ମାହାଙ୍ଗା ପୂର୍ତ୍ତ ଦୁର୍ନୀତି : ଫିଟୁଛି ଗୁପ୍ତ ଟେଣ୍ଡର ଗଣ୍ଠି, ହରଡ଼ଘଣାରେ ବିଭାଗୀୟ ଅଧିକାରୀ

ଯାଜପୁର : ଫିଟୁଛି ଗୁପ୍ତ ଟେଣ୍ଡର ଗଣ୍ଠି। ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ଅନେକ ଗୁପ୍ତ ଟେଣ୍ଡର ଟେକି ଦେଇଛନ୍ତି। ୩ ବର୍ଷ ମଧ୍ୟରେ ୨୧୫ଟି ଗୁପ୍ତ ଟେଣ୍ଡର କରାଯାଇ ଲକ୍ଷ ଲକ୍ଷ ଟଙ୍କା ପକେଟରେ ପୂରାଇଛନ୍ତି। ଏଭଳି ସାଂଘାତିକ ଘଟଣା ଘଟିଛି କଟକ ପୂର୍ତ୍ତ ଡିଭିଜନ-୨ ଅର୍ନ୍ତଗତ ସାଲେପୁର ସବ୍‌ଡିଭିଜନର ମାହାଙ୍ଗା ପୂର୍ତ୍ତ ସେକ୍ସନରେ। ଏଫ୍-ଟୁ ଓ ପି-ୱାନ କରାଯାଇ ନାମକୁ ମାତ୍ର କାମ କରି ୭କୋଟି ୭୯ଲକ୍ଷ ୩୬ ହଜାର ୨୭ଟଙ୍କା ହରିଲୁଟ କରାଯାଇଥିବା ଖବର ଲୋକଲୋଚନକୁ ଆସିଛି। ଏହାକୁ ନେଇ ଏବେ ବିଭାଗୀୟ ଅଧିକାରୀ ହରଡ଼ଘଣାରେ ପଡ଼ିଛନ୍ତି। ସରକାରୀ ଅନୁଦାନକୁ ନିର୍ଦ୍ଦିଷ୍ଟ ମୁଷ୍ଟିମେୟ ଠିକାଦାରଙ୍କ ନାମରେ ଅନେକ ଗୁପ୍ତ ଟେଣ୍ଡର(ସ୍ପ୍ଲିଟ୍‌ ଅପ୍) କରି କୋଟି କୋଟି ଟଙ୍କା ହରିଲୁଟ୍‌ କରାଯାଇଛି।

ସାଲେପୁର ଛତିଆ ରାସ୍ତାରେ ୩ ଟି ଆର୍ଥିକ ବର୍ଷରେ ୧୦୯ ଟି ଗୁପ୍ତ ଟେଣ୍ଡର କରାଯାଇ ୪କୋଟି ୧୮ଲକ୍ଷ ୮୮ହଜାର ୮୫୦ ଟଙ୍କା ବ୍ୟୟ କରାଯାଇଛି ବୋଲି କାଗଜପତ୍ରରେ ଦର୍ଶାଯାଇଛି। ୨୦୧୫-୧୬ ଆର୍ଥିକ ବର୍ଷରେ ୨୭ ଟି ଗୁପ୍ତ ଟେଣ୍ଡରରେ ୬୪ଲକ୍ଷ ୪୫ହଜାର ୩୯୫ ଟଙ୍କା ବ୍ୟୟ ହୋଇଛି। ଠିକାଦାର ମାନସ ନାୟକଙ୍କ ନାମରେ ୮ ଟି ଗୁପ୍ତ ଟେଣ୍ଡର କରାଯାଇ ୧୮ଲକ୍ଷ ୧୨ହଜାର ୬୧୪ ଟଙ୍କା ଓ ସିଦ୍ଧେଶ୍ବର ବେଉରାଙ୍କ ନାମରେ ୬ ଟି ଗୁପ୍ତ ଟେଣ୍ଡରରେ ୧୭ ଲକ୍ଷ ୨୩ହଜାର ୫୬୪ ଟଙ୍କା ବ୍ୟୟ କରାଯାଇଛି ବୋଲି ଦର୍ଶାଯାଇଛି। ୨୦୧୬-୧୭ ଆର୍ଥିକବର୍ଷରେ ୩୮ ଟି ଗୁପ୍ତ ଟେଣ୍ଡରରେ ୧କୋଟି ୫୫ଲକ୍ଷ ୫୪ହଜାର ୭୧୧ଟଙ୍କା ବ୍ୟୟ ହୋଇଛି। ଠିକାଦାର ଈପସିତ୍ କରଙ୍କ ନାମରେ ୧୧ ଟି ଗୁପ୍ତ ଟେଣ୍ଡର କରାଯାଇ ୪୧ ଲକ୍ଷ ୨୬ ହଜାର ୭୭୦ ଟଙ୍କା, ସଞ୍ଜୟ ସମୀରଣ ରାଉତରାୟଙ୍କ ନାମରେ ୭ ଟି ଗୁପ୍ତ ଟେଣ୍ଡରରେ ୨୫ଲକ୍ଷ ୧୯ହଜାର ୮୪୨ଟଙ୍କା ଓ ସିଦ୍ଧେଶ୍ବର ବେଉରାଙ୍କ ନାମରେ ୬ ଟି ଗୁପ୍ତ ଟେଣ୍ଡର ଜରିଆରେ ୨୮ ଲକ୍ଷ ୧୧ହଜାର ୨୬୭ ଟଙ୍କା ଖର୍ଚ୍ଚ କରାଯାଇଛି । ଅନୁରୂପ ଭାବେ ଏହି ରାସ୍ତାରେ ୨୦୧୭-୧୮ ଆର୍ଥିକ ବର୍ଷ ରେ ୪୪ ଟି ଗୁପ୍ତ ଟେଣ୍ଡର କରାଯାଇ ୧କୋଟି ୯୮ଲକ୍ଷ ୮୮ହଜାର ୭୪୪ଟଙ୍କା ବ୍ୟୟ କରାଯାଇଛି। ଠିକାଦାର ରଞ୍ଜନ ବେହେରାଙ୍କ ନାମରେ ୧୨ ଟି ଗୁପ୍ତ ଟେଣ୍ଡରରେ ୫୮ ଲକ୍ଷ ୬୮ ହଜାର ୧୪ ଟଙ୍କା, ଶ୍ରୀନିବାସ ରାଉତରାୟଙ୍କ ନାମରେ ୮ ଟି ଗୁପ୍ତ ଟେଣ୍ଡରରେ ୩୯ଲକ୍ଷ ୦୪ ହଜାର ୮୮୩ ଟଙ୍କା ଓ ଈପସିତ୍ କର ନାମରେ ୫ଟି ଗୁପ୍ତ ଟେଣ୍ଡରରେ ୨୪ ଲକ୍ଷ ୧୩ ହଜାର ୪୯୧ ଟଙ୍କା ଖର୍ଚ୍ଚ ହୋଇଛି।

କେଉଁ ସ୍ବାର୍ଥ‌ରେ ଏହି ରାସ୍ତାରେ ଗୋଟିଏ ଗୋଟିଏ ଆର୍ଥିକ ବର୍ଷରେ ଶତାଧିକ ଗୁପ୍ତ ଟେଣ୍ଡର ଜଣେ ଜଣେ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ନାମରେ କରାଯାଇଛି, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସରକାରୀ ନିୟମ ମୁତାବକ ୫ଲକ୍ଷରୁ ଅଧିକ ହେଲେ ଖୋଲା ଟେଣ୍ଡର ବ୍ୟବସ୍ଥା ଥିବାବେଳେ ଏଠାରେ କୋଟି କୋଟି ଟଙ୍କା ଗୁପ୍ତ ଟେଣ୍ଡର କରାଯାଇଛି। ଏହି ବାବଦରେ ସରକାର ୧୪.୯୯ଲେସ୍ରେ ଖୋଲା ଟେଣ୍ଡର କରିଥିଲେ। ୧କୋଟି ୧୬ଲକ୍ଷ ୮୨ହଜାର ରୁ ଅଧିକ ଟଙ୍କା ସରକାରଙ୍କ ତହବିଲକୁ ଫେରିଥାନ୍ତା। ଯାହାକି ଅସାଧୁମେଣ୍ଟ ଖୋଲା ଟେଣ୍ଡର ନକରି ଗୁପ୍ତ ଟେଣ୍ଡର କରି ନିଜ ଭିତରେ ଭାଗବାଣ୍ଟି ନେଲେ ବୋଲି ଅଭିଯୋଗ ହେଉଛି। ଏହି କାରବାର ଏକ ରୢାକେଟ୍ ଦ୍ବାରା ଯୋଜନାବଦ୍ଧ ଭାବେ ପରିଚାଳିତ ହେଉଥିବାରୁ ସରକାରଙ୍କ ତହବିଲରୁ ଏହି ସେକ୍ସନ ଭଳି ବିଭିନ୍ନ ସେକ୍ସନରେ କୋଟି କୋଟି ହରିଲୁଟ୍ ଚାଲିଛି। ଠିକାଦାର ଓ ଯନ୍ତ୍ରୀ ମାଲାମାଲ ହେଉଛନ୍ତି।

ସୂଚନା ଯୋଗ୍ୟ ୨୦୧୮-୧୯ ଆର୍ଥିକ ବର୍ଷରେ ପାଗା ଗୋପୀନାଥପୁର କୁଆଁପାଳ ରାସ୍ତା ଏଗ୍ରିମେଣ୍ଟ ନମ୍ବର-୧ ରେ ୧୭ କିମି ୮୮୨ ମିଟର ଲମ୍ବା ରାସ୍ତାକୁ କଳିଙ୍ଗ କମ୍ବାଇନ୍ ପ୍ରାଇଭେଟ ଲିମିଟେଡ ନାମକ ଏକ ଠିକା ସଂସ୍ଥା ୧୨ କୋଟି ୫୨ ଲକ୍ଷ ୪୬ ହଜାର ୯୬୩ ଟଙ୍କାରେ କାମ କରିବା ପାଇଁ ଠିକା ନେଇଥିଲେ। ଅଟକଳ ବ୍ୟବସ୍ଥା ଅନୁଯାୟୀ କାମ ନକରି ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରିବା ଯୋଗୁଁ ରାସ୍ତା ଫାଟି ଦୁଇ ଫାଳ ହେବା ସହ ତଳକୁ ଦବି ଯାଇଛି। ଏହି ଘଟଣା ପରେ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ତେବେ, ରାସ୍ତାରେ ବ୍ୟବହୃତ ସମସ୍ତ ସାମଗ୍ରୀକୁ ପରୀକ୍ଷାଗାରରେ ପରୀକ୍ଷା କରାଯାଉଥିବା ବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ଅନ୍ୟପକ୍ଷରେ, ଅତି ନିମ୍ନମାନର କାମ ପାଇଁ ଦାୟିତ୍ବରେ ଥିବା ଯନ୍ତ୍ରୀ ଏବଂ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି ।

ସମ୍ବନ୍ଧିତ ଖବର