ଚିନ୍ତା ବଢ଼େଇଲେଣି ମହାରାଷ୍ଟ୍ର ଫେରନ୍ତା, ୩ ଦିନରେ ୨ ଆକ୍ରାନ୍ତ ଚିହ୍ନଟ

ରାଉରକେଲା: କୋଭିଡ୍‌ ସଂକ୍ରମଣ ପୁନର୍ବାର ମୁଣ୍ଡ ଟେକିଲାଣି। ବିଶେଷକରି ମହାରାଷ୍ଟ୍ର, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ କେରଳରେ ଏବେ ସଂକ୍ରମଣ ବେଗ ଧରିଛି। ଏଣୁ ଏହି ୫ଟି ରାଜ୍ୟରୁ ସୁନ୍ଦରଗଡ଼ ଜିଲ୍ଲାକୁ ଫେରୁଥିବା ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ତୀକ୍ଷ୍‌ଣ ନଜର ରଖାଯାଇଛି। ଏହି କ୍ରମରେ, ଏହି ସବୁ ରାଜ୍ୟରୁ ଫେରୁଥିବା ବ୍ୟକ୍ତିଙ୍କୁ ରାଉରକେଲା ରେଳ ଷ୍ଟେସନରେ କଡ଼ା ଯାଞ୍ଚ କରାଯାଉଛି। ଆଗନ୍ତୁକଙ୍କର ଥର୍ମାଲ୍‌ ସ୍କ୍ରିନିଂ କରାଯିବା ସହ ଆଣ୍ଟିଜେନ ଟେଷ୍ଟ୍‌ କରାଯାଉଛି। ତେବେ ଏବେ ଯେଉଁ ତଥ୍ୟ ପଦାକୁ ଆସିଛି, ତାହା ଜିଲ୍ଲା ପ୍ରଶାସନର ନିଦ ହଜାଇ ଦେଲାଣି। ନିକଟ ଅତୀତରେ ମହାରାଷ୍ଟ୍ରରୁ ଫେରିଥିବା ୨ ଜଣ ବ୍ୟକ୍ତି କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରୁ କୁଆରମୁଣ୍ଡା ସାହାଜବାହାଲ ଅଞ୍ଚଳର ଜଣେ ଯୁବତୀ ଓ ଜଣେ ଏନ୍‌ଆଇଟି ଛାତ୍ର ଅଛନ୍ତି।

ନାଗପୁରର ମୂଳବାସିନ୍ଦା ଜଣେ ଯୁବକ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ତୃତୀୟ ବର୍ଷର ଛାତ୍ର। ସେ ପୁନେ-ହାଟିଆ ସ୍ପେଶାଲ୍‌ ଟ୍ରେନ୍‌ରେ ନାଗପୁରରୁ ରାଉରକେଲାକୁ ଆସୁଥିଲେ। ଆଜି ଷ୍ଟେସନରେ ପହଞ୍ଚିବାପରେ ତାଙ୍କର ଆଣ୍ଟିଜେନ ଟେଷ୍ଟ୍‌ କରାଯାଇଥିଲା। ଏଥିରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିବାରୁ ତାଙ୍କୁ ହାଇଟେକ୍‌ ମେଡିକାଲ କଲେଜକୁ ପଠାଇ ଦିଆଯାଇଛି। ଠିକ୍‌ ସେହିଭଳି ଗତ ୧୨ ତାରିଖରେ ମହାରାଷ୍ଟ୍ରରୁ ଆସିଥିବା ଜଣେ ଯୁବତୀ ମଧ୍ୟ ସଂକ୍ରମିତ ଥିବା ଜଣାପଡ଼ିଥିଲା। କୁଆରମୁଣ୍ଡା ସାହାଜବାହାଲ ଅଞ୍ଚଳର ୫ ଜଣ ଯୁବତୀ ମାସେ ହେଲା କାମ ଅନ୍ବେଷଣରେ ମହାରାଷ୍ଟ୍ରରେ ପହଞ୍ଚିଥିଲେ। ସେମାନ ମୁମ୍ବାଇର ତଲୋଜା ଅଞ୍ଚଳରେ ଥିବା ଏକ ମାଛ ରପ୍ତାନି କରୁଥିବା କମ୍ପାନିରେ କାମ କରୁଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଅସୁବିଧାର ସମ୍ମୁଖୀନ ହେବାରୁ ସମସ୍ତ ୫ ଜଣ ଯୁବତୀ ରାଉରକେଲାକୁ ଫେରିଆସିଥିଲେ। ସେମାନେ କଲ୍ୟାଣ ରେଳ ଷ୍ଟେସନରୁ ମୁମ୍ବାଇ-ହାୱଡ଼ା ମେଲ୍‌ରେ ଚଢ଼ିଥିଲେ। ଗତ ୧୨ ତାରିଖରେ ରାଉରକେଲା ପହଞ୍ଚିଲାପରେ ସମସ୍ତଙ୍କର ଆଣ୍ଟିଜେନ ଟେଷ୍ଟ୍‌ କରାଯାଇଥିଲା। ଏଥିରେ ଜଣେ ଯୁବତୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଗତ ୩ ଦିନ ଭିତରେ ଦୁଇ ଦୁଇ ଜଣ ମହାରାଷ୍ଟ୍ର ଫେରନ୍ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବାପରେ, କୋକୁଆ ଭୟ ଖେଳିଯାଇଛି। ଅପରପକ୍ଷରେ ପ୍ରଶାସନ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରିଦେଇଛି।

ସମ୍ବନ୍ଧିତ ଖବର