ଭୁବନେଶ୍ବର: ଓଡ଼ିଆ ଭାଷାକୁ ନେଇ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ନିର୍ମାଣର ଅନ୍ୟତମ ବିନ୍ଧାଣୀ ଥିଲେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ। ସମୃଦ୍ଧ ଓଡ଼ିଆ ଜାତି ଗଠନ ପାଇଁ ସେ କୃଷି ଓ ଶିକ୍ଷାର ପ୍ରସାରକୁ ବି ଗୁରୁତ୍ବ ଦେଇଥିଲେ। ତେଣୁ ତାଙ୍କ ଜନସେବା, ସ୍ବଦେଶପ୍ରୀତି ଓ ସୁଶାସନ ପାଇଁ ସେ ଚରିକାଳ ସ୍ମରଣୀୟ ହୋଇରହିବେ। ସେ ହେଉଛନ୍ତି ଓଡ଼ିଆ ଜାତିର ଅବିସ୍ମରଣୀୟ ବ୍ୟକ୍ତିତ୍ବ। ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ପାରଳା ଗଜପତି ବିକାଶ ମଞ୍ଚ ପକ୍ଷରୁ ମଙ୍ଗଳବାର ଜୟଦେବ ଭବନଠାରେ ଆୟୋଜିତ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହର ମୁଖ୍ୟ ଅତିଥି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏପରି କହିଛନ୍ତି।

Advertisment

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀ ପାତ୍ର ଆହୁରି କହିଥିଲେ ଯେ ମହାରାଜାଙ୍କ ସ୍ବତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର ପ୍ରଭାବୀ ଅବଦାନକୁ ଓଡ଼ିଆ ଜାତି କେବେ ଭୁଲିପାରିବନାହିଁ। ସେ ପାରଳା ଅଞ୍ଚଳରେ କରିଥିବା ଜଳସେଚନ ବ୍ୟବସ୍ଥା ଆଜି ବି ଚାଷୀମାନଙ୍କ ପାଇଁ ବହୁ ଉପାଦେୟ ହୋଇ ରହିଛି। ଆଜି ବି ଦକ୍ଷିଣ ଓଡ଼ିଶାର ଚାଷୀ ଓ ତେଲୁଗୁ ଚାଷୀମାନେ ଲାଭବାନ ହୋଇପାରୁଛନ୍ତି। କୃଷକର ଉନ୍ନତି ଓଡ଼ିଆ ଜାତିର ଉନ୍ନତି ବୋଲି ସେ ଚିନ୍ତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ତଥା ଗବେଷକ ଡ. ଗିରୀଶ ପ୍ରସାଦ ସ୍ବାଇଁ ଯୋଗ ଦେଇଥିଲେ। ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ଶିକ୍ଷାକ୍ଷେତ୍ର ପ୍ରତି ଅବଦାନ ବିଷୟରେ ଆଲୋକପାତ କରିଥିଲେ। ତାଙ୍କ ଶାସନ କାଳରେ ଶିକ୍ଷାର ବିକାଶ ପା‌ଇଁ ସେ ନିଜ ଉଦ୍ୟମ ଓ ନିଜସ୍ବ ଅର୍ଥ ବ୍ୟୟରେ ପାରଳା ମହାବିଦ୍ୟାଳୟ ସ୍ଥାପନ କରିଥିଲେ ବୋଲି ଡ. ସ୍ବାଇଁ କହିଥିଲେ। ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ସେ ସବୁବେଳେ ଚିନ୍ତା କରୁଥିଲେ। ଶିକ୍ଷା ବିନା କୌଣସି ଜାତି ବିକଶିତ ହୋଇପାରିନାହିଁ ବୋଲି ମହାରାଜା ସବୁବେଳେ ଚିନ୍ତା କରୁଥିବା ନେଇ ସେ ଉଦାହରଣ ଛଳରେ କହିଥିଲେ।

କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ମହାରାଜା କୃଷ୍ଣଚନ୍ଦ୍ରଙ୍କୁ ବିକାଶ ଓ ସ୍ବାଭିମାନର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ। ଅନ୍ୟତମ ଅତିଥି ‘ଉତ୍କଳ ପ୍ରସଙ୍ଗ’ର ସଂପାଦକ ଲେନିନ୍ ମହାନ୍ତି କହିଲେ ଯେ ଶିକ୍ଷା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିବାରେ ମହାରାଜା କୃଷ୍ଣଚନ୍ଦ୍ର ଦେବଙ୍କ ଭୂମିକା ଥିଲା ଅନନ୍ୟ। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିବା ବେଳେ ପାରଳା ଗଜପତି ବିକାଶ ମଞ୍ଚ ସଭାପତି ରାହାସ ବିହାରୀ ମହାନ୍ତି ଧନ୍ୟବାଦ ଦେଇଥିଲେ। ସୂଚନା ଅଧିକାରୀ ପ୍ରମିଳା ମାଝି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଦିଗପହଣ୍ଡିର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ପକ୍ଷରୁ ସଖୀ ନାଟ ଓ ଘୁଡୁକି ନାଚ ପରିବେଷଣ କରାଯାଇଥିଲା।

କୃଷି ଓ ଶିକ୍ଷାକ୍ଷେତ୍ର ପ୍ରତି ମହାରାଜାଙ୍କ ଅବଦାନ ଅତୁଳନୀୟ

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସାଙ୍ଗକୁ କୃଷି ଓ ଶିକ୍ଷା କ୍ଷେତ୍ର ପ୍ରତି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଅତୁଳନୀୟ। କୃଷିଭିତ୍ତିକ ଅର୍ଥନୀତି ହିଁ ଦେଶ ଓ ରାଜ୍ୟର ପ୍ରକୃତ ମେରୁଦଣ୍ଡ ବୋଲି ମହାରାଜା କୃଷ୍ଣଚନ୍ଦ୍ର ଦେବ ବୁଝିପାରିଥିଲେ ଓ ସେଥିପାଇଁ ସେ ରାଜ୍ୟରେ ଜଳସେଚନର ବ୍ୟବସ୍ଥା କରିଥିଲେ। ମହାରାଜାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ, ତାହା ହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ପାରଳା ଗଜପତି ବିକାଶ ମଞ୍ଚ ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ମହାରାଜାଙ୍କ ୧୩୧ତମ ଜୟନ୍ତୀ ସମାରୋହର ମୁଖ୍ୟ ଅତିଥି ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ କୁମାର ରଥ ଏପରି କହିଛନ୍ତି।

ବିକାଶ ମଞ୍ଚର ସଭାପତି ରାହାସବିହାରୀ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବହ୍ମପୁର ଓ ଭାବନୀପାଟଣା ଆକାଶବାଣୀ କେନ୍ଦ୍ର ନିର୍ଦ୍ଦେଶକ ହୃଷୀକେଶ ପାଣିଗ୍ରାହୀ ଯୋଗଦେଇଥିଲେ। ପାରଳା ସଂସ୍କୃତି ପବିତ୍ର ସଂସ୍କୃତି ଓ ଏଥିରୁ ଓଡ଼ିଶାର ସଂସ୍କୃତି ସୃଷ୍ଟି ହୋଇଛି ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ। ରାମସାଗରରେ ଗଜପତି କୃଷ୍ଣଚନ୍ଦ୍ର ଦେବଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ସରକାରଙ୍କ ପାଖରେ ଦାବି ରଖିବାକୁ ଶ୍ରୀ ପାଣିଗ୍ରାହୀ କହିଛନ୍ତି। ସମ୍ମାନିତ ଅତିଥି ବିଶିଷ୍ଟ ଜୀବନୀକାର ସତ୍ୟନାରାୟଣ ମହାପାତ୍ର ମହାରାଜାଙ୍କର ପ୍ରଶାସନିକ ଦକ୍ଷତା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ଭୃଗୁ ବକ୍ସିପାତ୍ର ଯୋଗ ଦେଇଥିଲେ। ସଂପାଦକ ରାଜକିଶୋର ପାଣିଗ୍ରାହୀ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଦସ୍ୟା ସରିତ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ସଦସ୍ୟ ବିଘ୍ନେଶ୍ବର ସାହୁ ସଂଯୋଜନା କରିଥିଲେ।

ବିଜେଡି ସାଂସ୍କୃତିକ ସାମ୍ମୁଖ୍ୟ

ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ଆଜି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୧ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଏଜି ଛକସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଧାୟକ ପ୍ରଫୁଲ୍ଲ ସାମଲ, ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ଦେବରାଜ ସେନାପତି, ପାଲା ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ପ୍ରଧ୍ୟାପକ ରମେଶଚନ୍ଦ୍ର ପାତାଳସିଂହ, ସାମ୍ମୁଖ୍ୟର ଭୁବନେଶ୍ବର ସଂଯୋଜକ ସତ୍ୟବ୍ରତ ଜେନା, ବିଜୁ ମହିଳା ଦଳର ଉପସଭାପତି ଉଷାରାଣୀ ମହାନ୍ତି ପ୍ରମୁଖ ପାରଳା ଗଜପତିଙ୍କ ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ମନୋରଞ୍ଜନ ନାୟକ, ପ୍ରଭାତ ଜେନା, ଅଜିତ ଜେନା, କଳ୍ପତରୁ ସେନାପତି ଓ କବିତା ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।

ଉତ୍କଳ ସମ୍ମିଳନୀ

ଉତ୍କଳ ସମ୍ମିଳନୀ ପକ୍ଷରୁ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଉତ୍କଳ ସମ୍ମିଳନୀର ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୧ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ମଞ୍ଚେଶ୍ବର ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରିଥିବା ବେଳେ ସମ୍ମିଳନୀର ବରିଷ୍ଠ ସଦସ୍ୟ ଭୃଗୁ ବକ୍ସିପାତ୍ର, ମଞ୍ଚେଶ୍ବର ଶାଖା ଉପସଭାପତି ଶୀତଳଚନ୍ଦ୍ର ମହାନ୍ତି, ପ୍ରସନ୍ନ ରଥ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ୱର ଶାଖାର ଉପସଭାପତି ସୁବ୍ରତ ମହାପାତ୍ର, ସମ୍ପାଦିକା ବାସନ୍ତୀ ତ୍ରିପାଠୀ, ଯୁଗ୍ମ ସମ୍ପାଦକ ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ, ଦୀପ୍ତିମୟୀ ନାୟକ, ଗୋପୀମୋହନ ପଟ୍ଟନାୟକ, ଅକ୍ଷୟ କୁମାର ଜେଠୀ, ରାମଚନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।