ଭୁବନେଶ୍ବର: ଦୀର୍ଘ ୪୬ ବର୍ଷ ପରେ ଆଜି ଗଣତି ମଣତି ପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଛି। ରତ୍ନଭଣ୍ଡାରର ରତ୍ନ କେମିତି ଅଛି, କେତେ ଅଛି ତାହା ଗଣତି ହୋଇନଥିଲେ ବି ଭିତର ଭଣ୍ଡାର ତିନିଟି ତାଲା ଭାଙ୍ଗି ଦ୍ବାର ଖୋଲାଯାଇଛି। ଗତ ସାଧାରଣ ନିର୍ବାଚନରେ ବିଜେପିର ପ୍ରମୁଖ ପ୍ରସଙ୍ଗ ଥିଲା ରାଜ୍ୟରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଖୋଲାଯିବ। ଆଉ ଓଡ଼ିଶାରେ ବିଜେପି ଏକାକୀ ସରକାର ଗଠନ କରିବାର ଏକ ମାସ ଏକ ଦିନ ପରେ ଆଜି ରତ୍ନଭଣ୍ଡାର ଖୋଲି ପ୍ରତିଶ୍ରୁତି ରଖିଛି।

Advertisment

ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଯାଇଥିଲା, ଏବେ ରତ୍ନଭଣ୍ଡାର ଖୋଲିଲା
୧ଟା ୨୮ରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଆଜି ଅପରାହ୍ନ ୧ଟା ୨୮ରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପ୍ରଥମେ ସୂଚନା ଦେଇଥିଲେ ଯେ ମହାପ୍ରଭୁଙ୍କ ଇଚ୍ଛାରେ ରତ୍ନଭଣ୍ଡାର ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ହେ ମହାପ୍ରଭୁ! ତୁମେ ଲୀଳାମୟ। ତୁମ ଇଚ୍ଛାରେ ଏ ସାରା ସଂସାର ଆତଯାତ ହେଉଛି। ତୁମେ ଓଡ଼ିଆ ଜାତିର ହୃତ୍‌ସ୍ପନ୍ଦନ। ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ଶ୍ରେଷ୍ଠ ପରିଚୟ। ତୁମ ଇଚ୍ଛାରେ ଓଡ଼ିଆ ଜାତି ଆଜି ତାର ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢ଼ିବାକୁ ଉଦ୍ୟମ ଆରମ୍ଭ କରିଛି। ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିଲା। ତୁମ ଇଚ୍ଛାରେ ୪୬ ବର୍ଷ ପରେ ଆଜି ଏକ ମହତ୍ ଉଦ୍ଦେଶ୍ୟ ନେଇ ରତ୍ନଭଣ୍ଡାର ଖୋଲାଗଲା। ଏ ମହାନ୍ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ। ତୁମ ଆଶୀର୍ବାଦରେ ପ୍ରତ୍ୟେକ ଓଡ଼ିଆ ଜାତି, ଗୋଷ୍ଠୀ, ବର୍ଣ୍ଣ ଓ ସର୍ବୋପରି ରାଜନୀତିର ଭେଦକୁ ଭୁଲି ଆଧ୍ୟାତ୍ମିକ ଓ ଭୌତିକ ଜଗତରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଅଗ୍ରସର ହେଉ, ଏତିକି ପ୍ରାର୍ଥନା। ଜୟ ଜଗନ୍ନାଥ।

ଆଜି ରତ୍ନଭଣ୍ଡାର ଯାଞ୍ଚ କମିଟି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପରେ ରତ୍ନଭଣ୍ଡାର ଖୋଲା ହେଲା କି ନାହିଁ, ନା ପୂର୍ବଥର ଭଳି ପୁଣି କମିଟିର ସଦସ୍ୟମାନେ ଆସି ରତ୍ନଭଣ୍ଡାର ଖୋଲାଯା‌ଇପାରିଲାନି ବୋଲି କହିବେ ଏନେଇ ଦ୍ବନ୍ଦ୍ବ ଲାଗି ରହିଥିଲା। ସିଂହଦ୍ବାର ନିକଟରେ ଗଣମାଧ୍ୟମ ପ୍ରତିନିଧିମାନେ ଅପେକ୍ଷା କରିଥିବା ବେଳେ ସାରା ଦେଶର କୋଟି କୋଟି ଶ୍ରଦ୍ଧାଳୁ ରତ୍ନଭଣ୍ଡାର ଖୋଲା ହେଲା କି ନାହିଁ ଜାଣିବାକୁ ଟିଭି ସମ୍ମୁଖରେ ଅପେକ୍ଷାରେ ଥିଲେ। ଯାଞ୍ଚ କମିଟିର ସଦସ୍ୟମାନେ ବାହାରକୁ ଆସିନଥିବାରୁ ଏନେଇ ଦ୍ବନ୍ଦ୍ବ ବଢ଼ୁଥିଲା। କିନ୍ତୁ ଠିକ୍ ୧ଟା ୨୮ରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଥିଲେ ଯେ ମହାପ୍ରଭୁଙ୍କ ଇଚ୍ଛାରେ ରତ୍ନଭଣ୍ଡାର ଖୋଲାଯାଇଛି। ଏହାପରେ କୋଟିକୋଟି ଶ୍ରଦ୍ଧାଳୁ ଆଶ୍ବସ୍ତ ହୋଇଥିଲେ।