ଭୁବନେଶ୍ବର: ରାଜ୍ୟ ସରକାରଙ୍କ ‘ମହାପ୍ରୟାଣ’ ଯୋଜନା ମାଗଣା ନା ଦେୟଯୁକ୍ତ? ଏହାକୁ ନେଇ ରାଜ୍ୟବ୍ୟାପୀ ଏକ ବଡ଼ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦେଶନାମାରେ ହସ୍ପିଟାଲରୁ ମୃତଦେହକୁ ନେବା ଖର୍ଚ୍ଚ ମାଗଣା ରହିଥିବା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ହେଲେ ହାତଗଣତି କିଛି ଜିଲ୍ଲାରେ ଲୋକମାନେ ମାଗଣା ସେବା ପାଉଥିବା ବେଳେ ଅନେକ ଜିଲ୍ଲାରେ କିଲୋମିଟର ପିଛା ଟଙ୍କା ଆଦାୟ କରାଯାଉଛି। ଏହାର ପୁଣି ଭିନ୍ନ ଭିନ୍ନ ଦର ରହିଛି। ତେଣୁ ଯେଉଁମାନଙ୍କୁ ମାଗଣାରେ ସେବା ଦେବା ପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲା ସେମାନେ ଏଥିରୁ ବଞ୍ଚିତ ହେଉଛନ୍ତି।
ନିକଟରେ ଖୋର୍ଧା ଜିଲ୍ଲା ପ୍ରଶାସନ କ୍ୟାପିଟାଲ ହସ୍ପିଟାଲରେ ‘ମହାପ୍ରୟାଣ’କୁ ମାଗଣା ଘୋଷଣା କରିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କୁ ଶବ ନେବା ପାଇଁ ଆମ୍ବୁଲାନ୍ସ ନ ମିଳିବା ନେଇ ବିବାଦ ପରେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଥିଲା। ସେହିପରି ଭିମ୍ସାର, ବୁର୍ଲାରେ ଏହି ସେବା ମାଗଣା ଥିବା ବେଳେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଏହି ସ୍ଥିତି ରହିଛି। ମାତ୍ର ଅନୁଗୁଳ, ବାଲେଶ୍ବର, ନୟାଗଡ଼, କନ୍ଧମାଳ ଭଳି ଜିଲ୍ଲାରେ କି.ମି ପିଛା ଟଙ୍କା ନିଆଯାଉଛି। କେଉଁଠି ପ୍ରଥମ ୧୦ କି.ମି ପାଇଁ ୩ଶହ ଟଙ୍କା ତ ଆଉ କେଉଁଠି ୪୦ କି.ମି ପାଇଁ ୫ଶହ। କିଛି ଜିଲ୍ଲାରେ ଜିଲ୍ଲା ଭିତରେ କି.ମି ପିଛା ଗାଡ଼ି ବାବଦରେ ୧୦ଟଙ୍କା ରହିଛି। ଅନେକ ଜିଲ୍ଲାରେ ଯଥେଷ୍ଟ ସଂଖ୍ୟକ ଶବ ବାହକ ଗାଡ଼ି ମଧ୍ୟ ନାହିଁ। ତେବେ ଦେଢ଼ ବର୍ଷ ତଳୁ ସାଧାରଣ ପ୍ରଶାସନ ବିଭାଗର ନିର୍ଦେଶନାମା ଜାରି କରିଥିବା ବେଳେ ଜିଲ୍ଲାମାନଙ୍କରେ କାହିଁକି କାର୍ଯ୍ୟକାରୀ ହୋଇପାରୁନାହିଁ? କିଛି ଜିଲ୍ଲାରେ ନିର୍ଦେଶନାମା ଅନୁଯାୟୀ ପରିଚାଳନା କମିଟି ମଧ୍ୟ ନାହିଁ। ଦାନ ମାଝୀ ଘଟଣା ପରେ ରାଜ୍ୟ ସରକାର ‘ମହାପ୍ରୟାଣ’ ଯୋଜନା ଆରମ୍ଭ କରିଥିଲେ। ରାଜ୍ୟର ୩୦ ଜିଲ୍ଲାରେ ବିଭିନ୍ନ ସରକାରୀ
ଡାକ୍ତରଖାନାରେ କେତେ ମୃତ୍ୟୁ ହେଉଛି ତାହାର ଏକ ହାରହାରି ସ୍ଥିତିକୁ ନେଇ ଶବ ବାହକ ଗାଡ଼ି ନିୟୋଜିତ ଉପରେ ଗୁରୁତ୍ବ ଦିଆଯାଇଥିଲା। ୨୦୧୮/୧୯ ମସିହାରେ ରାଜ୍ୟରେ ସରକାରୀ ଡାକ୍ତରଖାନାରେ ଦୈନିକ ୧୩୯ଜଣଙ୍କ ମୃତ୍ୟୁ ହେଉଥିବା ବେଳେ ମାସକୁ ୪୧୬୯ଜଣଙ୍କ ମୃତ୍ୟୁ ହେଉଥିବା ଦର୍ଶାଯାଇଥିଲା। ଗତବର୍ଷ ମେ’ ୧୮ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କ ପାଇଁ ‘ମହାପ୍ରୟାଣ’ର ସଂଶୋଧିତ ନିର୍ଦେଶାବଳୀ ଜାରି ହୋଇଥିଲା। ଏଥିରେ ଜିଲ୍ଲା ଭିତରେ ସରକାରୀ ହସ୍ପିଟାଲରୁ ଶବ ବାହକ(ଡିବିସି) ଗାଡ଼ି ସଂପୃକ୍ତ ମୃତକଙ୍କ ଘର କିମ୍ବା ଶ୍ମଶାନ ନିକଟକୁ ମାଗଣା ନେବା ପାଇଁ କୁହାଯାଇଛି। ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଜିଲ୍ଲା ରେଡକ୍ରସ୍ ସୋସାଇଟି ଏହାକୁ କାର୍ଯ୍ୟକାରୀ କରିବ। ଏଥିପାଇଁ ଜିଲ୍ଲାରେ ଏକ ମହାପ୍ରୟାଣ କମିଟି ଗଠନ କରାଯିବ। ଏଥିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିଛନ୍ତି। ସିଡିଏମ୍ଓ/ମେଡିକାଲ କଲେଜର ଅଧୀକ୍ଷକ, ଆରଟିଓ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ଡିଏଲଓ, ଏଡିଏମ୍ଓ(ମେଡିକାଲ) ସଦସ୍ୟ ଥିବା ବେଳେ ଡେପୁଟି କଲେକ୍ଟର(ରେଡକ୍ରସ୍) ସଦସ୍ୟ ଆବାହକ ରହିବେ। ରାଜ୍ୟ ସରକାରଙ୍କ ନିଜସ୍ବ ଗାଡ଼ି କିମ୍ବା ଜିଲ୍ଲା ପ୍ରଶାସନ କୌଣସି ଏଜେନ୍ସି ଜରିଆରେ ଏହି ସେବା ପ୍ରଦାନ କରିପାରିବେ। ତେବେ କେତେକ ସ୍ବତନ୍ତ୍ର ଘଟଣାରେ ଜିଲ୍ଲାପାଳଙ୍କ ଅନୁମତିରେ ଏହି ଶବ ବାହକ ଗାଡ଼ି ଜିଲ୍ଲା ବାହାରକୁ ଯାଇପାରିବ।
ଜିଲ୍ଲାରେ ଶବ ବାହକ ଗାଡ଼ି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କିମ୍ବା ସଂଘ ଦ୍ବାରା ପରିଚାଳିତ ହେବ। ଜିଲ୍ଲା ମହାପ୍ରୟାଣ କମିଟି ଦ୍ବାରା ଏକାଧିକ ଗୋଷ୍ଠୀଙ୍କୁ ଏଥିପାଇଁ ଚୟନ କରାଯାଇପାରିବ। ଶବ ବାହକ ଗାଡ଼ିର ଡ୍ରାଇଭରଙ୍କ ନିଯୁକ୍ତି, ରକ୍ଷଣାବେକ୍ଷଣ ପାଇଁ ଏସ୍ଏଚ୍ଜି ଗୋଷ୍ଠୀଙ୍କୁ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରଦାନ କରାଯିବ। ଗୋଟିଏ ମାସରେ ଗାଡ଼ିର ପରିଭ୍ରମଣ ବାବଦ ଇନ୍ଧନ ଖର୍ଚ୍ଚ ଏଜେନ୍ସି ଦ୍ବାରା ନିୟୋଜିତ ସଂସ୍ଥାକୁ ପ୍ରଦାନ କରାଯିବ। କମିଟି ଚାହିଁଲେ ଏକାଧିକ ଗାଡ଼ି ମଧ୍ୟ ନିୟୋଜିତ କରିପାରିବେ। ଶବ ବାହକ ଗାଡ଼ିର ପରିଚାଳନା ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଜିଲ୍ଲା ରେଡକ୍ରସ୍ ସୋସାଇଟିର ଅନୁମୋଦନ ପରେ ହିଁ ଭରଣା କରାଯିବ। ରେଡକ୍ରସ୍ ସୋସାଇଟି ଗାଡ଼ି ପରିଚାଳନା ସମ୍ବନ୍ଧୀୟ ସମସ୍ତ ଖର୍ଚ୍ଚର କାଗଜପତ୍ରର ରେକର୍ଡ ରଖିବା ଲାଗି ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
‘ମହାପ୍ରୟାଣ’ ଗାଡ଼ିର ସେବା ମାଗଣା ଥିବା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲେ ବି ଲୋକଙ୍କଠାରୁ ଟଙ୍କା ଆଦାୟ କରାଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ନାମ ଗୋପନ ସର୍ତରେ ଜଣେ ସିଡିଏମ୍ଓ କହିଛନ୍ତି, ଜିଲ୍ଲାରେ ଥିବା ଏସ୍ଏଚ୍ଜି ଗ୍ରୁପ୍ଙ୍କୁ ଏହାର ପରିଚାଳନା ଦାୟିତ୍ବ ନେବା ଲାଗି ନିବେଦନ କରାଯାଇଥିଲା। ମାତ୍ରାଧିକ ଯୋଜନାର ଚାପ କାରଣରୁ ସେମାନେ ଏହାର ଦାୟିତ୍ବ ନେବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ମାତ୍ର ଖୁବଶୀଘ୍ର ଏକ କମିଟି ଗଠନ କରାଯିବ। ସଂଶୋଧିତ ଗାଇଡଲାଇନ୍ ଅନୁଯାୟୀ ମହାପ୍ରୟାଣ ସେବାକୁ ମାଗଣା କରାଯିବ ବୋଲି ସିଡିଏମ୍ଓ ଜଣକ ସୂଚନା ଦେଇଛନ୍ତି।