ମାହାଙ୍ଗା: ପ୍ରାଥମିକ ବିଦ୍ୟାଳୟ ପରିସରରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମାହାଙ୍ଗା: କଟକ ଜିଲ୍ଲାର ମାହାଙ୍ଗା ଥାନା ଅଞ୍ଚଳରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କର ପରିଚୟ ଅବଶ୍ୟ ମିଳିଛି। ସେ ହେଉଛନ୍ତି ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନାନପୁର ଗ୍ରାମର ରବୀନ୍ଦ୍ର ଜେନାଙ୍କ ପୁତ୍ର ସରୋଜ ଜେନା। ତାଙ୍କର ବୟସ ୨୦ ବର୍ଷ ବୋଲି ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ସରୋଜ ଯାଜପୁରର ରତ୍ନଗିରିରେ ନିଜ ପିଉସୀଙ୍କ ଘରେ ରହୁଥିଲେ। ଗତକାଲି ସେ ମାହାଙ୍ଗା ବ୍ଲକର ଜଳେଶ୍ୱରପୁର ପଞ୍ଚାୟତର ଗଙ୍ଗପୁରାରେ ରହୁଥିବା ନିଜ ମା’ଙ୍କ ପାଖକୁ ଆସିଥିଲେ। କାଲି ସନ୍ଧ୍ୟା ବେଳେ ସରୋଜ ମା’ଙ୍କ ଘରୁ ଚାଲିଯାଇଥିଲେ। ହେଲେ ଆଜି ସକାଳେ ଜଳେଶ୍ୱରପୁର ପଞ୍ଚାୟତର ଗଙ୍ଗପୁରା ସ୍କୁଲ ବାରଣ୍ଡାରେ ତାଙ୍କର ଝୁଲନ୍ତା ମୃତଦେହ ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି କଟକ ବଡ଼ ମେଡିକାଲକୁ ବ୍ୟବଚ୍ଛେଦ ଲାଗି ପଠାଇଥିଲେ। ସରୋଜଙ୍କୁ କେହି ହତ୍ୟା କରିଥିବାର ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର