ଶିବମୟ କପିଳାସ ପୀଠ : ଦୀପ ଜାଳିଲେ ୫ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ

ଗଁଦିଆ/ ଢେଙ୍କାନାଳ : ପବିତ୍ର ଜାଗରଯାତ୍ରା ପାଇଁ ଆଜି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ପ୍ରସିଦ୍ଧ ଶୈବ ପୀଠ କପିଳାସ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଭକ୍ତ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରୀ ଚନ୍ଦ୍ରଶେଖରଜିଉଙ୍କ ଦର୍ଶନ କରିଥିବା ବେଳେ ୫ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ନିକଟରେ ଘିଅ ଦୀପ ଜାଳିଛନ୍ତି। ଏଥିପାଇଁ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୀଠରେ ଭକ୍ତମାନଙ୍କର ଧାଡ଼ି ଲମ୍ବିଥିଲା। ମନ୍ଦିର ବେଢ଼ାଠାରୁ ଆରମ୍ଭ କରି ବିଭିନ୍ନ ପାହାଚ, ମନ୍ଦିର ରାସ୍ତାକଡ଼ ଆଦିରେ ସନ୍ଧ୍ୟାରୁ ମାଳମାଳ ଦୀପ ଜଳି ଉଠିଥିଲା। ସମୟ ନିର୍ଘଣ୍ଟ ଅନୁସାରେ ଆଜି ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜିଉଙ୍କ ଷୋଡ଼ଶ ଉପଚାର ପୂଜା ପାରମ୍ପରିକ ରୀତିରେ ସମ୍ପନ୍ନ ହୋଇଥିଲା। ପ୍ରତ୍ୟୁଷରୁ ଠାକୁରଙ୍କ ମଙ୍ଗଳ ଆଳତି ପରେ ସୂର୍ଯ୍ୟପୂଜା,ବଲ୍ଲଭ ଭୋଗ, ସକାଳ ଧୂପ ଲାଗି କରାଯାଇଥିଲା। ମଧ୍ୟାହ୍ନରେ ଅନ୍ନପ୍ରସାଦ ଲାଗି ହେବା ପରେ ଅପରାହ୍ଣରେ ଖେଚୁଡ଼ି, ଅନ୍ନପୁଳି, ଦିପହର ଧୂପ କରାଯାଇଥିଲା। ସନ୍ଧ୍ୟାରେ ଆଳତି ପରେ ଆରମ୍ଭ ହୋଇଥିଲା ଷୋଡ଼ଶ ଉପଚାର ପୂଜାର୍ଚ୍ଚନା। ମନ୍ଦିରର ପୂଜାପଣ୍ଡା, ରାଜପୁରୋଧା, ପୀଠ ପୁରୋଧ‌ା ମିଶି ଷୋଡ଼ଶ ପୂଜା କରିଥିଲେ। ମାଘ ସ୍ନାନନୀତି ସେବାୟତମାନଙ୍କ ଦ୍ବାରା ସଂପନ୍ନ ହୋଇଥିଲା। ପରେ ଶ୍ରୀ ଚନ୍ଦ୍ରଶେଖର ଜିଉଙ୍କ ନାଗାଭରଣ ବେଶ କରାଯାଇଥିଲା। ଏହି ଅବସରରେ ଶ୍ରୀଜିଉଙ୍କଠାରେ ସୁନାର ଛଡ଼ି, ପଦ୍ମମାଳ ଓ ନାଗ ଲାଗି କରାଯାଇଥିଲା। ସେହିପରି ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷଣ କରାଯାଇ ମା ପାର୍ବତୀଙ୍କର ରାଜରାଜେଶ୍ବରୀ ବେଶ କରାଯାଇଥିଲା। ଭୋର ୪ଟା ୨୦ ମିନିଟ୍‌ରେ ଠାକୁରଙ୍କ ମହାଦୀପ ଉଠିବା ଲାଗି ସ୍ଥରୀକୃତ ହୋଇଛି। ପରେ ହରିହର ଭେଟ, ଯୋଗୀବେଶ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।

ଦେବଦେବ ମହାଦେବଙ୍କ ଏହି ପବିତ୍ର ଜାଗର ଉତ୍ସବ ପାଇଁ ସମଗ୍ର ଶୈବପୀଠ ଶିବମୟ ହୋଇଉଠିଛି। ହର ହର ମହାଦେବ ଧ୍ବନିରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଛି। କପିଳାସର ପାଦଦେଶରୁ ପୀଠର ଶୀର୍ଷ ପର୍ଯ୍ୟନ୍ତ ଲୋକାରଣ୍ୟ ହୋଇଯାଇଛି। ଲୋକାରଣ୍ୟକୁ ଦୃଷ୍ଟିରେ ରଖି ଚଳିତବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଠ ପାଦଦେଶରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା, ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ଅତିରିକ୍ତ ମହାନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀ, ଏସ୍‌ପି ଅନୁପମା ଜେମ୍ସ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଅତିରିକ୍ତ ଜିଲ୍ଲାପାଳ ଭବେଶ ନାୟକ, ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା, ଏସ୍‌ଡିପିଓ ଶ୍ରୀ ହର୍ଷ ମିଶ୍ର, ଗଁଦିଆ ଥାନା ଅଧିକାରୀ ଜିତେନ୍ଦ୍ର ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରଞ୍ଜନ ରାଉତଙ୍କ ସମେତ ବହୁ ପୁଲିସ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି। ଯାତ୍ରୀମାନଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ପାନୀୟ ଜଳ, ଶୌଚାଳୟ, ଆଶୁ ଚିକିତ୍ସା ବ୍ୟବସ୍ଥା କରାଯିବା ସହ ଆମ୍ବୁଲାନ୍ସ ମୁତୟନ କରାଯାଇଛି। ପାହାଚ ରାସ୍ତା ଓ ଘାଟି ରାସ୍ତାରେ ବ୍ୟାପକ ଆଲୋକୀକରଣ କରାଯିବା ସହ ସ୍ନେକ୍‌ ହେଲ୍ପ ଲାଇନ୍‌ ସ୍କ୍ବାଡ୍ ସଦସ୍ୟଙ୍କ ସହ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇଦେବାକୁ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର