ସବୁ ଲଜ୍, ହୋଟେଲ୍ ଭର୍ତ୍ତି, ବଡ଼ଦାଣ୍ଡରେ ଗଡ଼ିଲେ ଭକ୍ତ
ପୁରୀ: ଯାହା ଆଶଙ୍କା କରାଯାଉଥିଲା ଠିକ୍ ତାହା ହିଁ ହେଲା। ମୁଣ୍ଡ ଗୁଞ୍ଜିବାକୁ ଛାତ ପାଇଲେନି ସାଧାରଣ ଭକ୍ତ। ଝିପିଝିପି ବର୍ଷାରେ ବଡ଼ଦାଣ୍ଡରେ ବିତିଲା। ନିଜର ପ୍ରଚାର କରିବାକୁ ବିଭିନ୍ନ କମ୍ପାନି ଦେଇଥିବା ଖଣ୍ଡେ ଖଣ୍ଡେ ମାଗଣା ଜରିକୁ ଢାଙ୍କି ବଡ଼ଦାଣ୍ଡରେ ଗଡ଼ି ପଡ଼ିଥିଲେ ହଜାର ହଜାର ଭକ୍ତ। ଏତେ ଲୋକ ଯେ ରାସ୍ତା ସଫା କରିବାକୁ କର୍ମଚାରୀ ସୁଯୋଗ ପାଇଲେନି। ଯେଉଁଠି ଅଇଁଠା ଦନା, ଖଲି, ପାଣି ବୋତଲ ଗଡ଼ୁଛି, ସେଇଠି ଶୋଇଛନ୍ତି ଭକ୍ତ। ଜଗା ଦର୍ଶନରେ ଆସି ନନ୍ଦିଘୋଷ ପର୍ଯ୍ୟନ୍ତ ଭିଡ଼ ଆଡ଼େଇ ପହଞ୍ଚି ପାରି ନଥିବା ଭକ୍ତ ଏଭଳି ଯନ୍ତ୍ରଣା ପାଇଛନ୍ତି। ହେଲେ ସେଥିରେ ବି ଦୁଃଖ ନାହିଁ, ଜଗା ଅପେକ୍ଷାରେ ଉଜାଗରରେ ରାତି ପାହିଗଲେ ବି ମନ ଊଣା ହେବ ନାହିଁ ବୋଲି କହିଛନ୍ତି ସମ୍ବଲପୁର ବରଗଡ଼ର ଅଭିମନ୍ୟୁ ପ୍ରଧାନ। ତେବେ ଗତକାଲି ଠାରୁ ସମୁଦ୍ରକୂଳରେ ହୋଟେଲ୍ଠୁ ଆରମ୍ଭ କରି ବଡ଼ଦାଣ୍ଡରେ ଲଜ୍ ଖୋଜିଥିଲେ ମଧ୍ୟ ମିଳିନାହିଁ। କେଉଁଠି ବି ଜାଗା ନାହିଁ। ବଡ଼ଦାଣ୍ଡକୁ ଲାଗି ରହିଥିବା ଲଜ୍ ସବୁ ଓଭରଫ୍ଲୋ ହେଉଛି। ଯେଉଁଠି ଦୁଇଜଣ ରହିବା କଥା ସେଠାରେ ୪ ଜଣ ରହୁଛନ୍ତି। ଜିଲ୍ଲା ପ୍ରଶାସନ କିମ୍ବା ମୁନିସିପାଲିଟି ପକ୍ଷରୁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ। ୫ ବର୍ଷ ତଳେ ଯେଉଁଠି ୨୦୦ ଟଙ୍କାରେ ରୁମ୍ ଖଣ୍ଡେ ମିଳିଯାଉଥିଲା ସେଠାରେ ୧୨୦୦ରେ ବି ରୁମ୍ ମିଳୁନି। ମାଗଣା ଖାଇବାକୁ ଓ ପିଇବାକୁ ସିନା ମିଳିଯାଉଛି, ହେଲେ ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ।
ରଥଯାତ୍ରାରେ ଅସୁମାରି ଯନ୍ତ୍ରଣା
ଅସ୍ଥାୟୀ ପାଇଖାନା ନିର୍ମାଣରେ ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥା ୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ଶ୍ରୀମନ୍ଦିରରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଗୋଟିଏ ହେଲେ ଅସ୍ଥାୟୀ ପାଇଖାନା ହୋଇନାହିଁ। ବଗଲା ଧର୍ମଶାଳା ସମ୍ମୁଖରେ, ବଡ଼ଦାଣ୍ଡରେ ହୋଇଥିବା ଘରୋଇ ପାଇଖାନାରେ ଆଜି ପ୍ରବଳ ଭିଡ଼ ହୋଇଥିଲା। ‘ଓମ୍ ଫ୍ରେସ୍’ ନାମକ ଏହି ଟଏଲେଟ୍ରେ ଝାଡ଼ା ବସିବାକୁ ୮୦ ଟଙ୍କା ଦେୟ ରହିଛି। ପୌରସଂସ୍ଥା ଏହି ସଂସ୍ଥାକୁ ଏଠାରେ ସ୍ବୀକୃତି ଦେଇଛି। ପାଖରେ ମାଗଣା ଟଏଲେଟ୍ କଲେ କାଳେ ସଂସ୍ଥାର ବେପାର ହେବନି ସେଥିପାଇଁ ପାଖାପାଖି ମାଗଣା ଟଏଲେଟ୍ ବ୍ୟବସ୍ଥା କରିନାହିଁ। ଆଜି ଦିନ ରାତି ଏହି ଟଏଲେଟ୍ରେ ଜାଗା ମିଳିନାହିଁ। ଲୋକମାନେ ଧାଡ଼ିବାନ୍ଦି ଝାଡ଼ାଯିବାକୁ ଯାଉଥିବା ଦେଖାଯାଇଛି। ଅନେକ ଲୋକଙ୍କର ୮୦ ଟଙ୍କା ଦର ଶୁଣି ମୁଣ୍ଡ ଘୂରାଇ ଯାଇଥିଲେ ମଧ୍ୟ ଝାଡ଼ା ବସିବା ଜରୁରି ହୋଇଥିବାରୁ ଏଭଳି ଖର୍ଚ୍ଚାନ୍ତ ହୋଇଛନ୍ତି। ସେହିଭଳି ପାଣି ମଧ୍ୟ ମାଗଣା ବଣ୍ଟା ଯାଇଛି। ଜଣେ ହେଲେ କେହି ପାଣି କିଣି ପିଇ ନାହାନ୍ତି। ଦହିପାଣି ଠାରୁ ଆରମ୍ଭ କରି ମିନେରାଲ୍ ୱାଟର ପର୍ଯ୍ୟନ୍ତ ପାଣି ବୋତଲ ବଣ୍ଟା ହୋଇଛି। କିନ୍ତୁ ପରିସ୍ରାଗାର ନାହିଁ। ଗଳିରେ ପ୍ରବଳ ଭିଡ଼ ହୋଇଥିଲେ ମଧ୍ୟ ପୁରୁଷମାନେ ରାସ୍ତାକଡ଼ରେ ପରିସ୍ରା କରିଛନ୍ତି। କିନ୍ତୁ ମହିଳାମାନେ ବାଧ୍ୟ ହୋଇ ଟଏଲେଟ୍ ଯାଇ ଖର୍ଚ୍ଚାନ୍ତ ହୋଇଛନ୍ତି। ପରିସ୍ରା କରିବାକୁ ୨୦ ଟଙ୍କା ଦେବାକୁ ପଡ଼ିଛି।