ଅଣସର ମହାପ୍ରଭୁଙ୍କ ଚକା ବିଜେ

ଶ୍ରୀମନ୍ଦିର ଗଲା ମହୌଷଧି ‘ଦଶମୂଳ’, ଆଜି ମହାପ୍ରଭୁ ପିନ୍ଧିବେ ରକ୍ତବସ୍ତ୍ର

ପୁରୀ : ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଉଛନ୍ତି। ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ନାନାଦି ଗୁପ୍ତସେବା। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କ ପାଇଁ ଦଇତାପତି ସେବକ ଓ ସୁନା ଗୋସେଇଁ ଏହି ଗୁପ୍ତନୀତି ସଂପାଦନ କରୁଛନ୍ତି। ଏକ ବସ୍ତ୍ର ହୋଇ ଅଣସର ବାସଠାରୁ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି। ଦୈନିନ୍ଦିନ ଚକଟା ଭୋଇ ଓ ଅନ୍ୟାନ୍ୟ ନୀତି ସଂପାଦନ କରୁଛନ୍ତି। ଶ୍ରୀଅଙ୍ଗରେ ଲାଗି ହେବା ପାଇଁ ବିଭିନ୍ନ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ ଔଷଧ ଯୋଗାଇ ଦିଆଯାଉଛି। ବଡ଼ଓଡ଼ିଆ ମଠ ଫୁଲୁରି ତେଲ ଯୋଗାଇ ଥିବା ବେଳେ ଶୁଦ୍ଧ ସୁଆର ସେବକମାନେ ଓସୁଅ ଯୋଗାଇ ଦେଇଛନ୍ତି।

ଆଜି ବିଧି ମୁତାବକ ଅଣସରରେ ଥିବା ତିନି ଠାକୁର ଚକାବିଜେ କରିବା ସହ ଶ୍ରୀମନ୍ଦିର ବୈଦ୍ୟ ଦଶମୂଳ ପ୍ରସ୍ତୁତ କରି ଗାରଦରେ ଦାଖଲ କରିଛନ୍ତି। ଏକାଦଶୀ ତିଥି ଅର୍ଥାତ୍‍ ଆସନ୍ତାକାଲି ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଶ୍ରୀଅଙ୍ଗର ଉପଚାର କରାଯିବ। ଏଥିସହ ଆସନ୍ତାକାଲି ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ନୀତି ଅନୁଷ୍ଠିତ ହେବ। ମାନବ ଶରୀର ଭଳି ମହାପ୍ରଭୁ ଆସନ୍ତାକାଲି ରକ୍ତବସ୍ତ୍ର ପରିଧାନ କରିବେ। ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆସନ୍ତାକାଲିଠାରୁ ତୁଳସୀ ଲାଗି ହେବ। ପରମ୍ପରା ମୁତାବକ ଆଜି ମହାପ୍ରଭୁଙ୍କ ଚକାବିଜେ ନୀତି ଅନୁଷ୍ଠିତ ହୋଇଛି। ବିଶ୍ରାମ କରୁଥିବା ମହାପ୍ରଭୁ ଚକା ଉପରେ ବିଜେ କରିଥିବା ବେଳେ ନୀତି ମୁତାବକ ସମସ୍ତ କାର୍ଯ୍ୟ ସଂପନ୍ନ ହୋଇଛି। ବିଶ୍ରାମାବସ୍ଥାରୁ ଚକା ଉପରେ ବିଜେ ହେବା ସ୍ଥିତି ମହାପ୍ରଭୁଙ୍କ ସୁସ୍ଥତାର ପରିଚୟ ଦେଇଛି। ଚକା ବିଜେ ହେବା ପରେ ଶ୍ରୀମନ୍ଦିରକୁ ଦଶମୂଳ (ମୋଦକ) ବିଜେ କରାଯାଇଛି। ମହାପ୍ରଭୁଙ୍କ କବିରାଜମାନେ ଏହି ଔଷଧକୁ ଦୀର୍ଘଦିନରୁ ଶୁଦ୍ଧପୁତ ଭାବରେ ପ୍ରସ୍ତୁତ କରିଛନ୍ତି। ଆୟୁର୍ବେଦ ପଦ୍ଧତି ଏବଂ ଶାସ୍ତ୍ରାନୁସରଣରେ ଏହି ମହୌଷଧି ପ୍ରସ୍ତୁତ ହୋଇଛି। ଏକାଦଶୀ ତିଥିରେ ଆସନ୍ତାକାଲି ଅସୁସ୍ଥ ଶ୍ରୀବିଗ୍ରହମାନଙ୍କୁ ଦଶମୂଳ ମୋଦକ ଲାଗି କରିବାର ବିଧି ରହିଛି। ଶ୍ରୀମନ୍ଦିର ବୈଦ୍ୟ ମାନ୍ୟତାପ୍ରାପ୍ତ କବିରାଜ ସେବକମାନେ ପୁରୁଷାନୁକ୍ରମେ ପ୍ରଭୁଙ୍କ ପାଇଁ ଏହି ମହୌଷଧି ପ୍ରସ୍ତୁତି ସେବାରେ ନିୟୋଜିତ ଅଛନ୍ତି। କବିରାଜମାନଙ୍କ କହିବା ମୁତାବକ, ଶାଳପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆ ସର, ଭାଙ୍ଗ ଆଦି ପ୍ରକୃତିର ଉତ୍ପାଦ ସମ୍ମିଶ୍ରଣରେ ମହାପ୍ରଭୁଙ୍କ ପାଇଁ ଏହି ଔଷଧ ପ୍ରସ୍ତୁତ ହୋଇଛି। ହବିଷାନ୍ନ ବ୍ରତ ପାଳନ ସହ ଭକ୍ତିପୁତ ଚିତ୍ତରେ ନିଷ୍ଠାର ସହ ଏହି ଔଷଧ ପ୍ରସ୍ତୁତ କରାଯାଇଛି। ମହାପ୍ରଭୁଙ୍କ ଏହି ମହୌଷଧିରେ ୩ କିଲୋରୁ ଅଧିକ ଚେରମୂଳି ବ୍ୟବହୃତ ହୋଇଛି। ବିଭିନ୍ନ ଭକ୍ତ ଓ କିଛି ଆୟୁର୍ବେଦ ଔଷଧ ଦୋକାନରୁ ଦୁର୍ଲଭ ଚେରମୂଳିକୁ ବୈଦ୍ୟମାନେ ସଂଗ୍ରହ କରିଛନ୍ତି। ଧନ୍ୱନ୍ତରୀ ଆୟୁର୍ବେଦ ଶାସ୍ତ୍ର ଆଧାରରେ ଏହି ମୋଦକ ପ୍ରସ୍ତୁତ ହୋଇଛି।

ସମ୍ବନ୍ଧିତ ଖବର