ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ବିଭିନ୍ନ ତହସିଲରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଜମି ବର୍ଷବର୍ଷ ଧରି ମୁଷ୍ଟିମେୟ ବ୍ୟକ୍ତିଙ୍କ କବ୍ଜାରେ ରହଛି। ଜିଲ୍ଲାରେ ପ୍ରାୟ ୧୫ଶହ ଏକରରୁ ଊର୍ଦ୍ଧ୍ବ ମହାପ୍ରଭୁଙ୍କ ଜମି ଜବରଦଖଲରେ ରହିଛି। ଜଗନ୍ନାଥଙ୍କ ଜମିକୁ ଜବରଦଖଲମୁକ୍ତ କରିବା ପାଇଁ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏପରିକି ଶ୍ରୀଜଗନ୍ନାଥଙ୍କ ଜମି ବା ସମ୍ପତ୍ତି ଖୋଜି ବାହାର କରିବା, ତା’ର ହିସାବ ରଖିବା ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୋଲାଯାଇଥିବା ‘ଶ୍ରୀମନ୍ଦିର ପ୍ରଶାସନ’ ସ୍ବତନ୍ତ୍ର ପ୍ରକୋଷ୍ଠ ଆଉ ଏବେ ଦେଖିବାକୁ ମିଳୁନାହିଁ। ମିଳିଥିବା ତଥ୍ୟ ମୁତାବକ, କେବଳ ବାଲେଶ୍ବର ଜିଲ୍ଲାର ସୋର ଓ ବସ୍ତା ତହସିଲ ଅଧୀନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ବତ୍ବରେ ୧୦୮୦ ଏକର ଜମି ରହିଛି। ବାହାନଗା ଓ ଖଇରା ତହସିଲରେ ମଧ୍ୟ ଶତାଧିକ ଏକର ଜମି ଜବରଦଖଲରେ ରହିଛି। କିନ୍ତୁ ପ୍ରାଶାସନିକ ଉଦାସୀନତା ତଥା ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ବର୍ଷବର୍ଷ ଧରି ଏ ସମ୍ପର୍କିତ ମାମଲାଗୁଡ଼ିକର ସମାଧାନ ହୋଇପାରୁନାହିଁ।
ଆଉ ଦେଖିବାକୁ ମିଳୁନି ‘ଶ୍ରୀମନ୍ଦିର ପ୍ରଶାସନ’ ସ୍ବତନ୍ତ୍ର ପ୍ରକୋଷ୍ଠ
ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, କିଛିବର୍ଷ ପୂର୍ବରୁ ଜିଲ୍ଲାର ୭ ତହସିଲ ଅଧୀନରୁ ମହାପ୍ରଭୁଙ୍କ ନାମରେ ମାତ୍ର ୯୩ ଏକର ୩୮ ଡେସିମିଲ ଜମିର ରେକର୍ଡ ମିଳିଥିଲା। ବାଲେଶ୍ବର ଓ ରେମୁଣା ତହସିଲ ଅଧୀନରେ ୫୯ ଏକର ୩୧ ଡେସିମିଲ୍, ବସ୍ତା ତହସିଲ୍ରେ ୩ ଏକର ୧୪୦ ଡେସିମିଲ୍, ନୀଳଗିରି ତହସିଲ୍ରେ ୧ ଏକର ୫୮ ଡେସିମିଲ୍, ସୋର ତହସିଲରେ ୯ ଏକର ୪୫ ଡେସିମିଲ୍, ସିମୁଳିଆ ତହସିଲରେ ୧୬ ଏକର ୭୫ ଡେସିମିଲ୍ ଓ ଖଇରା ତହସିଲରେ ୩ ଏକର ୪୧ ଡେସିମିଲ୍ ଜମିର ରେକର୍ଡ ମିଳିଥିଲା। ଉକ୍ତ ଜମିକୁ ୨୫୫ ଜଣ ଦଖଲ କରିଆସୁଥିବା
ବେଳେ ବର୍ଷବର୍ଷ ଧରି କୌଣସି ରାଜସ୍ବ ଦେଉ ନଥିବା ଅଭିଯୋଗ ହୋଇଥିଲା।
ସେହିପରି ସାରା ଜିଲ୍ଲାରେ ମହାପ୍ରଭୁଙ୍କ ଜମିର ଦଖଲ ବାବଦରେ ପାଖାପାଖି ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ରାଜସ୍ବ ବିଭିନ୍ନ ତହସିଲରେ ବକେୟା ରହିଛି। ୧୪/୧୫ ବର୍ଷ ଧରି ଏହି ରାଜସ୍ବ ବକେୟା ପଡ଼ି ରହିଥିଲେ ମଧ୍ୟ ସମ୍ପୃକ୍ତ ଦଖଲକାରୀଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବାଲେଶ୍ବର ସହରର ଫାଣ୍ଡିଛକରୁ ନୂଆବଜାର ଅଞ୍ଚଳ ପର୍ଯ୍ୟନ୍ତ ଜାଗାରେ ଗଢ଼ି ଉଠିଥିବା ଅଧିକାଂଶ ଘର, ମାର୍କେଟ୍ କମ୍ପ୍ଲେକ୍ସ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଜବରଦଖଲ ଜମିରେ କରାଯାଇଥିବା ଜଣାଯାଇଛି। ଏହି ଜାଗା ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ରହିଛି। ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।