ପୁରୀ:‌ ଆଜି ପବିତ୍ର ଫାଲଗୁନ ଶୁକ୍ଳପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରେ ଦୋଳଯାତ୍ରା ଆରମ୍ଭ ହୋଇଛି। ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରାରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ଅନୁଷ୍ଠିତ ହେବ। ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମହାପ୍ରଭୁ ଭକ୍ତଙ୍କୁ ଚାଚେରୀ ବେଶରେ ଦର୍ଶନ ଦେବେ। ଆଜି ମହାପ୍ରଭୁ ଫଗୁ ଖେଳିବା ସହ ଚାଚେରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।

Advertisment

ଚୂଡ଼ାନ୍ତ ନୀତି ଅନୁଯାୟୀ, ଆଜି ମଧ୍ୟାହ୍ନ ଧୂପ ଶେଷ ପରେ ୩ ବାଡ଼ରେ ମଇଲମ ହୋଇ ନାଲି ଲୁଗା ଲାଗି ହୋଇଥିଲା। ପରେ ପାଳିଆ ମେକାପ ଭଣ୍ଡାର ଘରଠାରୁ ଚନ୍ଦନ ବିଜେ କରାଇଥିଲେ। ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ପରେ ଚାଚେରୀ ବେଶ ନୀତି ଅନୁଷ୍ଠିତ ହୋଇଥିଲା। ଏ ନେଇ ମହାଲକ୍ଷ୍ମୀ, ସରସ୍ବତୀ ଦକ୍ଷିଣ ଘରୁ ଶ୍ରୀମନ୍ଦିରକୁ ବିଜେ କରିଥିଲେ। ବସନ୍ତପଞ୍ଚମୀ ଦିନ ଭଳି ସମସ୍ତ ନୀତି ସଂପାଦନ ହୋଇଥିଲା। ପରେ ବିମାନରେ ବିଜେ ହୋଇ ଦୁଇ ଠାକୁରାଣୀ ଜଗନ୍ନାଥବଲ୍ଲଭକୁ ବିଜେ କରିଥିଲେ। ସେଠାରେ ଭୋଗ ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ପରେ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ପରେ ବଟବୃକ୍ଷ ମୂଳେ ଦୁଇ ଠାକୁରାଣୀ ବିଜେ ହୋଇଥିଲେ। ରୁନ୍ଧା ଫିଟି ପାଣି ପଡ଼ିବା ପରେ ଦୁଇ ଠାକୁରାଣୀ ଭିତରକୁ ଓ ଦୋଳଗୋବିନ୍ଦ ଦକ୍ଷିଣ ଘରକୁ ବିଜେ କରିଥିଲେ। ଏହାପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥିଲା।