ପୁରୀ: ବଡ଼ଦାଣ୍ଡକୁ ଅବତରଣ ପରେ ମହାପ୍ରଭୁଙ୍କ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡୀଚାମୁଣ୍ଡା, ଅଶରୀରୀମାନେ ଘୁରି ବୁଲୁଥାନ୍ତି। ସେଇମାନଙ୍କୁ ତୃପ୍ତ କରିବା ପାଇଁ ଶୁକ୍ରବାର ଆଷାଢ଼ ଶୁକ୍ଳ ଦ୍ବାଦଶୀ ଜ୍ୟେଷ୍ଠ ନକ୍ଷତ୍ର ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସଂପନ୍ନ ହେବ। ଚତୁର୍ଦ୍ଧା ବିଗ୍ରହଙ୍କଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ଅଧରପଣା ହାଣ୍ଡିକୁ ଭାଙ୍ଗି ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ତିନିଠାକୁରଙ୍କଠାରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ। ଏଥିପାଇଁ ସ୍ବତନ୍ତ୍ର ଅଧରହାଣ୍ଡି ପ୍ରସ୍ତୁତ ହୋଇଥିବା ବେଳେ ଗୁରୁବାର ଶ୍ରୀଜିଉଙ୍କ ଅଧର ଉଚ୍ଚର ଏହି ତିନି ଅଧରହାଣ୍ଡି ରଥ ପାଖକୁ ବିଜେ କରିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି।

Advertisment

ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ପହୁଡ଼ ନୀତି ସଂପନ୍ନ ପରେ ଗୁରୁବାର ସକାଳ ୬ଟାରୁ ସାଢ଼େ ୬ଟା ଭିତରେ ମଙ୍ଗଳଆଳତି ନୀତି ସଂପନ୍ନ ହେବ। ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶଶେଷ, ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା ଭିତରେ ଗୋପାଳବଲ୍ଲଭ, ସାଢ଼େ ୧୧ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଭିତରେ ସକାଳ ଧୂପ, ଅପରାହ୍ଣ ଗୋଟାଏରେ ମଇଲମ, ସାଢ଼େ ଗୋଟାଏରେ ମହାସ୍ନାନ ଓ ସର୍ବାଙ୍ଗ, ୨ଟାରେ ବେଶ ଶେଷ ହେବ। ଅପରାହ୍ଣ ସାଢ଼େ ୩ଟାରୁ ସାଢ଼େ ୪ଟା ଭିତରେ ମଧ୍ୟାହ୍ନ ଧୂପ ଶେଷ ହେବ। ପରେ ଅଧରପଣା ନୀତି ଆରମ୍ଭ ହେବ। ରାତି ୮ଟା ସୁଦ୍ଧା ତିନିରଥରେ ଅଧରପଣା ନୀତି ଶେଷ ପରେ ୯ଟା ସୁଦ୍ଧା ମହାସ୍ନାନ ଶେଷ ହେବ। ପରେ ରାତି ୧୦ଟାରେ ମଇଲମ ଓ ବେଶ, ସାଢ଼େ ୧୦ଟାରେ ସନ୍ଧ୍ୟା ଆଳତି, ରାତି ୧୧ଟାରୁ ୧୨ଟା ଭିତରେ ସନ୍ଧ୍ୟା ଧୂପ, ସାଢ଼େ ୧୨ଟାରେ ମଇଲମ ଓ ଚନ୍ଦନ ଲାଗି, ରାତି ଗୋଟାଏରେ ବଡ଼ସିଂହାର ବେଶ, ରାତି ସାଢ଼େ ଗୋଟାଏରେ ବଡ଼ସିଂହାର ଭୋଗ ଓ ରାତି ୨ଟାରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ।

ପଣା ପାଇଁ ଛାଉଣୀ ମଠ ସାମ୍ନା କୂଅରୁ ଆସେ ପାଣି
ପୂର୍ବରୁ ଅଧରପଣା ପ୍ରସ୍ତୁତି ପାଇଁ ଆବଶ୍ୟକ ପଡ଼ୁଥିବା ପାଣି ରାଧାବଲ୍ଲଭ ମଠ କୂଅରୁ ଅଣାଯାଉଥିଲା। ମାତ୍ର ପରବର୍ତ୍ତୀ ସମୟରେ ସିଂହଦ୍ବାର ଛାଉଣୀ ମଠ ସମ୍ମୁଖ କୂଅରୁ ଏହି ଜଳ ଅଣାଯାଉଛି। ପାଣିଆଆପଟ ସେବକମାନେ କୂଅରୁ ଗରାମାନଙ୍କରେ ଜଳ କାଢ଼ି ରଥ ଉପରକୁ ବୋହି ଆଣି ପିତ୍ତଳ ହଣ୍ଡାମାନଙ୍କରେ ରଖିଥାନ୍ତି। ପାଣି ବୁହା ହୋଇ ଆସିବା ବେଳେ ମନ୍ଦିର ଚର୍ଚ୍ଚା ଓ ବରକନ୍ଦାଜ କର୍ମଚାରୀମାନେ ଆଗରେ ଗୁଆ ଖୋଳପା ଧରି ଆଡ଼େଇଥାନ୍ତି। ଯେପରି କୂଅରୁ ପାଣି ଆସିବା ବେଳେ କେହି ଜଳକୁ ସ୍ପର୍ଶ ନକରନ୍ତି ସେନେଇ ବିଶେଷ ଧ୍ୟାନ ଦିଆଯାଇଥାଏ।

ପଞ୍ଚୋପଚାରରେ ପୂଜା
ଅଧର ପଣା ଭୋଗ ହେବା ପୂର୍ବରୁ ମହାସୁଆରମାନଙ୍କ ଉପସ୍ଥିତିରେ ଭିତରଚ୍ଛ, ତଳୁଚ୍ଛ ଓ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ ଅଧର ସମ୍ମୁଖରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥାନ୍ତି। ଅଧରପଣା ହାଣ୍ଡି ଉପରେ ମଧ୍ୟ ଖଣ୍ଡେ ଲେଖାଏଁ ଧଳାକରିଆ ପକାଯାଇଥାଏ। ପାଣି ଛାଣିବା ଉଦ୍ଦେଶ୍ୟରେ ଏହା ପକାଯାଇଥାଏ ବୋଲି କୁହାଯାଏ। ମହାସୁଆରମାନେ ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ଏହାପରେ ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକମାନେ ତିନି ରଥ ଉପରେ ପୂଜା ଠା କରିଥାନ୍ତି। ଏହା ପରେ ପାଳିଆ ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରିଥାନ୍ତି।

ମହାପ୍ରଭୁଙ୍କ ଅଧରାମୃତ ‘ଅଧରପଣା’

ପୁରୀ: ମହାପ୍ରଭୁଙ୍କ ଅଧରାମୃତ ପାନ କରିବାକୁ ଚାହିଁ ରହିଛନ୍ତି ରଥର ପାର୍ଶ୍ବ ଦେବଦେବୀ ଓ ଚଣ୍ଡୀଚାମୁଣ୍ଡା। କୁମ୍ଭକାରଙ୍କ ଦ୍ବାରା ପ୍ରସ୍ତୁତ ସରିଛି ଶ୍ରୀବିଗ୍ରହଙ୍କ ଅଧର ସ୍ପର୍ଶ କରୁଥିବା ତୁମ୍ବାକାର ମାଟିହାଣ୍ଡି। ଦ୍ବାଦଶୀ ତିଥିରେ ଅଧରପଣା ଭୋଗ କରାଯିବା ପରେ ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ଯଦିଓ ଏହା ପାର୍ଶ୍ବ ଦେବଦେବୀ ଓ ଅଶରୀରୀଙ୍କ ଉଦ୍ଦେଶ୍ୟରେ ହୋଇଥାଏ, କିନ୍ତୁ ମହାପ୍ରଭୁଙ୍କ ଅଧର ସ୍ପର୍ଶ କରିଥିବାରୁ ଏହି ପଣା ଟିକେ ପ୍ରସାଦ ରୂପେ ପାଇବାକୁ ଭକ୍ତମାନେ ଉତ୍ସୁକତାର ସହ ଅପେକ୍ଷା କରିଥାଆନ୍ତି। ରଥାରୂଢ଼ ଶ୍ରୀବିଗ୍ରମାନଙ୍କ ଅଧର ପର୍ଯ୍ୟନ୍ତ ହାଣ୍ଡିରେ ପଣା ଭର୍ତ୍ତି ହେଉଥିବାରୁ ଏହାକୁ ଅଧରପଣା କୁହାଯାଏ ବୋଲି ଗବେଷକମାନେ ମତ ଦିଅନ୍ତି। ପ୍ରତିରଥରେ ତିନିଟି କରି ୯ଟି ହାଣ୍ଡି ଭୋଗ ହୁଏ।

publive-image

ଅଶରୀରୀଙ୍କ ଉଦ୍ଧାର ପାଇଁ ଭଙ୍ଗାଯାଏ ଅଧର ହାଣ୍ଡି
ମହାପ୍ରଭୁଙ୍କ ଅଧର ସ୍ପର୍ଶ ପଣାହାଣ୍ଡି ଭୋଗ ହେବା ପରେ ଭଙ୍ଗାଯିବାର ପରମ୍ପରା ଅନନ୍ୟ। ଜନଶ୍ରୁତି ଅନୁଯାୟୀ ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧରପଣା ଭୋଗ ହୋଇ ରଥର ପାର୍ଶ୍ବ ଦେବଦେବୀ ଓ ଅନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କ ପାଇଁ ଏହି ଅଧର ହାଣ୍ଡି ଭଙ୍ଗା ଯାଇଥାଏ। ଡ. ସୁରେନ୍ଦ୍ର ମିଶ୍ରଙ୍କ ମତ ଅନୁଯାୟୀ ଅଶରୀରୀମାନଙ୍କ ଉଦ୍ଧାର ଉଦ୍ଦେଶ୍ୟରେ ଏହି ଅଧରହାଣ୍ଡି ଭଙ୍ଗା ପରମ୍ପରା ପ୍ରଚଳିତ। ତାଙ୍କ ମତରେ ସେମାନଙ୍କ ପାଇଁ ସମର୍ପଣର ପ୍ରଥା ନାହିଁ। ତେଣୁ ପଣା ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଏ। ଯଦିଓ ବହୁ ଭକ୍ତ ମହାପ୍ରଭୁଙ୍କ ଅଧର ଛୁଇଁଥିବା ଏହି ପଣାକୁ ପ୍ରସାଦ ରୂପେ ପାଇଥାଆନ୍ତି, କିନ୍ତୁ ଅନେକ ସେବକ ତଥା ସ୍ଥାନୀୟ ଜନସାଧାରର ଅଧରପଣା ସେବନ କରନ୍ତି ନାହିଁ।

ଛାଚି, ସର, କର୍ପୂର, ଜାଇଫଳ...
ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର ଓ ଜାଇଫଳ ପଡ଼ି ପଣା ପ୍ରସ୍ତୁତ ହୋଇଥାଏ। ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧରପଣା ନୀତି ଆରମ୍ଭ ହୁଏ। ଶ୍ରୀମନ୍ଦିର ପ୍ରଶାସନ, ରାଘବ ଦାସ ମଠ ଓ ଓଡ଼ିଆ ମଠ ପଣା ପ୍ରସ୍ତୁତି ସାମଗ୍ରୀ ଯୋଗାଇ ଦେଇଥାନ୍ତି। ସଂପ୍ରତି ପ୍ରସ୍ତୁତ ହେଉଥିବା ୯ଟି ତୁମ୍ଭାକାର ମାଟି ହାଣ୍ଡି ମଧ୍ୟ ଏହି ଦୁଇ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଉଛି। ପଣା ସାମଗ୍ରୀ ସବୁକୁ ପାଳିଆ ମହାସୁଆର

ଅତୀତରେ ତିନିଦିନ ହେଉଥିଲା ଅଧରପଣା

ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁଯାୟୀ ବାହୁଡ଼ାଦଶମୀ ଦିନ ରଥ ସିଂହଦ୍ବାର ନିକଟରେ ପହଞ୍ଚିବା ପରେ ‘ଅଧର ପଣା’ ଭୋଗ ହେବା କଥା। କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ। ମାତ୍ର ଅନେକ ବର୍ଷ ହେଲା ଏହା ଏକାଦଶୀ ଦିନ ମଧ୍ୟ ହୋଇନପାରି ଦ୍ବାଦଶୀ ତିଥିରେ ହେଉଛି। ଗବେଷକ ଡ.ସୁରେନ୍ଦ୍ର କୁମାର ମିଶ୍ର ଓଡ଼ିଆମଠରୁ ପ୍ରାପ୍ତ ସନନ୍ଦକୁ ଆଧାର କରି ଉଲ୍ଲେଖ କରିଛନ୍ତି ଯେ, ପୂର୍ବରୁ ବାହୁଡ଼ା ଦଶମୀ ଦିନ ତିନିହାଣ୍ଡି, ଏକାଦଶୀ ତିଥିରେ ତିନିହାଣ୍ଡି ଓ ଦ୍ବାଦଶୀ ଦିନ ତିନିହାଣ୍ଡି ଏହିପରି ୯ହାଣ୍ଡି ଅଧରପଣା ହୋଇଥାଏ। ଏହାବ୍ୟତୀତ ଶ୍ରୀବଳଭଦ୍ରଙ୍କ ରଥରେ ରାମ, କୃଷ୍ଣଙ୍କ ଉଦ୍ଦେଶ୍ୟରେ ୨ଟି ସାନହାଣ୍ଡି, ଶ୍ରୀଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ଉଦ୍ଦେଶ୍ୟରେ ଗୋଟିଏ ସାନହାଣ୍ଡି ପଣା ଭୋଗ ହେଉଥିଲା। ଅର୍ଥାତ ମୋଟ୍‌ ୧୨ ହାଣ୍ଡି ଅଧର ପଣା ଭୋଗ କରାଯାଉଥିଲା। କିନ୍ତୁ ଅନେକ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ତିନି ଦିନ ପରିବର୍ତ୍ତେ କେବଳ ଦ୍ବାଦଶୀ ତିଥିରେ ମୋଟ‌୍ ୯ଟି ହାଣ୍ଡିରେ ଅର୍ଥାତ ତିନିରଥରେ ତିନିଟି ଲେଖାଏଁ ହାଣ୍ଡିରେ ଅଧରପଣା ଭୋଗ କରାଯାଉଛି।