ ମୋ ସ୍ବାମୀ ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯାଏ, ତାହେଲେ ପ୍ରକୃତ ସତ୍ୟ ଉନ୍ମୋଚିତ ହୋଇପାରିବ। ମୃତ ପ୍ରଫୁଲ୍ଲ ବିଶ୍ବାଳଙ୍କ ପତ୍ନୀ ତଥା ନୁର୍ତ୍ତାଙ୍ଗ ସରପଞ୍ଚ ସବିତା ନାୟକଙ୍କ ଏଭଳି ବୟାନ ପରେ ବହୁଚର୍ଚ୍ଚିତ ବିକାଶ ଯେନା ଓ ମାହାଙ୍ଗା ଡବଲ ମର୍ଡର ଘଟଣାର ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଉପରେ ପ୍ରଶ୍ନବାଚୀ ଲଗାଇ ଦେଇଛି। ଏପଟେ ଟାଙ୍ଗୀ ଅଞ୍ଚଳର ଜଣେ ପ୍ରତ୍ୟକ୍ଷଦର୍ଶୀ ପାନଦୋକାନୀ କହିଛନ୍ତି ଯେ ପ୍ରଫୁଲ୍ଲଙ୍କୁ ତାଙ୍କ ଆଖି ଆଗରେ କଣ୍ଟେନର ଚାପି ଦେଲା। ଏସବୁ ଘଟଣା ଏବେ ପ୍ରଫୁଲ୍ଲ ବିଶ୍ବାଳ ମୃତଦେହ ଜବତ୍‌ ଘଟଣା ଓ ମାହାଙ୍ଗା ଡବଲ୍‌ ମର୍ଡର ଘଟଣାକୁ ଆହୁରି ସନ୍ଦେହଘେରକୁ ଠେଲି ଦେଇଛି। ଅନ୍ୟପଟେ ମାହାଙ୍ଗା ଡବଲ ମର୍ଡରର ଶିକାର କୁଳମଣି ବରାଳଙ୍କ ପୁଅକୁ ମଧ୍ୟ ମୃତ୍ୟୁ ପୂର୍ବରୁ ଫୋନ କରି କ୍ଷମା ମାଗିଥିଲେ ଓ କିଛି ଲୋକଙ୍କ ନାଁ ନେଇ ସେମାନଙ୍କଠାରୁ ସତର୍କ ରହିବାକୁ ପ୍ରଫୁଲ୍ଲ ପରାମର୍ଶ ଦେଇଥିଲେ। ମୃତ୍ୟୁ ପୂର୍ବରୁ ଏଭଳି ଫୋନ୍‌ କଲ୍‌ ପାଇଥିବା ସଂପର୍କରେ ରମାକାନ୍ତ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପୁଲିସ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଦେଇଥିବା ସୂଚନା ଦେଇଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ପ୍ରଫୁଲ୍ଲ ଘଟଣାସ୍ଥଳରୁ କିଛି ଦୂରରେ ଗାଡି ରଖି ରାସ୍ତାରେ ଚାଲି ଚାଲି ଆସିଥିଲେ। ସେତେବେଳେ ସେ ଅତ୍ୟନ୍ତ ହଡବଡେଇଲା ଭଳି ଜଣା ପଡୁଥିଲେ। କିଛି ସମୟ ପରେ ଏକ କଣ୍ଟେନର୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା। ଏହି ଘଟଣା ଦେଖିବା ପରେ ଦୋକାନୀଜଣକ ସ୍ଥାନୀୟ ଅଞ୍ଚଳର ଜଣେ ହୋମଗାର୍ଡଙ୍କୁ ଫୋନ୍‌ କରିଥିଲେ। ତାଙ୍କଠାରୁ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତାଙ୍କ ମୁହଁ ସଂପୂର୍ଣ୍ଣ ବିକୃତ ହୋଇଯାଇଥିବା ବେଳେ ପକେଟ୍‌ରୁ ମିଳିଥିବା ଫୋନନମ୍ବର ଓ ପାର୍କିଂରେ ରଖାଯାଇଥିବା ବାଇକ୍‌ରେ ଥିବା କାଗଜପତ୍ରରୁ ଜଣାପଡିଥିଲା ମୃତଦେହ ପ୍ରଫୁଲ୍ଲଙ୍କର ବୋଲି।

ପ୍ରଫୁଲ୍ଲଙ୍କ ପତ୍ନୀ ସବିତା କହିଛନ୍ତି, ‘ମୋ ପରିବାର ଉଜୁଡିଗଲା। ଶ୍ବଶୁର ଓ ଦିଅର ଜେଲରେ, ସ୍ବାମୀ ବି ଆରପାରିକୁ ଚାଲିଗଲେ। ସମସ୍ତେ ନିର୍ଦ୍ଦୋଷ, ସେମାନଙ୍କୁ ମିଥ୍ୟା ହତ୍ୟା ମାମଲାରେ ଜଡିତ କରି ଫସେଇ ଦିଆଯାଇଛି। ପୁଲିସ ଆମ ପଛରେ ପଡି ଆମ ବନ୍ଧୁବାନ୍ଧବ ଏବଂ ପରିବାରକୁ ନିର୍ଯ୍ୟାତନା ଦେଉଥିଲା। ମିଥ୍ୟା ହତ୍ୟା ଅଭିଯୋଗରେ ଶ୍ବଶୁର, ଦିଅର ଜେଲରେ ଥିବାରୁ କେମିତି ଚଳିବ ମୋ ପରିବାର ବୋଲି କୋହଭରା କଣ୍ଠରେ କହିଛନ୍ତି। ସ୍ବାମୀଙ୍କ ମୃତ୍ୟୁକୁ ନେଇ କାହାରିକୁ ଦୋଷ ନ ଦେଇ ପୁଲିସ ତଦନ୍ତ ଉପରେ ବିଶ୍ବାସ ରଖିଥିବା କହିଛନ୍ତି ସବିତା।

ମାହାଙ୍ଗା ଡବଲମର୍ଡରର ଶିକାର ହୋଇଥିବା ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ କୁଳମଣି ବରାଳଙ୍କ ପୁଅ ସମିତିସଭ୍ୟ ରମାକାନ୍ତଙ୍କୁ ମୃତ୍ୟୁ ପୂର୍ବରୁ ଫୋନ କରିଥିଲେ ପ୍ରଫୁଲ୍ଲ। ୫ ତାରିଖ ରାତିରେ ଦୁର୍ଘଟଣା ଘଟିଥିବା ବେଳେ ସେହିଦିନ ଅପରାହ୍ନ୨ଟା୫ରେ ଏକ ଅଚିହ୍ନା ନମ୍ବରରୁ ରମାକାନ୍ତଙ୍କୁ ଫୋନ କରି ‘ନନା ମୁଁ କାବୁଆ କହୁଛି କହି ଭୁଲ ମାଗିଥିଲେ ମୃତ ପ୍ରଫୁଲ୍ଲ। କେବଳ ସେତିକି ନୁହେଁ, ଅନେକ ଗୁପ୍ତ କଥା ବି ଉପଦେଶ ଦେଇଥିବା ଜଣାପଡ଼ିଛି। ୧ ମିନିଟ ୪୦ ସେକେଣ୍ତ ଧରି ତାଙ୍କ ସହ କଥା ହେବା ପରେ ଫୋନ୍‌ଟି କଟି ଯାଇଥିଲା। ଏହି କଥା ନେଇ କିଛି ଅଘଟଣ ଘଟିବା ଆଶଙ୍କାରେ ରମାକାନ୍ତ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ମେଲ କରିବା ସହ ସ୍ଥାନୀୟ ପୁଲିସ ଅଧିକାରୀଙ୍କୁ ଜଣାଇ ଲିଖିତ ଅଭିଯୋଗ କରିଥିଲେ। ପ୍ରଫୁଲ୍ଲଙ୍କ ସହ ଯେଉଁ କଥା ହୋଇଥିଲେ ସେ ସଂପର୍କରେ ରମାକାନ୍ତ ଗଣମାଧ୍ୟମ ଆଗରେ କହି ନଥିବାବେଳେ, ତଦନ୍ତ ଚାଲିଥିବାରୁ ସମସ୍ତ କଥା ପୁଲିସକୁ ଜଣାଇଦେଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର