ଅଳିଆଗଦାରେ ଫିଙ୍ଗିଦେଲେ ବସ୍ତା ବସ୍ତା ମହାପ୍ରସାଦ

ପୁରୀ : ନିର୍ମାଲ୍ୟ କଣିକା ଟିକିଏ ପାଇବା ପାଇଁ ଭକ୍ତମାନେ କାହିଁ କେତେ ଦୂରରୁ ଶ୍ରୀକ୍ଷେତ୍ର ଦୌଡ଼ି ଆସନ୍ତି। ‌ହେଲେ ମହାପ୍ରଭୁଙ୍କ ବସ୍ତା ବସ୍ତା ଶୁଖିଲା ମହାପ୍ରସାଦକୁ ଆଜି ଅଳିଆ ଗଦାରେ ଫିଙ୍ଗି ଦିଆଯାଇଛି। କେଉଁଥିରେ ଖଜା, ଲୁଣି ଖୁରୁମା ତ’ କେଉଁଥିରେ ବଲ୍ଲଭ ଭୋଗ। ମହାପ୍ରଭୁଙ୍କ ମହାପ୍ରସାଦକୁ ଏଭଳି ଅସମ୍ମାନକୁ କେନ୍ଦ୍ର କରି ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆଜି ଅପରାହ୍ଣରେ ଶ୍ରୀମନ୍ଦିର ଦକ୍ଷିଣଦ୍ବାର ପେଜନଳା ନିକଟ ଅଳିଆଗଦାରେ ଏକାଧିକ ଧଳା ବସ୍ତାରେ ଶୁଖିଲା ମହାପ୍ରସାଦ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। କିଏ ତାଳ ଭୋଗେଇ ଭିତରେ ପ୍ୟାକିଂ ହୋଇ ରହିଥିଲା ତ’ ଆଉ କେହି ରାସ୍ତାରେ ଏଣେତେଣେ ପଡ଼ିଥିଲେ। ଏହି ବାଟ ଦେଇ ଯାଉଥିବା କୁକୁର, ଗାଈଗୋରୁ ବି ଏହାକୁ ଖାଉଥିବା ଦେଖିବାକୁ ମିଳିଥିଲା। ପରେ ସ୍ଥାନୀୟ ଲୋକେ ଏହା ଦେଖିବା ପରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଭକ୍ତମାନେ ମହାପ୍ରସାଦକୁ ମହାପ୍ରଭୁଙ୍କ ତୁଲ୍ୟ ଭାବନ୍ତି। ମହାପ୍ରସାଦ ଦେଖି ଦେଲେ ମହାପ୍ରଭୁଙ୍କ ଦର୍ଶନ ମିଳିଗଲା ବୋଲି ଭାବନ୍ତି। କିନ୍ତୁ ମହାପ୍ରଭୁଙ୍କ ଏତେ ପରିମାଣର ମହାପ୍ରସାଦକୁ ଅଳିଆଗଦାରେ ଫିଙ୍ଗି ଦେବା ଘଟଣାକୁ ଭକ୍ତମାନେ ସହଜରେ ଗ୍ରହଣ କରି ପାରିନାହାନ୍ତି। ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏ ସଂପର୍କରେ ସୁଆରମହାସୁଆର ନିଯୋଗ ସଂପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି,‘ ମୁଁ ଏହି ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇଥିଲି ଓ ଘଟଣାର ତଦନ୍ତ କରିଥିଲି। ତଦନ୍ତ ପରେ ଆମ ନିଯୋଗ ଏଭଳି କିଛି କରିନଥିବା ଜଣାପଡ଼ିଥିଲା। ବୁଝିବାରେ ପୂଜାପଣ୍ଡା ନିଯୋଗ, ଭିତର ସେବାୟତ ନିଯୋଗ ଯାତ୍ରୀଙ୍କ ପାଇଁ ଯେଉଁ ଶୁଖିଲା ମହାପ୍ରସାଦ ରଖିଥିଲେ, ତାକୁ ଫିଙ୍ଗି ଦେଇଥିବା ଜଣାପଡ଼ିଥିଲା।’‘କୋଭିଡ୍‌ କଟକଣା ପାଇଁ ମାର୍ଚରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିବାରୁ ଏହି ମହାପ୍ରସାଦ ବିକ୍ରି ହୋଇପାରିନଥିଲା। ପରେ ନଷ୍ଟ ହୋଇଯିବାରୁ ପୂଜାପଣ୍ଡା ନିଯୋଗ, ଭିତର ସେବାୟତ ନିଯୋଗ ଏହାକୁ ଫିଙ୍ଗି ଦେଇଥିବା,’ ଶ୍ରୀ ପ୍ରତିହାରୀ କହିଛନ୍ତି। ଏ ସଂପର୍କରେ ସେ ପୂଜାପଣ୍ଡା ନିଯୋଗ ସହ ଆଲୋଚନା କରିଥିବା ସେ କହିଛନ୍ତି। ମହାପ୍ରସାଦକୁ ଏଭଳି ରାସ୍ତାରେ ଫିଙ୍ଗାଯିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ମହାପ୍ରସାଦକୁ ଏଭଳି ଅସମ୍ମାନ ଠିକ୍‌ ନୁହେଁ। ଏହାକୁ ଭକ୍ତଙ୍କୁ ବଣ୍ଟାଯାଇ ପାରିଥା’ନ୍ତା। ଯିଏ ବି ଏଭଳି କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ବୁଦ୍ଧିଜୀବୀ ଶ୍ୟାମପ୍ରକାଶ ସେନାପତି କହିଛନ୍ତି, ମହାପ୍ରଭୁଙ୍କ ମହାପ୍ରସାଦ ଭକ୍ତଙ୍କୁ ବଣ୍ଟା ନଯାଇ ରାସ୍ତାରେ ଏଭଳି ଅସମ୍ମାନ ପୂର୍ବକ ଫିଙ୍ଗିଦିଆଯିବା ଠିକ୍‌ ନୁହେଁ। ଶ୍ରୀମନ୍ଦିର ପ୍ରଶାସନ ତଥା ମୁଖ୍ୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର