କୋଠଭୋଗରୁ ଧାର୍ଯ୍ୟ ହେବ ଅବଢ଼ା ଦର

ସୁଆର ମହାସୁଆର ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ବୈଠକ

ପୁରୀ: ଅବଢ଼ା ଦର ତାଲିକାକୁ ନେଇ ସୁଆର ମହାସୁଆର ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ବୈଠକରେ ଅବଢ଼ାର ଦରଧାର୍ଯ୍ୟକୁ ନେଇ ବିସ୍ତୃତ ଆଲୋଚନା ପରେ କୋଠଭୋଗରୁ ଖର୍ଚ୍ଚ ଆକଳନ ଭିତ୍ତିରେ ଦର ଚୂଡ଼ାନ୍ତ କରିବାକୁ ନିଷ୍ପତ୍ତି ହୋଇଛି। ମୂଳଖର୍ଚ୍ଚ ଆକଳନ ପରେ ଲାଭାଂଶ କେତେ ରଖାଯିବ ତାହା ଚୂଡ଼ାନ୍ତ ହେବ। ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ଦର ଅନୁମୋଦନ ପରେ ଦର ତାଲିକା ଆନନ୍ଦ ବଜାର ଓ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଲଗାଯିବ। ସେହିପରି ଦର ତାଲିକା ଓ ଆନନ୍ଦ ବଜାରରେ ଅବଢ଼ା କିଣାକୁ ନେଇ ଶୃଙ୍ଖଳା ଆଣିବା ପାଇଁ ଆନନ୍ଦ ବଜାରରେ ଅଭିଯୋଗ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, କୋଠଭୋଗ ରୋଷେଇ ଦାୟିତ୍ବରେ ଥିବା ସେବକଙ୍କୁ ପରୀକ୍ଷାମୂଳକ ଅବଢ଼ା ରୋଷେଇ ପାଇଁ ନିର୍ଦିଷ୍ଟ ପରିମାଣର ଚାଉଳ, ଡାଲି, କୁଡ଼ୁଆ ଆଦି ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେବ। କୋଠଭୋଗରେ ଏହାକୁ ରୋଷେଇ କରାଯାଇ ମୂଳଖର୍ଚ୍ଚ ଆକଳନ ହେବ। ଖର୍ଚ୍ଚ ଆକଳନ ପରେ ଲାଭାଂଶ କେତେ ରଖାଯିବ ତାହା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇ ଅବଢ଼ା ବିକ୍ରି ହେବ। ଅବଢ଼ା ରନ୍ଧା ସମୟରେ ଶ୍ରୀମନ୍ଦିର ଦେଉଳକରଣ ଓ ଶ୍ରୀମନ୍ଦିର ସୁପର୍‌ଭାଇଜର ଉପସ୍ଥିତ ରହି ନିରୀକ୍ଷଣ କରିବେ। ଆନନ୍ଦ ବଜାରରେ ଏକ ଅଭିଯୋଗ କେନ୍ଦ୍ର ଖୋଲିବ। ଏଠାରେ ସୁଆର ମହାସୁଆର ନିଯୋଗର ପ୍ରତିନିଧି ଓ ଶ୍ରୀମନ୍ଦିର ପ୍ରଶାସନର ପ୍ରତିନିଧିମାନେ ଉପସ୍ଥିତ ରହିବେ। ଏମାନେ ମହାପ୍ରସାଦ କ୍ରେତାଙ୍କ ଅଭିଯୋଗ ଗ୍ରହଣ କରି ଆଶୁ ସମାଧାନ କରିବେ। ଏଠାରେ ଜଣେ ପୁଲିସ କର୍ମଚାରୀଙ୍କୁ ମୁତୟନ କରିବାକୁ ବି ନିଷ୍ପତ୍ତି ହୋଇଛି। ଆନନ୍ଦ ବଜାରରେ କେହି ଶ୍ରଦ୍ଧାଳୁଙ୍କୁ ଅବଢ଼ା କିଣିବା ପାଇଁ ବାଧ୍ୟ କରିପାରିବେନି କି ଡାକି ପାରିବେନି। ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଯଦି କେହି ଏହାକୁ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଛି। ଆଉ କିଛି ଦିନ ପରେ କାର୍ତିକ ମାସ ପଡ଼ୁଥିବାରୁ ପୁରୀ ଆସି ରହୁଥିବା ହବିଷ୍ୟାଳିଙ୍କୁ ମହାପ୍ରସାଦ ଯୋଗାଣ ସଂପର୍କରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସେପଟେ ଚଳିତ ବର୍ଷ ରଥଯାତ୍ରାର ସେବକ ପୁରସ୍କାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଧାରଣ କରାଯାଇ ବଣ୍ଟନ କାର୍ଯ୍ୟ ବି ଆରମ୍ଭ ହୋଇଛି। ‌ବୈଠକରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଆରକ୍ଷୀ ଅଧୀକ୍ଷକ ସାର୍ଥକ ଷଡ଼ଙ୍ଗୀ, ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, ସୁଆର ମହାସୁଆର ନିଯୋଗ ସଂପାଦକ କୃଷ୍ଣଚନ୍ଦ୍ର ସାମନ୍ତରା, ବୈଦ୍ୟନାଥ ମହାସୁଆର, କାଳିଆ ପଢ଼ିଆରୀ, ଧୁନା ଦିକ୍ଷୀତ୍ ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀମନ୍ଦିର ପ୍ରଶାସନ ଦେବ ରନ୍ଧନ ସାମଗ୍ରୀ
ଆନନ୍ଦ ବଜାରରେ ଖୋଲିବ ଅଭିଯୋଗ କେନ୍ଦ୍ର
ଶ୍ରଦ୍ଧାଳୁଙ୍କୁ ଅବଢ଼ା କିଣିବାକୁ ବାଧ୍ୟ କଲେ କାର୍ଯ୍ୟାନୁଷ୍ଠାନ

ପରୀକ୍ଷାମୂଳକ ଅବଢ଼ା ରନ୍ଧାକୁ ବିରୋଧ
ପୁରୀ: ପରୀକ୍ଷାମୂଳକ ଅବଢ଼ା ରନ୍ଧାକୁ ନେଇ ଆଜି ବିସ୍ତୃତ ଆଲୋଚନା ହୋଇଥିବାବେଳେ ରୋଷେଇ ଓ ଦର ନିର୍ଧାରଣକୁ ସୁଆର ମହାସୁଆର ନିଯୋଗ ବିରୋଧ କରିଛି। ଦରଦାମ ଯେଉଁଭଳି ବୃଦ୍ଧି ପାଉଛି, ସେଭଳି ପରିସ୍ଥିତିରେ ଅବଢ଼ାର ଦର ନିର୍ଧାରଣ ଅସମ୍ଭବ ବୋଲି ନିଯୋଗ ଯୁକ୍ତି ବାଢ଼ିଥିଲା। ଏହି ଯୁକ୍ତିତର୍କ ଭିତରେ ପରୀକ୍ଷାମୂଳକ ଅବଢ଼ା ରୋଷେଇ ନେଇ ନିଷ୍ପତ୍ତି ହୋଇ ପାରିନଥିଲା। ଫଳରେ ପୂର୍ବ ବୈଠକରେ ନୃସିଂହ ମନ୍ଦିରରେ ଅବଢ଼ା ରୋଷେଇ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଯେଉଁ ନିଷ୍ପତ୍ତି ହୋଇଥିଲା, ସେଥିରେ ପରିବର୍ତନ କରାଯାଇଛି। ଉପାୟଶୂନ୍ୟ ଶ୍ରୀମନ୍ଦିର ପ୍ରଶାସନ ‌ଶେଷରେ ନୃସିଂହ ମନ୍ଦିର ବଦଳରେ କୋଠଭୋଗରେ ପରୀକ୍ଷାମୂଳକ ଅବଢ଼ା ‌ରାନ୍ଧିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ନିଜେ ଚାଉଳ, ଡାଲିଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆବଶ୍ୟକ ଜିନିଷ ଯୋଗାଇ ଦେବ ବୋଲି କହିଛି।

ସମ୍ବନ୍ଧିତ ଖବର