‘ମହତାବ ଥିଲେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱ’

କଟକ: ନବଉତ୍କଳ ଗଠନରେ ଡକ୍ଟର ହରେକୃଷ୍ଣ ମହତାବ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲେ। ତାଙ୍କୁ ସ୍ମରଣ କରିବା ଆମର କର୍ତ୍ତବ୍ୟ। ଅତୀତକୁ ଭୁଲିଗଲେ, ବର୍ତ୍ତମାନ ସ୍ଥିର ହୁଏନା। ଆଉ ବର୍ତ୍ତମାନ ଅସ୍ଥିର ହେଲେ ଭବିଷ୍ୟତ ଠିକ୍‌ ହୋଇପାରିବ ନାହିଁ। ଏପରି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଢ଼େଇ। ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ ସହିଦ୍‌ ଭବନରେ ଆୟୋଜିତ ହରେକୃଷ୍ଣ ମହତାବଙ୍କ ୧୧୮ତମ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଘଢ଼େଇ କହିଲେ ଯେ ମହତାବ ଥିଲେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱ । ରାଜନୀତି, ଜନସେବା ପାଇଁ ସେ ସମର୍ପିତ ପ୍ରତିଭା। ଏବେ କିନ୍ତୁ ରାଜନୀତିରେ ବ୍ୟତିକ୍ରମ ଦେଖାଯାଉଛି। ବ୍ୟବସାୟ ଓ ଅଭିନୟ କରୁଥିବା ଲୋକେ ପାର୍ଟଟାଇମ୍‌ ରାଜନୀତି କରି ବ୍ୟବସ୍ଥାକୁ କଳୁଷିତ କରୁଥିବା ନେଇ ଶ୍ରୀ ଘଢ଼େଇ କ୍ଷୋଭ ପ୍ରକାଶ କରିଥିଲେ। ରାଜନୀତି କରୁଥିବା ଲୋକେ ପୂରା ସମୟ ଦେବାକୁ ଶ୍ରୀ ଘଢ଼େଇ କହିଥିଲେ। ଆଜିର ଯୁବପିଢ଼ି ହରେକୃଷ୍ଣ ମହତାବଙ୍କ ନୀତି, ଆଦର୍ଶକୁ ଅନୁକରଣ କରିବାକୁ ଶ୍ରୀ ଘଢ଼େଇ ପରାମର୍ଶ ଦେଇଥିଲେ।

ପୂର୍ବତନ ମନ୍ତ୍ରୀ ତଥା ପିସିସିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ହରେକୃଷ୍ଣ ମହତାବ ଓ ରମା ଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜନୀତିକୁ ଆସିଥିବା ପ୍ରକାଶ କରିଥିଲେ। ବୃହତ ଓଡ଼ିଶା ଗଠନ ପାଇଁ ମହତାବ ହିଁ ପରିକଳ୍ପନା କରିଥିଲେ। ମହତାବଙ୍କୁ ବାଦ୍‌ଦେଇ ଓଡ଼ିଶାର ୫୦ବର୍ଷର ଇତିହାସ ଅପୂର୍ଣ୍ଣ ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସାହିତ୍ୟ, ଇତିହାସ, ରାଜନୀତି, ସାମ୍ବାଦିକତାରେ କେହି ମହତାବଙ୍କ ସମକକ୍ଷ ନୁହନ୍ତି ବୋଲି ସେ କହିିଥିଲେ। ଆଜିକାଲି ଜ୍ଞାନୀ ଲୋକେ ରାଜନୀତିକୁ ଆସୁ ନଥିବା ନେଇ ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରି କହିଲେ ଯେ ଜ୍ଞାନୀଲୋକଙ୍କ ଅଭାବ ପାଇଁ ରାଜନୈତିକ ଦୂରଦୃଷ୍ଟିର ଅଭାବ ଦେଖାଯାଉଛି। ମହତାବଙ୍କ ଭଳି କିମ୍ବଦନ୍ତୀ ପୁରୁଷଙ୍କ ଆଦର୍ଶରୁ ଆଜିର ଯୁବପିଢ଼ି ପ୍ରେରଣା ଗ୍ରହଣ କରନ୍ତୁ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

ଜୟନ୍ତୀ ସମାରୋହକୁ ଉଦ୍‌ଘାଟନ କରି ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅନନ୍ତ ସୂର୍ଯ୍ୟନାରାୟଣ ନାଇଡୁ ଡକ୍ଟର ହରେକୃଷ୍ଣ ମହତାବଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସମୀର ଦେ ମହତାବଙ୍କ ଜୟନ୍ତୀଙ୍କୁ ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରିବାକୁ ଦାବି ରଖିଥିଲେ। ବିଧାୟକ ଦେବୀପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଅନନ୍ତ ପ୍ରସାଦ ସେଠୀ, ହରେକୃଷ୍ଣ ମହତାବ ଜୟନ୍ତୀ କମିଟି କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ପୂର୍ବତନ ଡେପୁଟି ମେୟର ମଧୁସୂଦନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଶ୍ରମିକ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହଙ୍କୁ ‘ମହତାବ ସ୍ମାରକୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ଜୟନ୍ତୀ କମିଟି ସଭାପତି ଜଷ୍ଟିସ୍‌ ମନୋରଞ୍ଜନ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ୧୧୮ତମ ଜୟନ୍ତୀରେ ସାଧାରଣ ସଂପାଦକ ଧମେର୍ଶ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଅନ୍ୟତମ ସାଧାରଣ ସଂପାଦକ ଫ୍ରପୁଲ ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜୟନ୍ତୀ କମିଟି ଉପସଭାପତି କେଶବ ଚନ୍ଦ୍ର ରାଉତ, ପ୍ରତାପ ଶତପଥୀ, ସଂପାଦକ ଆଶିଷ ସାହୁ, ବିଜୟ ବେହେରା, ପ୍ରକାଶ ସିଂହ, ଗୋବିନ୍ଦ ରଣା, ସହସଂପାଦକ ବିଶ୍ୱଜିତ ଦାସ, ଜନ୍‌ସନ ମହାପାତ୍ର, ସନ୍ତୋଷ ପତି, ସଂଯୋଜକ ଗୌତମ ଦାସ ପ୍ରମୁଖ ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର