ଭୁବନେଶ୍ବର: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଗଜପତି ମହାରାଜା ମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। କେବଳ ସେତିକି ନୁହେଁ, ଶ୍ରୀମନ୍ଦିର ବିକାଶମୂଳକ କାର୍ଯ୍ୟ କିଭଳି ଏଇଠି ନ ଅଟକି ଆଗାମୀ ଦିନରେ ତ୍ବରାନ୍ବିତ ହେବ, ସେ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବିଶେଷକରି ବଡ଼ଦାଣ୍ଡ, ଶ୍ରୀଗୁଣ୍ଡିଚା ମନ୍ଦିର ଆଦିର ବିକାଶ କ୍ଷେତ୍ରରେ ଗଜପତି ଗୁରୁତ୍ବ ଦେଇ ଆସୁଛନ୍ତି। ଆଜି ଆଲୋଚନା ସମୟରେ ଏହି ପ୍ରସଙ୍ଗ ମଧ୍ୟ ଗଜପତି ଗୁରୁତ୍ବାରୋପ କରିଥିଲେ ଓ ମୁଖ୍ୟମନ୍ତ୍ରୀ ସବୁଜ ସଙ୍କେତ ଦେଇଥିବା ସୂଚନା ମିଳିଛି। ଏହି ସାକ୍ଷାତ ସମୟରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ।
ଉଲ୍ଲେଖଥାଉକି, ଗଜପତି ମହାରାଜା ପୂର୍ବରୁ ‘ସମ୍ବାଦ’କୁ କହିଥିଲେ, ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଗୋଟିଏ ନୂତନ ପ୍ରକଳ୍ପ। ଏହା ଗୋଟିଏ ମରାମତି କାର୍ଯ୍ୟ ନୁହେଁ। ୭୦୦ ବର୍ଷ ଭିତରେ ଏମିତି କାମ ହୋଇନାହିଁ। ମୂଳ ମନ୍ଦିର ବାହାରେ ଅନେକ ଛୋଟ ବଡ଼ ମନ୍ଦିର ନିର୍ମାଣ ପରେ ଅନଙ୍ଗ ଭୀମଦେବଙ୍କ ସମୟରେ ମେଘନାଦ ପାଚେରି ପୂର୍ଣ୍ଣାଙ୍ଗ ହେଲା। ଶ୍ରୀମନ୍ଦିର ଭିତର ବେଢ଼ା ଚାରିପଟେ ସେବେ ଆଉ ଗୋଟିଏ ବାହାର ବେଢ଼ା କରାଗଲା। ସମୟର ଆହ୍ବାନରେ ଏବେ ମେଘନାଦ ପାଚେରି ବାହାରେ ଆଉ ଗୋଟିଏ ବେଢ଼ା ବୁଲିଲା। ଏହା ଶ୍ରୀମନ୍ଦିର ପାଇଁ ଗୋଟିଏ ନୂତନ କାର୍ଯ୍ୟ। ଏହି ପ୍ରକଳ୍ପ ସହିତ ସମସ୍ତେ ଯୋଡ଼ିହେବା ଉଚିତ୍।’