ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରିରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳଚହଳରେ ଓଡ଼ିଶାର ଶୈବପୀଠଗୁଡ଼ିକ ଚଳଚଞ୍ଚଳ ହୋଇଉଠିଥିବାର ପରିଲକ୍ଷିତ ହୋଇଛି। ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତମାନଙ୍କର ଭିଡ଼ ଦେଖିବାକୁ ମିଳିଛି। କରୋନା କଟକଣାରେ ମହାଶିବରାତ୍ରି ପାଳିତ ହେଉଛି।

Advertisment

ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ, ପୁରୀସ୍ଥିତ ଲୋକନାଥ, କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ାର ଗୁପ୍ତେଶ୍ୱର, ଢ଼େଙ୍କାନାଳର କପିଳାସସ୍ଥିତ ଶ୍ରୀଶ୍ରୀ ଚନ୍ଦ୍ରଶେଖର, ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣି ଓ ସମ୍ବଲପୁର ଜିଲ୍ଲା ହୁମାସ୍ଥିତ ବିମଳେଶ୍ୱର ମନ୍ଦିରରେ ଶିବରାତ୍ରି ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ଏତଦ୍‌ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ଶିବ ମନ୍ଦିରଗୁଡ଼ିକରେ ମଧ୍ୟ ଶିବରାତ୍ରି ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଏସବୁ ସ୍ଥାନରେ କୋଭିଡ ନିୟମ ମାନି ଭକ୍ତମାନେ ପୂଜାର୍ଚ୍ଚନା କରୁଛନ୍ତି। ହେଲେ  କଟକ ଜିଲ୍ଲାର ବାବା ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି ରହିଥିବାର ସେଠାକାର ପରିବେଶ ଖାଁଖାଁ ରହିଛି।

ରାଜ୍ୟର ବିଭିନ୍ନ ଶିବମନ୍ଦିରରେ ଭିନ୍ନ ଭିନ୍ନ ସମୟରେ ମହାଦୀପ ଉଠିବ ବୋଲି ଜଣାପଡ଼ିଛି। ରାତି ପ୍ରାୟ ୧୦ଟାରୁ ମହାଦୀପ ଉଠିବା ଆରମ୍ଭ ହୋଇ ଭୋର ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି।

ଆଜି  ଜାଗର ପାଇଁ ସକାଳୁ ସକାଳୁ ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଭିଡ଼ ଲାଗିଛି ।  କୋଭିଡ୍ କଟକଣା ଭିତରେ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି।  ପ୍ରଭୁ ଲିଙ୍ଗରାଜଙ୍କର ଆଳତି ଅବକାଶ ସରିଛି। ଏବେ ସାହଣ ମେଳା ଦର୍ଶନ ସୁରୁଖୁରୁରେ ଚାଲିଛି। ଦିନ ୧୧ ଘଟିକା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିବେ। ଦିନ ୧୧ଟା ପରେ ସାହଣା ମେଳା ଯୋଗୁ ଦର୍ଶନ ବନ୍ଦ ରହିବ ବୋଲି ଜଣାଯାଇଛି।

ଶିବରାତ୍ରି ପାଇଁ ଢେଙ୍କାନାଳ ଜିଲ୍ଲା କପିଳାସ ପୀଠ ଚଳଚଞ୍ଚଳ। କୋଭିଡ଼ କଟକଣା ସହ ଭକ୍ତ କରୁଛନ୍ତି ବାବାଙ୍କ ଦର୍ଶନ। ଜିଲ୍ଲା ପ୍ରଶାସନ ତରଫରୁ ଲାଗିଛି ସ୍ଵତନ୍ତ୍ର କୋଭିଡ କଟକଣା, କେବଳ ଢେଙ୍କାନାଳ ଜିଲ୍ଲା ବାସି କରି ପାରିବେ ଦର୍ଶନ ଏଥିପାଇଁ ସେମାନଙ୍କୁ ଦେଖେଇବାକୁ ପଡ଼ିବ ଭୋଟର ଆଇଡି କାର୍ଡ କିମ୍ବା ଆଧାର ପରିଚୟ ପତ୍ର ଦେଖେଇବାକୁ ପଡ଼ିବ।ମନ୍ଦିରକୁ ପ୍ରବେଶ ପୂର୍ବରୁ ଲାଗିଛି ସ୍ଵତନ୍ତ୍ର ସାନିଟାଇଜେସନ ମେସିନ ଏବଂ ଭକ୍ତଙ୍କ ଦର୍ଶନ କରିବା ପାଇଁ ରହିଛି ବ୍ୟାରିକେଡ ବ୍ୟବସ୍ଥା ହୋଇଛି।