ପୁରୀ: ପୁରୀ ମାଟିତୋଟା ମୌଜାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଜମି ବେଆଇନ ଭାବେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ ହୋଇଛି। ଦଖଲକୁ ନେଇ ଏହାକୁ ବିକ୍ରି କରାଯାଇଛି। ଏହି ଅଭିଯୋଗ ପାଇବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏ ସଂପର୍କରେ ପୁରୀ ବାସେଳିସାହି ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି। ପୁରୀ ସହରରେ ବହୁ ଜମି ରହିଛି, ଯାହା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଛି। ଏହାର ମାର୍ଫତଦାର ରହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ବାସେଳିସାହି ଥାନା ଅନ୍ତର୍ଗତ ମାଟିତୋଟା ମୌଜାର ୟୁନିଟ୍‌ ନଂ-୧, ଖାତା ନମ୍ବର ୩୮ରେ ୧୦୯ଟି ପ୍ଲଟ୍‌ ରହିଛି। ଯାହା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଛି। କିନ୍ତୁ କିଛି ବ୍ୟକ୍ତି ୧୦୯ଟି ପ୍ଲଟ୍‌କୁ ଜବରଦଖଲ କରି ରଖିବା ପରେ ଏହାକୁ ନୋଟାରି ସତ୍ୟପାଠରେ ଅନ୍ୟକୁ ବିକ୍ରି କରିବା ଆରମ୍ଭ କରିଛନ୍ତି।

Advertisment

ଏ ବାବଦରେ କୋଟି କୋଟି ଟଙ୍କାର ବେପାର ହେଉଥିବା ଅଭିଯୋଗ ପହଞ୍ଚିଛି। ଏହି ଅଭିଯୋଗ ପରେ ଘଟଣାରେ ସତ୍ୟତା ଥିବା ଜଣାପଡ଼ିବାରୁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। କୌଣସି ପରିସ୍ଥିତିରେ ଏହି ଜମିକୁ ବେଆଇନ ଭାବେ ହାତେଇବା ଉଦ୍ୟମକୁ ବରଦାସ୍ତ କରାଯିବନି। ଏହା ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ଏଭଳି ବେଆଇନ ହସ୍ତାନ୍ତର ସଂପୂର୍ଣ୍ଣ ଅବୈଧ। ଯେହେତୁ ଏହି ଜାଗା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର, କେହି ଯଦି ଏହାକୁ କିଣନ୍ତି, ତେବେ ସେ ଠକାମିର ଶିକାର ହେବେ। ଏଥିସହ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ତେଣୁ ଏଭଳି ବେଆଇନ ହସ୍ତାନ୍ତରରୁ ବ୍ୟକ୍ତି କିମ୍ବା ଅନୁଷ୍ଠାନ ଦୂରେଇ ରହିବାକୁ ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି।

ଜଗନ୍ନାଥଙ୍କ ଜମି ବିକି କର୍ପସ୍‌ ପାଣ୍ଠି ଯୋଗାଡ଼ କରିବେ ସରକାର

ଶ୍ରୀମନ୍ଦିର ପାଇଁ ଆସିବ ଏକକ ନୀତି
ଆଗାମୀ ଦିନରେ ଅନ୍ୟ ମନ୍ଦିର ପାଇଁ ଲାଗୁ ହେବ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହଜାର ହଜାର ଏକର ଜମି ଏବେ ଜବରଦଖଲ ହୋଇଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଜବରଦଖଲ ମୁକ୍ତ କରିପାରୁନି। ଏପରିକି ଶହ ଶହ କୋଟିର ସମ୍ପତ୍ତି ଥାଇ ବି ମହାପ୍ରଭୁଙ୍କ କାମରେ ଏହା ଲାଗୁନି। ତେଣୁ ମହାପ୍ରଭୁଙ୍କ ଜମି ଯେଉଁଠି ଜବରଦଖଲ ହୋଇଛି ତାହାକୁ ବିକ୍ରି କରିବାକୁ ରାଜ୍ୟ ସରକାର ଶ୍ରୀମନ୍ଦିର ପାଇଁ ଏକକ ନୀତି ଆଣିବାକୁ ଯୋଜନା କରୁଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଯେଉଁଠି ମହାପ୍ରଭୁଙ୍କ୧୦୦ ଡେସିମିଲରୁ କମ୍‌ ଜମିକୁ କେହି ଜବରଦଖଲ କରି ଘର କରି ରହିଥିବେ ତାଙ୍କୁ ରିହାତି ମୂଲ୍ୟରେ ଉକ୍ତ ଜମିକୁ ବିକ୍ରି କରାଯିବ। ହେଲେ ୧୦୦ ଡେସିମିଲରୁ ଅଧିକ ଜମି କେହି ଜବରଦଖଲ କରିଥିଲେ ତାଙ୍କୁ ତା’ର ଯଥାର୍ଥତା ଦର୍ଶାଇବାକୁ ପଡ଼ିବ। ଏହା ସନ୍ତୋଷଜନକ ହେଲେ ତାଙ୍କୁ ଜମିର ବଜାର ଦର ବା ବେଞ୍ଚମାର୍କ ମୂଲ୍ୟରେ କିଣିବାକୁ ପଡ଼ିବ। ଏହାପରେ ଏହି ସବୁ ଜମିର ବନ୍ଦୋବସ୍ତ କରି ଜମି ମାଲିକଙ୍କ ନାମରେ ପଟ୍ଟା କରିଦିଆଯିବ। ଏହାଦ୍ୱାରା  ଶ୍ରୀ ମନ୍ଦିର କର୍ପସ୍‌ ପାଣ୍ଠି ପାଇଁ ୧୦ହଜାର କୋଟିରୁ ଅଧିକ ଅର୍ଥ ଆସିପାରିବ।

ଏହାସହ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ପୂର୍ବରୁ ୨୦୦୩ରୁ ୨୦୦୯ପର୍ଯ୍ୟନ୍ତ ରାଜ୍ୟ ସରକାର ଏକକ ନୀତି ଲାଗି କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ଏହା ଆଗକୁ ବଢ଼ିନଥିଲା। ଏବେ ଏହାକୁ ଲାଗୁ କରିବାକୁ ଆଇନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପରେ ରାଜ୍ୟର ବିଭିନ୍ନ ମନ୍ଦିରର ଜବରଦଖଲ ଜମିକୁ ବିକି କର୍ପସ୍‌ ପାଣ୍ଠି ଯୋଗାଡ଼ କରିବାକୁ ଏହି ଏକକ ନୀତି ଲାଗୁ କରାଯିବ।  କର୍ପସ୍‌ ପାଣ୍ଠିରେ ଅଧିକ ଅର୍ଥ ରହିଲେ ମନ୍ଦିରଗୁଡ଼ିକର ନୀତିକାନ୍ତି ନେଇ ଯେଉଁ ସବୁ ସମସ୍ୟା ଉପୁଜୁଛି ତାହା ଆଉ ଉପୁଜିବନି। ସେହିପରି ମନ୍ତ୍ରୀ କହିଛନ୍ତି ଯେ ଶ୍ରୀମନ୍ଦିରର ନୀତିକାନ୍ତି ଓ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଖୁବ୍‌ ଶୀଘ୍ର ପଦକ୍ଷେପ ନିଆଯିବ। ଆବଶ୍ୟକ ପଡ଼ିଲେ ୨୦୦୩ ମସିହାର ଶ୍ରୀମନ୍ଦିର ଆଇନରେ ସଂଶୋଧନ ଅଣାଯିବ। ଏନେଇ ଆଇନ ବିଭାଗ ପକ୍ଷରୁ ଉକ୍ତ ଆଇନର ସମୀକ୍ଷା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।