ମାହାଙ୍ଗା ପୂର୍ତ୍ତ ବିଭାଗ କେଳେଙ୍କାରୀ ଘଟଣା : ତଦନ୍ତ ଚପାଇବାକୁ ଚାପ, ଭୁବନେଶ୍ବରରେ ଡେରା ପକାଇଛନ୍ତି ଯନ୍ତ୍ରୀ, ଠିକାଦାର

ଯାଜପୁର/କଟକ : ମାହାଙ୍ଗା ପୂର୍ତ୍ତ ବିଭାଗର କେଳେଙ୍କାରୀକୁ ନେଇ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ପୂର୍ତ୍ତ ବିଭାଗର କଟକ-୨ ଅନ୍ତର୍ଗତ ସାଲେପୁର ଉପଖଣ୍ଡର ମାହାଙ୍ଗା ସେକ୍‌ସନରେ କୋଟି କୋଟି ଟଙ୍କା ଟେଣ୍ଡର କେଳେଙ୍କାରୀ ଧରାପଡ଼ିଛି। ନିମ୍ନମାନର ରାସ୍ତାଘାଟ କାମ ଯୋଗୁଁ ଗୁପ୍ତ ଟେଣ୍ଡର ଓ ଖୋଲା ଟେଣ୍ଡର ଲୁଚକାଳି ଖେଳ ଘଟଣା ସମ୍ପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟର ପର୍ଦ୍ଦାଫାସ କରିଛି। ନିମ୍ନମାନର ରାସ୍ତାର ତଦନ୍ତ କରୁଥିବା କ୍ବାଲିଟି କଣ୍ଟ୍ରୋଲ ଅଧିକାରୀଙ୍କ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ଅସାଧୁମେଣ୍ଟ ଯନ୍ତ୍ରୀ-ଠିକାଦାର ଗୋଷ୍ଠୀ କଟକ ଓ ଭୁବନେଶ୍ବରରେ ଚକ୍କର ମାରୁଛନ୍ତି। ତଦନ୍ତ ରିପୋର୍ଟକୁ ଚାପିବା ସହିତ କାର୍ଯ୍ୟାନୁଷ୍ଠାନକୁ ବିଭ୍ରାନ୍ତ କରିବା ପାଇଁ ଯନ୍ତ୍ରୀ-ଠିକାଦାର ଗୋଷ୍ଠୀ ଲାଗିପଡ଼ିଛନ୍ତି। ବିଭାଗୀୟ ସଚିବଙ୍କଠାରୁ ଆରମ୍ଭ କରି ନିମ୍ନମାନର ରାସ୍ତାର ତଦନ୍ତ କରିଥିବା କ୍ବାଲିଟି କଣ୍ଟ୍ରୋଲ ଅଧିକାରୀକୁ ବାଟମଣା କରିବାକୁ ଉଦ୍ୟମ କରୁଛନ୍ତି। ଟେଣ୍ଡର କେଳେଙ୍କାରୀ ଓ ନିମ୍ନମାନର କାମ ରାସ୍ତା କାମ ଘୋଟାଲାରେ ଫସିଥିବା ଯନ୍ତ୍ରୀ-ଠିକାଦାର ମାନେ ଏବେ କଟକ ଓ ଭୁବନେଶ୍ବରରେ ଡେରା ପକାଇଛନ୍ତି। ତଦନ୍ତ ରିପୋର୍ଟକୁ ଅସାଧୁମେଣ୍ଟ ଷଡ୍‌ଯନ୍ତ୍ର କରି ନିଜ ସପକ୍ଷରେ ନେବାକୁ ଲାଗିପଡ଼ିଛନ୍ତି। ସମସ୍ତଙ୍କ ନଜର ଶହ ଶହ ଗୁପ୍ତ ଟେଣ୍ଡର ଉପରେ ରହିଥିବା ବେଳେ ଖୋଲା ଟେଣ୍ଡରକୁ ଏଡ଼ାଇ ଯାଇ ଏହି ଅସାଧୁମେଣ୍ଟ ଲେସ୍ ଏମାଉଣ୍ଟ ବାବଦରେ ଗତ ୪ ବର୍ଷରେ ୧କୋଟିରୁ ଅଧିକ ଟଙ୍କା ସରକାରୀଙ୍କ ତହବିଲରୁ ହଡ଼ପ କରାଯାଇଛି। ଏହି ଟଙ୍କା ସମ୍ପୃକ୍ତ ୧/୨ଜଣ ଯନ୍ତ୍ରୀ ଭାଗବାଣ୍ଟି ନେଇଛନ୍ତି। ଗୁପ୍ତ ଟେଣ୍ଡର ନାମରେ ଜାଲ କାଗଜପତ୍ର କରି କୋଟି କୋଟି ଟଙ୍କା ଘୋଟାଲା କରି ଉଚ୍ଚ ପଦାଧିକାରୀଙ୍କୁ କାଠଗଡ଼ରେ ଛିଡ଼ା କରାଉଥିବା ବେଳେ ଯନ୍ତ୍ରୀ ଓ ଠିକାଦାର ଗୋଷ୍ଠୀ ତଦନ୍ତ ରିପୋର୍ଟକୁ ମଧ୍ୟ ବିଭ୍ରାନ୍ତ କରିବାକୁ ଭୁବନେଶ୍ବରରେ ଉଚ୍ଚ ପଦାଧିକାରୀଙ୍କ ଘରମାନଙ୍କରେ ଡେରା ପକାଇଥିବା ଖବର ପ୍ରଚାର ହେବା ପରେ ଦୁର୍ନୀତି ଓ ହେରଫେର୍ କାରବାରକୁ ଲୋକଲୋଚନକୁ ଆଣିଥିବା ସଂଗଠନ ଓ ଦୁର୍ନୀତିଗ୍ରସ୍ତକୁ ବିରୋଧ କରୁଥିବ ବ୍ୟକ୍ତିମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର