ପୁରୀ: ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ। ପ୍ରତିବର୍ଷ ରଥଯାତ୍ରା ପାଇଁ କାଠର ଆବଶ୍ୟକତା ପଡ଼ିଥାଏ। ଦିନକୁ ଦିନ ରଥ କାଠର ଅଭାବ ଦେଖା ଦେଉଥିବାରୁ ରଥରେ ବ୍ୟବହାର ଉପଯୋଗୀ କାଠ ଓ ଚନ୍ଦନ କାଠ, ଯେଉଁ ବ୍ୟକ୍ତିମାନଙ୍କ ପାଖରେ ଅଛି, ସେମାନେ ମହାପ୍ରଭୁଙ୍କ ସେବା ପାଇଁ ଏହା ପ୍ରଦାନ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ ନିବେଦନ କରିଛନ୍ତି।

Advertisment

ଆଜି ଅପରାହ୍ଣରେ ଚଳିତ ବର୍ଷ ରଥଯାତ୍ରା ପାଇଁ ରଥ କାଠ ଯୋଗାଣ ଓ ଆଗାମୀ ବର୍ଷ ରଥ ନିର୍ମାଣ ପାଇଁ ରଥ କାଠ ବ୍ୟବସ୍ଥା ସମ୍ପର୍କରେ ପୁରୀ ସର୍କିଟ ହାଉସଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ଦଳାଇ କହିଥିଲେ, ରଥ ନିର୍ମାଣ ପାଇଁ ବିଭିନ୍ନ ପ୍ରକାରର ମୋଟ୍‌ ୮୬୫ ଖଣ୍ଡ କାଠର ଆବଶ୍ୟକ ଥାଏ। ଶ୍ରୀମନ୍ଦିର ପ୍ରଶାସନ ସୂଚନା ଅନୁସାରେ, ଚଳିତ ବର୍ଷର ୫୩ ଖଣ୍ଡ ବଳକା କାଠ ଥିବାରୁ ଆଗାମୀ ବର୍ଷର ରଥଯାତ୍ରା ପାଇଁ ଅବଶିଷ୍ଟ ୮୧୨ ଖଣ୍ଡ କାଠ ଆବଶ୍ୟକ। ଅପରପକ୍ଷରେ ରଥ କାଠର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର ବ୍ୟବସ୍ଥା ସହ ଏହାର ନିୟମିତ ଅନୁଧ୍ୟାନ କରାଯାଉଛି।

ଡିଏଫ୍‌ଓମାନେ ସେମାନଙ୍କ ଅଞ୍ଚଳକୁ ଅନୁଧ୍ୟାନ କରି ରଥକାଠ ଓ ଚନ୍ଦନ କାଠ ସମ୍ପର୍କରେ ଏକ ଡାଟାବେସ ପ୍ରସ୍ତୁତ କରିବା, ଜଗନ୍ନାଥ ବନ ପ୍ରକଳ୍ପରେ ଯେଉଁ ଚାରା ମରିଯାଇଛି ସେ ସ୍ଥାନରେ ନୂ୍ଆ ଚାରା ରୋପଣ କରିବା, ମାସିକ ଭାବେ ରଥକାଠର ଡାଟାବେସ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇବାକୁ ଡ. ଦଳାଇ ପରାମର୍ଶ ଦେଇଥିଲେ। ଯେଉଁ ବ୍ୟକ୍ତିବିଶେଷ ରଥ ନିର୍ମାଣ ପାଇଁ କାଠ ସ୍ବେଚ୍ଛାରେ ଦେଉଛନ୍ତି, ସେମାନଙ୍କ ସମ୍ପର୍କରେ ପ୍ରଚାର ପ୍ରସାର ପାଇଁ ସେ ଗୁରୁତ୍ୱ ଦେଇଥିଲେ। ଯାହା ଫଳରେ ଅଧିକ ବ୍ୟକ୍ତି ଶ୍ରୀଜିଉଙ୍କ ରଥଯାତ୍ରା ପାଇଁ ରଥକାଠ ଦାନ ପାଇଁ ଆଗ୍ରହ ପ୍ରକାଶ କରିବେ। ସେହିପରି ଚନ୍ଦନ କାଠ ଦାନ କରିବାକୁ ଚାହୁଥିବା ଦାତାମାନେ ଯେଭଳି ସହଜ ଓ ସରଳ ପ୍ରକ୍ରିୟାରେ ଚନ୍ଦନ କାଠ କାଟି ଦାନରେ ଦେଇପାରିବେ, ସେ ଦିଗରେ ସହଯୋଗ କରିବାକୁ ଡ. ଦଳାଇ ଡିଏଫ୍‌ଓମାନଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ରଥକାଠ ଦାତାମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଛି ବୋଲି କହିଥିଲେ। ଆବଶ୍ୟକ ରଥକାଠ ଯୋଗାଣ ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ଡିଏଫ୍‌ଓ ପି. ରାମାସ୍ୱାମୀ, ଖୋର୍ଦ୍ଧା ଡିଏଫ୍‌ଓ ପୂର୍ଣ୍ଣିମା ପାଣ୍ଡିଆନ, ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ, ଭୁବନେଶ୍ୱର ସିଟି ଡିଏଫ୍‌ଓ ଅଜିତ ଶତପଥୀ, ଘୁମୁସର ଡିଏଫ୍‌ଓ ସୁଦର୍ଶନ ବେହେରା, ବୌଦ୍ଧ ଡିଏଫ୍‌ଓ ଦେବପ୍ରିୟ କାମ୍ପା, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।