ପୁରୀ : ମହାପ୍ରଭୁଙ୍କ ଜମି କିଣାବିକା ପାଇଁ ନୂଆ କରି ଲାଗୁ ହୋଇଥିବା ୟୁନିଫର୍ମ ପଲିସିକୁ ବିରୋଧ ପରେ ନିକଟରେ ଏ ଉପରେ ଭୁବନେଶ୍ବରଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସରକାର ଏହି ନିୟମକୁ କୋହଳ କରିବା ଦିଗରେ ବିଚାର କରିବାକୁ ପ୍ରତିଶ୍ରୁତି ବି ଦେଇଛନ୍ତି। କିନ୍ତୁ ଏହି ଆଲୋଚନା ବୈଠକକୁ ଭିଟାମାଟି ଅଧିକାର ମଞ୍ଚ ବିରୋଧ କରିଛି। ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପୁରୀ ସାଂସଦଙ୍କ ଜରିଆରେ ଏଭଳି ନିର୍ବାଚନୀ ଚାଲ ଖେଳିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ବୈଠକରେ ସମୁହ ମତ ବଦଳରେ ରାଜନେତାଙ୍କ ମତ ଗ୍ରହଣ କରାଯାଇଛି ବୋଲି ମଞ୍ଚ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି।
ସାମ୍ବାଦିକ ସମ୍ମିଳନୀରେ ମଞ୍ଚ ପକ୍ଷରୁ ଶ୍ରୀକାନ୍ତ ପରିଜା, ରାଜେଶ ରଥ ପ୍ରମୁଖ କହିଛନ୍ତି ଯେ ଭୁବନେଶ୍ବରେ ଆୟୋଜିତ ୟୁନିଫର୍ମ ପଲିସି ନେଇ ବୈଠକ ସଂପର୍କରେ ଗଣମାଧ୍ୟମରୁ ଜାଣିବାକୁ ପାଇଲୁ। ଏହି ବୈଠକରେ ରାଜ୍ୟ ସରକାର ଯେଉଁଭଳି ପ୍ରତିଶ୍ରୁତି ଦେଇଛନ୍ତି, ତାହା ସ୍ବାଗତଯୋଗ୍ୟ। କିନ୍ତୁ ପୁରୀ ସାଂସଦ ଗଣମାଧ୍ୟମକୁ ଦେଇଥିବା ବକ୍ତବ୍ୟରୁ ୟୁନିଫର୍ମ ପଲିସି ସରଳୀକରଣ ପ୍ରକ୍ରିୟା ଶୀଘ୍ର ହେବା ଭଳି ମନେ ହେଉନି। ଏଣୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ଲୋକ ଦେଖାଣିଆ ବୈଠକ କରାଯାଇଛି ବୋଲି ମଞ୍ଚ ଅଭିଯୋଗ କରିଛି। ଏଣୁ ସିଙ୍ଗଲ ୱିଣ୍ଡୋ ମାଧ୍ୟମରେ ଜମି ପଞ୍ଜୀକରଣ, ୨୦୧୯ ୟୁନିଫର୍ମ ପଲିସିକୁ ରଦ୍ଧ କରି ଦୁଇ ମାସ ଭିତରେ ନୂଆ ୟୁନିଫର୍ମ ପଲିସି ଘୋଷଣା କରିବାକୁ ମଞ୍ଚ ଦାବି କରିଛି। ଏହି ଦାବି ହାସଲ ପାଇଁ ମଞ୍ଚ ଜାନୁଆରି ପ୍ରଥମ ସପ୍ତାହରୁ ପୁରୀ ଜିଲ୍ଲା ସହ ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା, ଶୋଭାଯାତ୍ରା, ଧାରଣା, ଜେଲ୍ଭରୋ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ସାମ୍ବାଦିକ ସମ୍ମିଳନୀରେ ଆଇନଜୀବୀ କାଳୀପ୍ରସାଦ ନାୟକ, ଭୀମସେନ୍ ସ୍ବାଇଁ, ଘନଶ୍ୟାମ ସାହୁ, ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ଅଶ୍ବିନୀ ପ୍ରସାଦ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।