ରାୟଗଡା: ଓଡ଼ିଶାର ଅନ୍ୟତମ ଶକ୍ତି ପୀଠ ମା’ ମଝିଘରିଆଣିଙ୍କ ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପୂଜା ଉପଚାର। ବାର୍ଷିକ ଚୈତ୍ର ପର୍ବକୁ ବାଦ ଦେଲେ ଶାରଦୀୟ ପୂଜା ମା’ଙ୍କ ପୀଠର ପ୍ରମୁଖ ପର୍ବ। ଏଥିଲାଗି ମନ୍ଦିର କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମନ୍ଦିରକୁ ଶାରଦୀୟ ପୂଜା ଲାଗି ସୁସଜ୍ଜିତ କରାଯାଇଛି। ମା’ ମଝିଘରିଆଣୀ ପ୍ରତ୍ୟକ୍ଷ ଦେବୀ ଭାବେ ଭକ୍ତଙ୍କ ନିକଟରେ ପ୍ରସିଦ୍ଧି ଲାଭ କରିଛନ୍ତି। ଏହା ଏକ ଶକ୍ତି ପୀଠ ହୋଇଥିବାରୁ ଶାରଦୀୟ ପୂଜା ଉପଚାର ଲାଗି ବିଭିନ୍ନ ଦିବସରେ ଭିନ୍ନ ଭିନ୍ନ ପୂଜାର୍ଚ୍ଚନା କରିବାର ବିଧି ରହିଛି। ଏଠାରେ ସବୁଦିନ ଦର୍ଶନ ଦେଉଥିବା ମା’ଙ୍କ ସିନ୍ଦୁର ମୁହଁ ପଛରେ ରହିଛି ସାତୋଟି ପଥର। ସାତ ଭଉଣୀ ଏଠାରେ ଏକତ୍ର ପୂଜା ପାଉଥିବାବେଳେ ବର୍ଷ ସାରା ଏହା ଫୁଲ, ସିନ୍ଦୁର ଓ ଚନ୍ଦନ ଭିତରେ ଘୋଡେଇ ହୋଇ ରହିଥାନ୍ତି।
ଶାରଦୀୟ ପୂଜା ଅବସରରେ ପୂଜକମାନେ ନୀତିନିୟମର ସହ ଏସବୁ ପଥର ଲିଙ୍ଗକୁ ସଫାସୁତୁରା କରିବାର ଅବସର ଆଣିଦିଏ। ବର୍ଷର ଏହି ସମୟରେ ହିଁ ମା’ଙ୍କ ବାସ୍ତବ ଶକ୍ତିକୁ ସଫାସୁତୁରା କରାଯିବାର ପରଂପରା ରହି ଆସିଛି। ଏହା ସହ ମା’ଙ୍କ ପ୍ରତୀକ ସ୍ବରୂପ ଆସ୍ଥାନ ପଛ ପଟେ ପୂଜା ପାଉଥିବା ତିନୋଟି ପାଟ ଖଣ୍ଡା ମା’ଙ୍କ ପ୍ରତିନିଧିତ୍ବ ଭାବେ ବିଭିନ୍ନ ସମୟରେ ନଗର ଭ୍ରମଣରେ ଯାଇଥାନ୍ତି। ଏହି ଅବସରରେ ଏହି ଖଣ୍ଡାଗୁଡିକୁ ମଧ୍ୟ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ବିଶେଷକରି ରାଜାଙ୍କ ପ୍ରତିନିଧିତ୍ବ ଭାବେ ଏବେ ବି ରାୟଗଡ ବ୍ରାହ୍ମଣସାହି ନିକଟସ୍ଥ କୋଷାଗାର ଏବଂ ତହସିଲ ଅଫିସ ପରିସରରେ ବିଦ୍ୟମାନ ତୋପ ସଲାମୀକୁ ଶାରଦୀୟ ପୂଜା ଅବସରରେ ସ୍ଵତନ୍ତ୍ର ପୂଜା କରିବାର ବିଧି ରହିଛ। ମା’ଙ୍କ ପୀଠରୁ ବାଦ୍ୟ ବାଜଣା ସହ ପୂଜକ ଯାଇ ସେଠାରେ ପୂଜା କରାଯାଏ ଓ ଶାରଦୀୟ ପୂଜା ଲାଗି ମା’ଙ୍କ ଅବଶିଷ୍ଟ ଭଉଣୀମାନଙ୍କୁ ଆମନ୍ତ୍ରଣ କରାଯାଏ।
/sambad/media/post_attachments/wp-content/uploads/2023/10/Rgda-Maa-Majhighariyani-1-1024x576.jpg)
ମହାଷ୍ଟମୀ ମଧ୍ୟ ରାତ୍ରିରେ ମା’ଙ୍କ ନିକଟରେ ଲିଡିକା ଛେଳିକୁ ବଳି ଦିଆଯିବାର ପ୍ରଥା ରହିଛି। ଏକଦା ମା’ଙ୍କ ବଳି ଉଦ୍ଦେଶ୍ୟରେ ଥିବା ଲିଡିକା ଛେଳିକୁ ଆନ୍ଧ୍ର-ଓଡ଼ିଶା ରାସ୍ତାର ଝିଡ ଗଛ ମୂଳେ ଥିବା ଜେନା ପଥର ନିକଟରେ ପୂଜାର୍ଚ୍ଚନା କରି ଛାଡି ଦିଆଯାଉଥିଲା। ପରେ ସେଇ ଛେଳି ଆପେଆପେ ରେଳଧାରଣା ଡେଇଁ ମା’ଙ୍କ ସମ୍ମୁଖରେ ଯାଇ ପହଁଚୁଥିଲା। ତାପରେ ମନ୍ତ୍ରିତ ଚାଉଳକୁ ଛେଳି ସ୍ବଇଛାରେ ଖାଇବା ପରେ ନିଶାର୍ଦ୍ଧରେ ବଳି ଦିଆଯାଉଥିଲା। ଏବେ ବି ମା’ଙ୍କ ମୁଖ୍ୟ ଫାଟକ ନିକଟରେ କାନରେ ମନ୍ତ୍ର ଫୁଙ୍କି ଛେଳିକୁ ଛାଡ଼ି ଦିଆଗଲେ ଛେଳି ଆପେ ଆପେ ମା’ଙ୍କ ନିକଟକୁ ଯାଇ ଚାଉଳ ଖାଏ ଏବଂ ତା ପରେ ବଳି ଦିଆଯାଏ ବୋଲି ମନ୍ଦିରର ପୂଜକଙ୍କ ଠାରୁ ଶୁଣିବାକୁ ମିଳେ। ଏହା ହିଁ ଯୁଗେ ଯୁଗେ ମା’ଙ୍କ ମହିମାକୁ ପ୍ରତିପାଦିତ କରି ଆସିଛି ଏବଂ ମା’ଙ୍କ ପୀଠରେ ଷୋଡ଼ଶ ଉପଚାର ସହ ପାରମ୍ପରିକ ରୀତିରେ ପୂଜା କରାଯାଉଛି।
ଏହି ସମୟରେ ମା’ ନିଶାର୍ଦ୍ଧରେ ଅନ୍ୟ ଭଉଣୀମାନଙ୍କ ସହ ଘୋଡାରେ ନଗର ପରିକ୍ରମା କରୁଥିବା ଜନଶ୍ରୁତିରେ ଅନେକ ରୋଚକ କଥା କାହାଣୀ ରହିଛି। ସେଥିପାଇଁ ମା’ଙ୍କ ବାହାନ ସ୍ବରୂପ ପିତ୍ତଳ ଘୋଡାକୁ ମା’ଙ୍କ ମନ୍ଦିର ସମ୍ମୁଖରେ ସ୍ଥାପନ କରାଯାଇଛି। ଏହି ଅବସରରେ ମା’ଙ୍କ ପୀଠରେ ବିଶ୍ଵ କଲ୍ୟାଣ ଲାଗି ଅଖଣ୍ଡ ଦୀପ ସ୍ଥାପନା ଓ ହୋମ ଯଜ୍ଞର ମଧ୍ୟ ଆୟୋଜନ କରାଯାଉଛି। ମା’ ଜୟପୁର ରାଜବଂଶର ଆରଧ୍ୟା ଦେବୀ ହୋଇ ଗଡ଼ର ମଝିରେ ସ୍ବଇଚ୍ଛାରେ ବିଦ୍ୟମାନ ହୋଇଥିବାରୁ କଳାଦ୍ରୀକ୍ରମେ ରାଜବଂଶୀୟ ପରଂପରା ମୁତାବକ ଏଠାରେ ଶାରଦୀୟ ପୂଜା ଉପଚାର କରାଯାଏ ଏବଂ ଏହି ଶାରଦୀୟ ଉପଚାର ସ୍ଵତନ୍ତ୍ର। ବିଶେଷକରି ମହାଷ୍ଟମୀ ବିଶେଷ ପୂଜାକୁ ମଧ୍ୟ ରାତ୍ରରେ କୋଳାହଳ ଠାରୁ ଦୂରରେ ଜନ ଆଢୁଆଳରେ କରାଯାଇଥାଏ ବୋଲି ସାହିତ୍ୟିକ ତଥା ଜନଜାତି ଗବେଷକ ଦ୍ବିତୀ ଚନ୍ଦ୍ର ସାହୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/Rgda-Maa-Majhighariyani-2.jpg)