ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତନୀତି: ପିନ୍ଧିଲେ ରକ୍ତବସ୍ତ୍ର, ଲାଗି ହେଲା ଦଶମୂଳ

ବର୍ଷର ସବୁଠୁ ବଡ଼ ସର୍ବାଙ୍ଗ ଚନ୍ଦନ ନୀତି, ଲାଗି ହେଲା ତୁଳସୀ

ପୁରୀ: ମହାପ୍ରଭୁ ନବଯୌବନ ପ୍ରାପ୍ତି ପୂର୍ବରୁ ଅଣସର ପିଣ୍ଡିରେ ଚାଲିଛି ଗୋପନ ସେବା। ଗତକାଲି ମହାପ୍ରଭୁ ଚକା ବିଜେ କରିବା ପରେ ଆଜି ଅଣସର ନୀତି ଚକା ଉପରେ ସଂପନ୍ନ ହୋଇଛି। ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହୋଇଯାଇଛି। ଚକା ଉପରେ ବିଜେ ଅବସ୍ଥାରେ ମହାପ୍ରଭୁ ରକ୍ତବସ୍ତ୍ର(ଗାଢ଼ ନାଲି ରଙ୍ଗର ପାଟବସ୍ତ୍ର) ପରିଧାନ କରିଛନ୍ତି। ଗତକାଲି ଶ୍ରୀମନ୍ଦିରକୁ ବିଜେ ହୋଇଥିବା ‘ଦଶମୂ’’ ମୋଦକ ଆଜି ମହାପ୍ରଭୁଙ୍କୁ ଲାଗି କରାଯାଇଛି। ଆଜି ବିଳମ୍ୱିତ ରାତିରେ ଏସବୁ ନୀତି ସଂପନ୍ନ ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ଅନୁଭବ କରୁଛନ୍ତି। ମହାପ୍ରଭୁଙ୍କ ପସନ୍ଦର ତୁଳସୀ ବି ଶ୍ରୀଅଙ୍ଗରେ ଆଜିଠାରୁ ଲାଗି ହୋଇଛି।

ବର୍ଷର ସବୁଠୁ ବଡ଼ ସର୍ବାଙ୍ଗ ଚନ୍ଦନ ନୀତି, ଲାଗି ହେଲା ତୁଳସୀ
ସପ୍ତାବରଣ ଭିତର ଆବଦ୍ଧ ଶ୍ରୀଅଙ୍ଗ

ବରିଷ୍ଠ ଦଇତାପତି ବିଶ୍ୱାବସୁ ବିନାୟକ ଦାସମହାପାତ୍ରଙ୍କ ସୂଚନା ମୁତାବକ, ଆଜି ଖଳିଲାଗି ଏକାଦଶୀରେ ପ୍ରଥମେ ପଟିଦିଅଁଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ପଟିଦଅଁଙ୍କ ନିକଟରେ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ପରେ ଅଣସର ଦ୍ୱାର ଫିଟା ଯାଇଥିଲା। ପ୍ରତିଦିନ ଭଳି ଚକଟା ଓ ପଣା ଭୋଗ ହୋଇଥିଲା। ପରେ ସିଂଘାରୀ ସେବକମାନେ ପଟିଦିଅଁଙ୍କୁ ଚନ୍ଦନଲାଗି କରିଥିଲେ। ଏହି ସମୟରେ ଦଇତାପତି ସେବକମାନେ ଅଣସର ଘରେ ଥିବା ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ସଂପନ୍ନ କରିଥିଲେ। ଶ୍ରୀବିଗ୍ରହଙ୍କ ପୂରା ଶରୀରରେ ଚନ୍ଦନର ପ୍ରଲେପ ଦିଅଯାଇଥିଲା। ସର୍ବାଙ୍ଗ ଚନ୍ଦନ ନୀତି ପାଇଁ ପ୍ରାୟ ୭ କେଜି ଚନ୍ଦନର ପ୍ରଲେପ ପ୍ରସ୍ତୁତ ହୋଇଥିଲା। ଯେଉଁଥିରେ କସ୍ତୁରୀ, ଅଁଳା ଆଦି ମିଶ୍ରଣ କରାଯାଇଥିଲା। ଏହା ମହାପ୍ରଭୁଙ୍କ ସବୁଠୁ ବଡ଼ ସର୍ବାଙ୍ଗ ଚନ୍ଦନ ନୀତି। ଏହି ଚନ୍ଦନ ଶ୍ରୀଜିଉଙ୍କ ଦେହରେ ବର୍ଷେ ପର୍ଯ୍ୟନ୍ତ ରହିବ। ପୁନର୍ବାର ଆସନ୍ତା ବର୍ଷକୁ ଅଣସର ସମୟରେ ମହାପ୍ରଭୁଙ୍କ ଏହି ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହେବ ବୋଲି କହିଛନ୍ତି ଶ୍ରୀ ଦାସମହାପାତ୍ର।

ବରିଷ୍ଠ ଶୁଦ୍ଧ ସୁଆର ସେବକ ଲୋକନାଥ ସୁଆର କହିଛନ୍ତି, ସର୍ବାଙ୍ଗ ଚନ୍ଦନ ନୀତି ପରେ ଶ୍ରୀବିଗ୍ରହଙ୍କୁ ଗୀତ ଗୋବିନ୍ଦ ଖଣ୍ଡୁଆ ଲାଗି କରାଯାଇଥିଲା। ଅଣସର ପିଣ୍ଡିକୁ ଯିବା ଦିନଠାରୁ ଶ୍ରୀଜିଉମାନେ ଧଳାଫୁଲରେ ପୂଜା ପାଉଥିବା ବେଳେ ଆଜି ପ୍ରଥମ କରି ମହାପ୍ରଭୁଙ୍କ ପସନ୍ଦର ତୁଳସୀ ଲାଗି କରାଯାଇଥିଲା। ଶ୍ରୀଜିଉ ଆଜି ରକ୍ତବସ୍ତ୍ର ପରିଧାନ କରିଛନ୍ତି। ମାନବ ଦେହର ରକ୍ତ, ମାଂସର ଶରୀର ଭଳି ଆଜି ଶ୍ରୀଜିଉଙ୍କ ଦେହରେ ରକ୍ତବସ୍ତ୍ର ଲାଗି ପୂର୍ବକ ରକ୍ତ, ମାଂସର ଶରୀର ତିଆରି ହୋଇଛି। ପରେ ଶ୍ରୀଜିଉଙ୍କ ନିକଟରେ ଖଇ, ରାଜପ୍ରସାଦ ଭୋଗ ଲାଗି ହୋଇଥିଲା। ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ‘ଦଶମୂଳ’ ଶ୍ରୀଜିଉଙ୍କୁ ଲାଗି କରାଯାଇଥିଲା। ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସପ୍ତାବରଣ ଭିତରେ ଆବଦ୍ଧ। ଏହି ସପ୍ତାବରଣ ଭିତରେ ଆଜିର ଖଣ୍ଡୁଆ, ସର୍ବାଙ୍ଗ ଚନ୍ଦନ ଓ ଦଶମୂଳ ଲାଗି ଏକ ଆବରଣ। ପରେ ଖଳି ଓ ଖଡ଼ିର ଆବରଣ ଲାଗିବ। ପରେ ମହାପ୍ରଭୁଙ୍କ ଦେହ ବଜ୍ର ହେବ। ସେ ମହାବଳୀ ହୋଇଯିବେ। ଅନ୍ୟପଟେ ଶୁଦ୍ଧ ସୁଆରଙ୍କ ପକ୍ଷରୁ ଦୈନିକ ଦୁଇଥର ଅଣସର ପଣା ଲାଗି କରାଯାଉଛି।

ସମ୍ବନ୍ଧିତ ଖବର