ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି

ମଧ୍ୟରାତ୍ରିରେ ଉଠିଲା ମହାଦୀପ

ପୁରୁଣା ଭୁବନେଶ୍ୱର : ‘ଓଁ ନମଃ ଶିବାୟ’ ଉଚ୍ଚାରଣରେ କମ୍ପୁଥିଲା ଏକାମ୍ର କ୍ଷେତ୍ର। ପବିତ୍ର ମହାଶିବରାତ୍ରିରେ ଶିବ ଭକ୍ତିରେ ତଲ୍ଲୀନ ହୋଇ ଯାଉଥିଲେ ଶ୍ରଦ୍ଧାଳୁ। ପଞ୍ଚେନ୍ଦ୍ରିୟକୁ ନିୟନ୍ତ୍ରଣରେ ରଖିବା ପାଇଁ କେହି ଉପବାସ ରହି ପ୍ରଭୁଙ୍କୁ ଜପୁଥିଲା ତ ଆଉ କେହି କେହି ପ୍ରଭୁଙ୍କ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହୋଇଥିଲା। ମହାଶିବରାତ୍ରିରେ ଦିନତମାମ ଏମିତି ଭକ୍ତିଭାବମୟ ହୋଇ ଉଠିଥିଲା ଶ୍ରୀଲିଙ୍ଗରାଜ ମନ୍ଦିରର ପରିବେଶ। ମହାଦୀପ ଦର୍ଶନର ମହାର୍ଘ୍ୟ ସୁଯୋଗ ଲଭିବା ପାଇଁ ମଧ୍ୟରାତ୍ରି ପର୍ଯ୍ୟନ୍ତ ସମସ୍ତେ ଜାଗର ଜାଳି ସତୃଷ୍ଣ ନୟନରେ ଚାହିଁ ରହିଥିଲେ ମନ୍ଦିର ଚୂଡ଼ାକୁ। ଶେଷରେ ନିର୍ଧାରିତ ସମୟର ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ହରିବୋଲ, ହୁଳହୁଳି ଓ ହରହର ମହାଦେବ ଧ୍ୱନି ମଧ୍ୟରେ ରାତି ସାଢ଼େ ୧୨ଟାରେ ସମର୍ଥା ସେବାୟତଗଣ ବେଢ଼ା ପରିକ୍ରମା ସାରି ମନ୍ଦିର ଉପରକୁ ଉଠାଇଥିଲେ ମହାଦୀପ।

ସମ୍ବନ୍ଧିତ ଖବର