ଅକୁହା ଭକ୍ତିର ଧାରା: ଭଙ୍ଗା କୁଡ଼ୁଆରେ ମହାପ୍ରସାଦ ଖାଉଛନ୍ତି ବିଦେଶୀ ଭକ୍ତ

ପୁରୀ: ପ୍ରସାଦ ଭିତରେ ସର୍ବୋତ୍ତମ, ଆତ୍ମତୃପ୍ତିରେ ସମସ୍ତଙ୍କ ମନ କିଣୁଥିବା ମହାବାହୁଙ୍କ ମହାପ୍ରସାଦ | ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦେଖିବାକୁ ଆସୁଥିବା ପ୍ରତିଟି ଭକ୍ତ ମନରେ ଥାଏ ମହାପ୍ରସାଦ ଟିକେ ପାଇବାର ଇଚ୍ଛା ଓ ଅଭିଳାଷ | ନା ଆବଶ୍ୟକ ଥାଏ କୌଣସି ହୋଟେଲ ନା ଆବଶ୍ୟକ ଥାଏ କୌଣସି ଖାଦ୍ୟ ଲାଳସା | ବିନା ତେଲ, ମସଲାରେ ପ୍ରସ୍ତୁତ ମହାପ୍ରସାଦ ଟିକକ ପାଇବା ପାଇଁ ଭକ୍ତ ମନରେ ଥାଏ ଅକୁଣ୍ଠ ଇଚ୍ଛା | କାଳିଆ ଠାକୁରଙ୍କ ପ୍ରସାଦ ଭାବେ ପରିଚିତ ମହାପ୍ରସାଦର ମହକ କାହିଁ ଦୂରଦୂରାନ୍ତରରୁ ଭକ୍ତକୁ ଟାଣିଆଣେ |

ମନ୍ଦିର ଯିବାରେ ହୁଏତ କଟକଣା ଥାଇପାରେ, କିନ୍ତୁ ମହାପ୍ରସାଦ ଖାଇବାରେ କୌଣସି କଟକଣା ନାହିଁ | ଆଜି ପୁରୀ ବଡଦାଣ୍ଡର ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି, ଯାହାକି ପ୍ରମାଣ କରିଛି ଭକ୍ତଟିଏ ପାଇଁ ତା ଭଗବାନ କେତେ ଗୁରୁତ୍ୱ ରଖେ | କାଳିଆର ଡୋରିରେ ବାନ୍ଧି ହୋଇ ସେହି ଚକାନୟନକୁ ଦେଖିବା ପାଇଁ ବିଦେଶରୁ ଛୁଟି ଆସିଥିଲେ ବିଦେଶୀ ଭକ୍ତ | ଦେଶ ବିଦେଶ ବୁଲିଥିବା ଏହି ବିଦେଶୀ ଭକ୍ତଙ୍କୁ ବାନ୍ଧି ରଖିପାରିନି ସୁସ୍ୱାଦୁ ଓ ତେଲ-ମସଲାରେ ଆଖିକୁ ଦେଖାଯାଉଥିବା ଖାଦ୍ୟ |

କାଳିଆ ପ୍ରତି ଥିବା ଭକ୍ତି ଯୋଗୁଁ ପୁରୀ ଆସିଛନ୍ତି ଓ ଭଙ୍ଗା କୁଡୁଆରେ ମହାପ୍ରସାଦ ଖାଉଛନ୍ତି | ଖାଦ୍ୟ ଲାଳସା ଏମାନଙ୍କୁ ଆକୃଷ୍ଟ କରିନି, ବରଂ ମହାପ୍ରଭୁଙ୍କ ପ୍ରସାଦ ହିଁ ସବୁ ଖାଦ୍ୟ ମଧ୍ୟରେ ସର୍ବୋତ୍ତମ, କିଛି ଏଭଳି ସନ୍ଦେଶ ଦେଇଛି | ଜାତି, ଧର୍ମ ନିର୍ବିଶେଷରେ ଜଗତର ନାଥଙ୍କ ଅମୃତ ତୁଲ୍ୟ ପ୍ରସାଦ ଭାଗ୍ୟରେ ଥିଲେ ହିଁ ମିଳେ ବୋଲି କହିଥିଲେ ବିଦେଶୀ ଦମ୍ପତ୍ତି |

ସମ୍ବନ୍ଧିତ ଖବର