ଛାତ୍ରଛାତ୍ରୀଙ୍କୁ ଦିଆଯିବ ଗାନ୍ଧୀଜୀଙ୍କ ଅହିଂସା ମନ୍ତ୍ର, ବ୍ଲକ୍‌ ଓ ଜିଲ୍ଲାସ୍ତରରେ ସମସ୍ତ ସ୍କୁଲରେ ହେବ ବିଭିନ୍ନ ପ୍ରତିଯୋଗିତା

ଭୁବନେଶ୍ବର : ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅହିଂସା ମନ୍ତ୍ର। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟର ବ୍ଲକ ଓ ଜିଲ୍ଲାସ୍ତରରେ ସମସ୍ତ ସ୍କୁଲରେ ଗାନ୍ଧୀଜୀଙ୍କ ଅହିଂସା ବାର୍ତ୍ତାକୁ ନେଇ କୁଇଜ୍‌, ତର୍କ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିସହ ଜିଲ୍ଲାସ୍ତରରେ ଗାନ୍ଧୀଜୀଙ୍କ ଉପରେ ଏକ ପ୍ରଦର୍ଶନୀ କରାଯିବ। ଆସନ୍ତା‌ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସ୍କୁଲସ୍ତରରେ, ୨୩ ଓ ୨୪ ତାରିଖରେ ବ୍ଲକସ୍ତରରେ, ୨୭ ଓ ୨୮ ତାରିଖରେ ଜିଲ୍ଲାସ୍ତରରେ ଏହି ପ୍ରତିଯୋଗିତା କରାଯିବ। ଅକ୍ଟୋବର ୨ ଅର୍ଥାତ୍‌ ଗାନ୍ଧୀ ଜୟନ୍ତୀରେ କୃତୀ ପ୍ରତିଯୋଗୀଙ୍କୁ ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ୬୨ ଲକ୍ଷ ଛାତ୍ରଛାତ୍ରୀ ସାମିଲ ହେବେ। ଅହିଂସା ଶଦ୍ଦ ସହ ଦେଶର ସ୍ୱାଧୀନତା ଓତପ୍ରୋତଃ ଭାବେ ଜଡ଼ିତ। ମହାତ୍ମା ଗାନ୍ଧୀଙ୍କ ଅହିଂସା ମନ୍ତ୍ର ଯୋଗୁଁ ଦେଶ ଦାସତ୍ତ୍ବରୁ ମୁକ୍ତ ହୋଇଥିଲା। ଛାତ୍ରଛାତ୍ରୀଙ୍କୁ ଏହି ମନ୍ତ୍ରରେ ଅଭିମନ୍ତ୍ରିତ କରିବା ପାଇଁ ଗଣଶିକ୍ଷା ବିଭାଗ ତରଫରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କୁ ଗାନ୍ଧିଜୀଙ୍କ ମନ୍ତ୍ର ବିଷୟରେ ଶିକ୍ଷା ଦେବା ଲାଗି ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।

ସମ୍ବନ୍ଧିତ ଖବର