୬ ଦିନିଆ ଓଡ଼ିଶା ଗସ୍ତରେ ମହାରାଷ୍ଟ୍ର ଗଣମାଧ୍ୟମ ପ୍ରତିନିଧିଦଳ

ପିଆଇବି କାର୍ଯ୍ୟାଳୟରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା

ଭୁବନେଶ୍ବର : ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ବଜାୟ ରଖିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ମଧ୍ୟରେ ସାଂସ୍କୃତିକ ଓ ସାମାଜିକ ବିନିମୟ କାର୍ଯ୍ୟକ୍ରମ ଜାରି ରହିଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ମୁମ୍ବାଇ ସ୍ଥିତ ପିଆଇବି କାର୍ଯ୍ୟାଳୟ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଆନୁକୂଲ୍ୟରେ ମହାରାଷ୍ଟ୍ରର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସ୍ଥାନୀୟ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିସରରେ ମହାରାଷ୍ଟ୍ର ଏବଂ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ଏକ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁମ୍ବାଇ ପିଆଇବିର ଉପନିର୍ଦ୍ଦେଶକ ଡ. ରାହୁଲ ତିଡକେଙ୍କ ନେତୃତ୍ବରେ ଲୋକମତ ଦୈନିକ ସମ୍ବାଦପତ୍ରର ସାମ୍ବିଦକ ନିଲେଶ ଡି., ସକାଲ ସମ୍ବାଦପତ୍ର ସାମ୍ବାଦିକ ବ୍ରିଜମୋହନ ପାଟିଲ, ନବଭାରତର ସୁନୀଲ ନନ୍ଦଗାଓଁକର, ପୂଣ୍ୟନଗରୀର ଦୀପକ ନିକମ୍‌ ଓ ଦୁରଦର୍ଶନର ବିଶ୍ବଭୂଷଣ ଛୋଟରାୟ ସାମିଲ ଅଛନ୍ତି।

ଏହି ଅବସରରେ ଓଡ଼ିଶାର କଳା, ସଂସ୍କୃତି, ପର୍ଯ୍ୟଟନ, ଜୀବନଜୀବିକା, ରାଜନୀତି ଆଦି ସମସ୍ତ କ୍ଷେତ୍ରରେ ମହାରାଷ୍ଟ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିସ୍ତୃତ ଭାବେ ସୂଚନା ଦିଆଯାଇଥିଲା। ଏହାସହିତ ଓଡ଼ିଆ ଗଣମାଧ୍ୟମର କ୍ରମବିକାଶ, ସ୍ଥିତି ଓ ପ୍ରଗତି ବିଷୟରେ ମହାରାଷ୍ଟ୍ରର ପ୍ରତିନିଧି ଦଳ ଆଗ୍ରହଣ ପ୍ରକାଶ କରିଥିଲେ। ସେହିପରି ଓଡ଼ିଆ ଆଧ୍ୟାତ୍ମିକ ସଂସ୍କୃତି ଉପରେ ମହାରାଷ୍ଟ୍ର ସଂସ୍କୃତିର ପ୍ରଭାବ ଏବଂ ଦୁଇ ରାଜ୍ୟ ମଧ୍ୟରେ ରହିଥିବା ସାଂସ୍କୃତିକ ସମ୍ପର୍କ ଉପରେ ମଧ୍ୟ ସବିଶେଷ ଆଲୋଚନା କରାଯାଇଥିଲା। ମହାରାଷ୍ଟ୍ରର ଗଣମାଧ୍ୟମ ପ୍ରତିନିଧି ଦଳ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର, ଚିଲିକା ହ୍ରଦ ସମେତ ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବେ। ଏହାଛଡ଼ା ହସ୍ତକଳା, ହସ୍ତଶିଳ୍ପ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଥିବା କଟକ ଜିଲ୍ଲାର ମାଣିଆବନ୍ଧ, ପୁରୀ ଜିଲ୍ଲାର ପିପିଲି ଓ ରଘୁରାଜପୁର ୟୁନେସ୍କୋ ଐତିହ୍ୟ ଗ୍ରାମ ଆଦି ସ୍ଥାନ ପରିଦର୍ଶନ କରି ଓଡ଼ିଆ ଜୀବନଶୈଳୀ, ଭାଷା, କଳା ଓ ସଂସ୍କୃତି ବିଷୟରେ ମଧ୍ୟ ପ୍ରତିନିଧି ଦଳ ଅଧ୍ୟୟନ କରିବେ।

ଭାବବିନିମୟ କାର୍ଯ୍ୟକ୍ରମରେ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆଇଓବି)ର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର, ଭୁବନେଶ୍ବର ପିଆଇବିର ଉପନିର୍ଦ୍ଦେଶକ ସୀତାନାଥ ମିଶ୍ର, ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ଓ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର