ସଚିବାଳୟରେ ନୂଆ ରୂପ ପାଇବ ମହାପୁରୁଷଙ୍କ ତୈଳଚିତ୍ର

ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ନୂଆ ରୂପ ପାଇବ ମହାପୁରୁଷମାନଙ୍କ ତୈଳଚିତ୍ର। ଏଥି ପାଇଁ ସଂସ୍କୃତି ବିଭାଗ ପକ୍ଷରୁ କାମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୧ଟି ତୈଳଚିତ୍ର ସେଠାରୁ ନିଆଯାଇ ନୂଆ କରି ପ୍ରସ୍ତୁତ କରାଯାଉଥିଲା ବେଳେ ଆଗାମୀ ଦିନରେ ଆଉ ୮ଟି ତୈଳଚିତ୍ର ନିଆଯିବ।

ସଚିବାଳୟରେ ପୋର୍ଟିକୋରେ ଏବଂ ପ୍ରଥମ ଦୁଇ ମହଲାର ପାହାଚ ନିକଟ କାନ୍ଥରେ ଓଡ଼ିଶା ପ୍ରତି ଅବଦାନ ରଖିଥିବା ମହାପୁରୁଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ତୈଳଚିତ୍ର ଲଗାଯାଇଛି। ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଏମିତି ମୋଟ୍‌ ୧୯ ଜଣଙ୍କ ତୈଳଚିତ୍ର ସେଠାରେ ଲଗାଯାଇଛି। ଦୀର୍ଘ ଦିନ ଧରି ସେଗୁଡ଼ିକ ଲଗାଯାଇଥିବାରୁ ତାହା ନଷ୍ଟ ହୋଇ ଆସୁଥିଲା। ତେଣୁ ତାହାକୁ ବଦଳାଇବା ପାଇଁ ସଂସ୍କୃତି ବିଭାଗ ପକ୍ଷରୁସାଧାରଣ ପ୍ରଶାସନ ବିଭାଗର ଅନୁମତି ଲୋଡ଼ାଯାଇଥିଲା। ସାଧାରଣ ପ୍ରଶାସନ ବିଭାଗରୁ ଅନୁମତି ମିଳିଲା ପରେ ରାଜ୍ୟ ଲଳିତ କଳା ଏକାଡେମିକୁ ନୂଆ ତୈଳଚିତ୍ର ପ୍ରସ୍ତୁତିର ଦାୟିତ୍ୱ ଦିଆଯାଇଛି।

ଗତ ମାସରେ ପାହାଚ ନିକଟ କାନ୍ଥରେ ଥିବା ୧୧ଟି ତୈଳଚିତ୍ରକୁ ଏକାଡେମି ପକ୍ଷରୁ ଖୋଲାଯାଇଥିଲା। କେବଳ ବିଜୁ ପଟ୍ଟନାୟକଙ୍କ ତୈଳଚିତ୍ରକୁ ଖୋଲାଯାଇ ନାହିଁ। ଯେହେତୁ ବିଜୁ ପଟ୍ଟନାୟକଙ୍କ ତୈଳଚିତ୍ର ନିକଟରେ ସ୍ଥାପନ କରାଯାଇଛି, ତେଣୁ ତାହା ନଷ୍ଟ ହୋଇ ନାହିଁ। ଖୋଲାଯାଇଥିବା ତୈଳଚିତ୍ରର ମହାପୁରୁଷଙ୍କ ମଧ୍ୟରେ ଅଛନ୍ତି ମହାତ୍ମା ଗାନ୍ଧୀ, ବୀର ସୁରେନ୍ଦ୍ର ସାଏ, ରମାଦେବୀ, ଲକ୍ଷ୍ମଣ ନାୟକ ପ୍ରମୁଖ।

ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ ଖୋଲାଯାଇଥିବା ତୈଳଚିତ୍ରଗୁଡ଼ିକ ଆଉ ଥରେ ପ୍ରସ୍ତୁତ କରାଯାଉଛି। ବର୍ଷା ଯୋଗୁଁ କାର୍ଯ୍ୟ ଶେଷ ହେବାରେ ବିଳମ୍ବ ହୋଇଛି। ଆସନ୍ତା ସପ୍ତାହରେ ସେଗୁଡ଼ିକୁ ସ୍ଥାପନ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ପୋର୍ଟିକୋରେ ଥିବା ତୈଳଚିତ୍ରଗୁଡ଼ିକୁ ଖୋଲାଯାଇ ନୂଆ କରି ଲଗାଯିବ। ଏହି ନବୀକରଣ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅର୍ଥ ବରାଦ କରାଯାଇଛି।

ସମ୍ବନ୍ଧିତ ଖବର