କାର୍ତ୍ତିକରେ ଭକ୍ତଙ୍କୁ ମିଳିବ ମହାପ୍ରସାଦ : ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ କରାଯାଉଛି ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ : ପବିତ୍ର କାର୍ତ୍ତିକ ମାସରେ ସୁବ୍ୟବସ୍ଥିତ ଢଙ୍ଗରେ ଭକ୍ତଙ୍କୁ ଯୋଗାଇ ଦିଆଯିବ ମହାପ୍ରସାଦ। ଏଥିପାଇଁ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସେଡ୍ ବ୍ୟବସ୍ଥା କରାଯାଉଛି। ଏହି ସେଡ୍ ଦେଇ ଭକ୍ତମାନେ ଧାଡିରେ ଆସି ଟୋକନ କାଟି ମହାପ୍ରସାଦ ନେଇପାରିବେ। ଏଥିପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଦୁଇଟି କାଉଣ୍ଟର ଖୋଲାଯିବ ବୋଲି ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି।

ଶ୍ରୀ ପ୍ରତିହାରୀଙ୍କ ସୂଚନା ମୁତାବକ, ଗତକାଲି ଛତିଶାନିଯୋଗ ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା। ମହାପ୍ରସାଦ ପାଇଁ ସେଡ ଓ କାଉଣ୍ଟର କରିବା ଉପରେ ମତ ପ୍ରକାଶ ପାଇଥିଲା। ଏହି ଦାବି ମୁତାବକ ଜିଲ୍ଲା ପ୍ରଶାସନ ଆଜିଠାରୁ ସେଡ ବ୍ୟବସ୍ଥା କରୁଛି। ଦୁଇ ଦ୍ୱାରରେ ହେଉଥିବା ସେଡର ଲମ୍ବ ୫୦ ଫୁଟ ଓ ଓସାର ୫୦ ଫୁଟ ରହିବ। ପ୍ରତି ସେଡ଼ରେ ୫ଟି ଧାଡି ରହିବ। ଭକ୍ତମାନେ ଧାଡିରେ ରହି ଆବଶ୍ୟକ ପରିମାଣର ଟୋକନ କାଟି ଓ ତାଙ୍କ ଦେଇ ମହାପ୍ରସାଦ ବରାଦ କରିବେ। ନିଯୋଗ ତରଫରୁ ନିଯୁକ୍ତ ବୋଝିଆ ଆନନ୍ଦ ବଜାରରୁ ବରାଦ ମୁତାବକ ମହାପ୍ରସାଦ ଆଣିଦେବେ। ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଏଥିପାଇଁ ୩ଜଣ ଲେଖାଏଁ ବୋଝିଆ ରହିବେ। ସେହିଭଳି ବରାଦି ପାଇଁ ନିଯୋଗ ଦୁଇଟି ନମ୍ବର ଜାରି କରିବ। ଏଥିରେ ଯୋଗାଯୋଗ କରି ଭକ୍ତ ମହାପ୍ରସାଦ ବରାଦ କରିପାରିବେ ବୋଲି ଶ୍ରୀ ପ୍ରତିହାରୀ କହିଛନ୍ତି।

ଏଥସହିତ ସାଧାରଣ ଭକ୍ତ ଓ ହବିଷ୍ୟାଳୀଙ୍କ ନିକଟରେ ମହାପ୍ରସାଦ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଫୋନ୍ ମାଧ୍ୟମରେ ବରାଦ କରାଗଲେ ସଂପୃକ୍ତ ଭକ୍ତଙ୍କ ଘରକୁ ମଧ୍ୟ ମହାପ୍ରସାଦ ପଠାଇ ଦିଆଯାଇପାରି ବୋଲି ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର