ପୁରୀରେ ରାସ୍ତାକୁ ଫିଙ୍ଗିଦେଲେ ବସ୍ତା ବସ୍ତା ଶୁଖିଲା ମହାପ୍ରସାଦ; ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା

ପୁରୀ : ମହାପ୍ରଭୁଙ୍କ ମହାପ୍ରସାଦକୁ ଆଜି ଅଳିଆ ଗଦାରେ ଫିଙ୍ଗି ଦିଆଯାଇଛି। ଶ୍ରୀମନ୍ଦିର ମେଘନାଦ ପାଚେରୀ କଡ଼ରେ ପଡ଼ିଛି ବସ୍ତା ବସ୍ତା ଶୁଖିଲା ମହାପ୍ରସାଦ। କେଉଁଥିରେ ଖଜା, ଲୁଣି ଖୁରୁମା ତ’ କେଉଁଥିରେ ବଲ୍ଲଭ ଭୋଗ। ମହାପ୍ରଭୁଙ୍କ ମହାପ୍ରସାଦକୁ ଏଭଳି ଅସମ୍ମାନକୁ କେନ୍ଦ୍ର କରି ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀମନ୍ଦିର ପ୍ରଶାସନ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଭକ୍ତଙ୍କ ମହଲରେ ଦାବି ଉଠିଛି।

ଆଜି ଅପରାହ୍ଣରେ ଶ୍ରୀମନ୍ଦିର ଦକ୍ଷିଣଦ୍ବାର ପେଜନଳା ନିକଟ ଅଳିଆଗଦାରେ ଏକାଧିକ ଧଳା ବସ୍ତାରେ ଶୁଖିଲା ମହାପ୍ରସାଦ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। କିଏ ତାଳ ଭୋଗେଇ ଭିତରେ ପ୍ୟାକିଂ ହୋଇ ରହିଥିଲା ତ’ ଆଉ କେହି ରାସ୍ତାରେ ଏଣେତେଣେ ପଡ଼ିଥିଲେ। ଏହି ବାଟ ଦେଇ ଯାଉଥିବା କୁକୁର, ଗାଈଗୋରୁ ବି ଏହାକୁ ଖାଉଥିବା ଦେଖିବାକୁ ମିଳିଥିଲା। ପରେ ସ୍ଥାନୀୟ ଲୋକେ ଏହା ଦେଖିବା ପରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କାହିଁକି ନା ଯେଉଁ ଗାଈଗୋରୁ, କୁକୁରମାନେ ଏହାକୁ ଖାଉଥିଲେ, ସେମାନେ ଏହି ବସ୍ତାକୁ ରାସ୍ତାସାରା ଛିଡ଼ାଇ ଫିଙ୍ଗୁଥିଲେ। ମହାପ୍ରଭୁଙ୍କ ଏତେ ପରିମାଣର ମହାପ୍ରସାଦକୁ ରାସ୍ତାରେ ଅଳିଆଗଦାରେ ଫିଙ୍ଗିଦେବା ଘଟଣାକୁ ଭକ୍ତମାନେ ସହଜରେ ଗ୍ରହଣ କରି ପାରୁନାହାଁନ୍ତି। ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏ ସଂପର୍କରେ ସୁଆରମହାସୁଆର ନିଯୋଗ ସଂପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି, ମୁଁ ଏହି ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇଥିଲି ଓ ଘଟଣାର ତଦନ୍ତ କରିଥିଲି। ତଦନ୍ତ ପରେ ଆମ ନିଯୋଗ ଏଭଳି କିଛି କରିନଥିବା ଜଣାପଡ଼ିଥିଲା। ବୁଝିବାରେ ପୂଜାପଣ୍ଡା ନିଯୋଗ, ଭିତର ସେବାୟତ ନିଯୋଗ ଯାତ୍ରୀଙ୍କ ପାଇଁ ଯେଉଁ ଶୁଖିଲା ମହାପ୍ରସାଦ, ତାକୁ ଏଭଳି ଫିଙ୍ଗି ଦେଇଥିବା ଜଣାପଡ଼ିଥିଲା। କୋଭିଡ୍‌ କଟକଣା ପାଇଁ ମାର୍ଚ୍ଚରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିବାରୁ ଏହି ମହାପ୍ରସାଦ ବିକ୍ରି ହୋଇପାରିନଥିଲା। ପରେ ନଷ୍ଟ ହୋଇଯିବାରୁ ପୂଜାପଣ୍ଡା ନିଯୋଗ, ଭିତର ସେବାୟତ ନିଯୋଗ ଏହାକୁ ଫିଙ୍ଗି ଦେଇଥିବା ଶ୍ରୀ ପ୍ରତିହାରୀ କହିଛନ୍ତି।

ସମ୍ବନ୍ଧିତ ଖବର