ଉପକୂଳ ଓଡ଼ିଶାରେ ଆନ୍ଦୋଳନକୁ ଜୋରଦାର କରିବାର ଆବଶ୍ୟକତା ଅନୁଭବ କରି ଗାନ୍ଧୀଜୀ ପୁଣି ଦ୍ବିତୀୟ ଥର ୧୯୩୪ ମେ ୨୧ତାରିଖରୁ ପଦଯାତ୍ରାରେ ବାହାରିଥିଲେ। ଏଥର ସେ ଓଡ଼ିଶାର ପୁରାତନ ରାଜଧାନୀ ଯାଜପୁର ଜିଲ୍ଲାରୁ ପଦଯାତ୍ରା ଆରମ୍ଭ କରିଥିଲେ। ମେ ୨୧ତାରିଖରେ ବଡ଼ଚଣା ବ୍ଲକର ବୈରୀ ଷ୍ଟେସନରେ ଓହ୍ଲାଇଥିଲେ। ସେ ବୈରୀରୁ ବରୀ ଯାଇ ୧୯୩୪ ଜୁନ୍ ୨ତାରିଖରେ ଭଦ୍ରକର ଭଣ୍ଡାରିପୋଖରୀ ଅଭିମୁଖେ ଯାତ୍ରା କରିଥିଲେ। ଗାନ୍ଧୀଜୀ ଦ୍ବିତୀୟ ଅସ୍ପୃଶ୍ୟତା ଉଚ୍ଛେଦ ପଦଯାତ୍ରାରେ ଯାଜପୁର ଜିଲ୍ଲା ସମେତ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଜାତିଭେଦ ଦୂର ପାଇଁ ଜନସଚେତନତା ସୃଷ୍ଟି କରିବା ସହିତ ସ୍ବାଧୀନତା ପାଇଁ ଲୋକମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଥିଲେ। ଗାନ୍ଧୀଜୀ ଓଡ଼ିଆ ଭାଷା ଶିକ୍ଷା କରିବା ସହିତ ମନ୍ଦିରରେ ଦଳିତମାନଙ୍କର ପ୍ରବେଶକୁ ଉତ୍ସାହିତ କରିଥିଲେ। ଯାହାର ଦୃଷ୍ଟାନ୍ତ ବରୀ ପଦଯାତ୍ରା ସମୟରେ ଦେଖିବାକୁ ମିଳିଥିଲା।
୧୯୩୪ ମେ ୨୧ ତାରିଖ। ବୈରୀ ଷ୍ଟେସନ ଲୋକାରଣ୍ୟ। ପୁରୀ- ହାୱଡ଼ା ଏକ୍ସପ୍ରେସରୁ ଗାନ୍ଧୀଜୀ ଓହ୍ଲାଇଲେ। ତାଙ୍କ ସହିତ ଥିଲେ ବିନୋଦ କାନୁନ୍ଗୋ, ପ୍ରଭାବତୀ ଦେବୀ, ଆଶାଦେବୀ ପ୍ରମୁଖ ବ୍ୟକ୍ତି। ସେତେବେଳର ମୁଖ୍ୟ ପରିବହନ ମାଧ୍ୟମ ଶଗଡ଼ରେ ତାଙ୍କ ଜିନିଷପତ୍ର ଲଦା ହେଲା। କଇଥା ଚମ୍ପାପୁର ଆଶ୍ରମରେ ରାତ୍ରିଯାପନ କରିବା ସହିତ ପ୍ରାର୍ଥନା ସଭା ଅନୁଷ୍ଠିତ ହେଲା। ମାତ୍ର ସେଦିନ ଗାନ୍ଧୀଙ୍କ ମୌନବ୍ରତ ଥିବାରୁ ସେ କେବଳ ଉପସ୍ଥିତି ଜାହିର କଲେ। ରାତିରେ ବିଶ୍ରାମ ପରେ ସକାଳେ ଗାନ୍ଧୀଜୀଙ୍କ ଖିଅର ପାଇଁ ରାଜୁ ବାରିକଙ୍କୁ ଗାନ୍ଧୀଜୀଙ୍କ ପଟ୍ଟଶିଷ୍ୟ ଗୋବିନ୍ଦ ମିଶ୍ର ଡକାଇ ଆଣିଥାନ୍ତି। ରାଜୁ ମଧ୍ୟ ନିଜ ଗାମୁଛା ପାରି ଦେଇ ଗାନ୍ଧୀଜୀଙ୍କର ଚୁଟି କାଟିଲେ। ରାଜୁଙ୍କ ଚୁଟି କଟାରେ ଖୁସି ହୋଇ ତାର ପାରିଶ୍ରମିକ ବାବଦରେ ୨ଅଣା ଗାନ୍ଧୀଜୀ ଦେଲେ। ରାଜୁ ଭାବବିହ୍ବଳ ହୋଇ ସେହି ପଇସା ଗାନ୍ଧୀଜୀ ପାଦ ତଳେ ଥୋଇ ଦେଇ ଲମ୍ବ ହୋଇ ଶୋଇଯାଇ କହିଥିଲେ ଏହି ପଇସା ଆପଣ ସ୍ବରାଜ ଆନ୍ଦୋଳନ କାର୍ଯ୍ୟକ୍ରମରେ ଲଗାଇବେ। ସେହି ରାଜୁଙ୍କୁ ଗାନ୍ଧୀ ଆଲିଙ୍ଗନ କରି କହିଥିଲେ ତୁମର ଏ ଦାନ ସମସ୍ତଙ୍କୁ ପ୍ରେରଣା ଯୋଗାଇବ। ଏପରିକି ମଧ୍ୟାହ୍ନରେ ଚମ୍ପାପୁର ହାଟରେ ଅନୁଷ୍ଠିତ ସାଧାରଣ ସଭାରେ ରାଜୁ ବାରିକଙ୍କ ୨ଅଣା ଦାନ କଥା ଗାନ୍ଧୀଜୀ କହିବା ସହିତ ରାଜୁ ଭଳି ଲୋକ ଆଗେଇ ଆସିଲେ ସ୍ବାଧୀନତା ପ୍ରାପ୍ତି ବିଳମ୍ବ ହେବ ନାହିଁ। ସଭାରେ ଗାନ୍ଧୀଜୀ ଅସ୍ପୃଶ୍ୟତା ଓ ଜାତି ଭେଦଭାବ ଉଚ୍ଛେଦ ଉପରେ ଗୁରୁତ୍ବ ଦେଇଥିବା ବେଳେ ମୌଳିକ ଶିକ୍ଷା, ପରିମଳ, ଧନ୍ଦାମୂଳକ ଶିକ୍ଷା ପ୍ରଭୃତି ଉପରେ ଲୋକମାନଙ୍କୁ ସଚେତନ କରିଥିଲେ।
ସଭା ପୂର୍ବରୁ ସକାଳେ ଚମ୍ପାପୁର-ଛେଦା ରାସ୍ତା ସଫେଇ କରି ଲୋକଙ୍କ ମଧ୍ୟରେ ପରିମଳ ଓ ପରିବେଶ ସୁରକ୍ଷା ପ୍ରତି ଜାଗରଣ ସୃଷ୍ଟି କରିଥିଲେ। ଗାନ୍ଧୀଜୀଙ୍କର ଏହି ପଦଯାତ୍ରା ଯାଜପୁର ଜିଲ୍ଲା ଅତିକ୍ରମ କରି କଟକ ଓ ପରେ କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ମେ ୩୦ରେ ଗାନ୍ଧୀଜୀ କେନ୍ଦ୍ରାପଡ଼ାର ଧୁମାତ ଛାଡ଼ିବା ପରେ ଅନ୍ୟାସୀପୁରରେ ପହଞ୍ଚିଥିଲେ। ଇଂରେଜଙ୍କ ଭୟରେ ଗାନ୍ଧୀଙ୍କୁ ଲୋକମାନେ ନିଜ ଘରେ ରଖିବାକୁ ଭୟ କରୁଥିବା ବେଳେ ଗାନ୍ଧୀ ମଧ୍ୟ ଖୋଲା ଆକାଶ ତଳେ ରହିବାକୁ ପସନ୍ଦ କରୁଥିଲେ। ବରୀ କଳାମାଟିଆର ଗଦାଧର ପାଳିତଙ୍କ ଆମ୍ବ ବଗିଚାରେ ରହିଥିବା ବେଳେ ତାଙ୍କ ସହିତ ମୀରାବେନ୍, ଗୋପବନ୍ଧୁ ଚୈାଧୁରୀ, ରାଜକୃଷ୍ଣ ବୋଷ, ରମାଦେବୀ, କେ ବୁଟେଶ, ଉମା, ବିନୋଦ କାନୁନଗୋ, ସୁରେନ୍ଦ୍ର ନାଥ ପଟ୍ଟନାୟକ, ଗୁରନିଧି ମହାନ୍ତି, ସୁୁଶୀଳା ଦେବୀ, ଗୋଦାବରୀ ଦେବୀ, ମାଣିକ ଦେବୀ, ଶୋଭା ପଣ୍ଡା,ଅନ୍ନପୂର୍ଣ୍ଣା ଚୌଧୁରୀ, ତୁଳସୀ ଦେବୀ ପ୍ରମୁଖ ସାମିଲ ଥିଲେ। ଜମିଦାର ବାମନ ଚରଣ ଦାସଙ୍କ ଚଉପାଡ଼ିରେ ଗାନ୍ଧୀ ବିଶ୍ରାମ ନେଇଥିଲେ। ଗାନ୍ଧୀଜୀଙ୍କ ବରୀ ଗସ୍ତ ସମୟରେ ପୂର୍ବତନ ବିଧାୟକ ରବି ଦାସଙ୍କ ପତ୍ନୀ ଗୋଦାବରୀ ଦେବୀ ତାଙ୍କୁ ଓଡ଼ିଆ ଶିଖାଇଥିଲେ। ଏହି ସମୟରେ ମଧ୍ୟ ଗାନ୍ଧୀଜୀ ବାମନ ଦାସଙ୍କ କୁଳଦେବତା ବଳଦେବ ମନ୍ଦିର ଭିତରକୁ ହରିଜନ ଲୋକଙ୍କ ପ୍ରବେଶକୁ ଅନୁମତି ଦେବାକୁ ପରାମର୍ଶ ଦେଇଥିଲେ। ଗାନ୍ଧୀଙ୍କ ପରାମର୍ଶକୁ ବାମନ ଦାସ ପାଳନ କରି ହରିଜନମାନଙ୍କୁ ମନ୍ଦିର ପ୍ରବେଶ ଅନୁମତି ଦେଇଥିଲେ। ଗାନ୍ଧୀଜୀ ବରୀରେ ରହୁଥିବା ସମୟରେ ବ୍ୟବହାର କରିଥିବା ବିଛଣାକୁ ସେତେବେଳେ ୧ଟଙ୍କାରେ ଦାଶରଥି ସାମଲ ନିଲାମରେ ନେଇଥିଲେ। ସେହିପରି ଶିକ୍ଷକ ପରମାନନ୍ଦ ନାୟକ ଆଙ୍କିଥିବା ଗାନ୍ଧୀଜୀଙ୍କର ଫଟୋଚିତ୍ରକୁ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ୧୦ ଟଙ୍କାରେ ନେଇଥିଲେ। ଏପରିକି ସ୍ବରାଜ ଆନ୍ଦୋଳନ ପାଇଁ ୧୦୮ଟଙ୍କା ଆଦାୟ କରି ଗାନ୍ଧୀଜୀଙ୍କୁ ପ୍ରଦାନ କରାଯାଇଥିଲା।
ମନେ ରହିଥିବା କଥା ଯେତେ :ସାକ୍ଷୀ ନିକୁଞ୍ଜ ବିହାରୀ ମନ୍ଦିର
ଆଜି ଗାନ୍ଧୀ ନାହାନ୍ତି, କିନ୍ତୁ ସେଦିନ ବାଲିଅନ୍ତାରେ ଗାନ୍ଧୀ ବୁଣିଥିବା ସେଇ ବିଚାରଧାରା ଆଜି ବି ‘ସ୍ମୃତି ସ୍ତମ୍ଭ’ ଭଳି କୋଟିକୋଟି ଓଡ଼ିଆଙ୍କ ପ୍ରାଣରେ ସାଇତା ରହିଛି। ୧୯୩୪ ମସିହା ମେ’୮ ତାରିଖରେ ପୁରୀ ସିଂହଦ୍ବାରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତି ଉନ୍ମୋଚନ କରି ଗାନ୍ଧୀଜୀ ପଦଯାତ୍ରାରେ ଚନ୍ଦନପୁର, ସାକ୍ଷୀଗୋପାଳ, ପିପିଲି ଅତିକ୍ରମ କରି ୧୨ ତାରିଖରେ ବାଳକାଟିରେ ଅବସ୍ଥାନ କରିଥିଲେ। ପୂର୍ବତନ ବିଧାୟକ ବେଣୁଧର ଭୋଇ ପ୍ରଚଳିତ କଥାକୁ ଆଧାର କରି କୁହନ୍ତି, ବାଳକାଟିରେ ରହଣି କାଳରେ ଅଣବନ୍ଦୀ ସ୍ବାଧୀନତା ସଂଗ୍ରାମୀ ପ୍ରହ୍ଲାଦ ପଣ୍ଡା ଗାନ୍ଧୀଙ୍କ ପାଇଁ ଛେଳି କ୍ଷୀର ଆଣି ଦେଇଥିଲେ। ପ୍ରତାପଶାସନ ସ୍କୁଲ୍ରେ ଶିକ୍ଷକ ଗୋପୀନାଥ ନାୟକଙ୍କ ସହଯୋଗରେ ସେଇ ସ୍କୁଲ୍ରେ ହିଁ ଗାନ୍ଧୀ ଆଶ୍ରୟ ନେଲେ। ତା’ପରଦିନ ସେଠାରୁ ପଦଯାତ୍ରା କରି ସତ୍ୟଭାମାପୁରରେ ପହଞ୍ଚିଥିଲେ। ସତ୍ୟଭାମାପୁର ସଭାରେ ଭାଷଣ ଦେବା ପୂର୍ବରୁ ଗାନ୍ଧୀଜୀ ପଚାରିଲେ, ସଭାରେ କେହି ହରିଜନ ଅଛନ୍ତି କି ନା? ଆମେ ତାଙ୍କୁ ଭୋଜନ କରିବାକୁ ନିମନ୍ତ୍ରଣ କରିବୁ। କିଛି ସମୟ ପାଇଁ କେହି ହାତ ଟେକିଲେ ନାହିଁ। ଗାନ୍ଧୀ କଥା ଆଳରେ ସାହସ ଦେବାରୁ, ୧୦ଟି ହାତ ଉଠିଲା। ଗାନ୍ଧୀଜୀ କହିଲେ, ଆମେ ଆଗେ ତାଙ୍କୁ ଖୁଆଇବୁ, ପରେ ଆମେ ଖାଇବୁ। ଏହାଦ୍ବାରା ସବର୍ଣ୍ଣ ହିନ୍ଦୁମାନଙ୍କୁ ଏହା ଶିକ୍ଷା ଦେବାକୁ ଚାହୁଁ ଯେ ଅନୁତାପ ସ୍ବରୂପ ସେମାନେ ସବୁ କଥାରେ ହରିଜନଙ୍କୁ ଅଗ୍ରାଧିକାର ଦେବେ। ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ, ବାଲିଅନ୍ତାର କାର୍ଯ୍ୟକ୍ରମ ସଞ୍ଚାଳକ ଲକ୍ଷ୍ମୀଧର ବେହେରାଙ୍କ କହିବା ମୁତାବକ, କେବଳ ସେଇଦିନ ଗାନ୍ଧୀଜୀ ହରିଜନଙ୍କୁ ନିକୁଞ୍ଜ ବିହାରୀ ମନ୍ଦିର ପ୍ରବେଶର ସୁଯୋଗ ସୃଷ୍ଟି କରି ଉଦାହରଣ ରଚିନଥିଲେ ବରଂ ହରିଜନ ଓ ସବର୍ଣ୍ଣମାନେ ଏକାଠି ରୋଷେଇ କରିବା ପରେ ସମସ୍ତଙ୍କ ସହ ମିଶି ପଂକ୍ତି ଭୋଜନ କରିଥିଲେ। ସେତେବେଳେ ଡ.ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ମୀରା ବେନ୍ ଓ ଅନ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନେ ମଧ୍ୟ ଗାନ୍ଧୀଙ୍କ ସହ ସାମିଲ୍ ହୋଇଥିଲେ। ବିନୋଦ କାନୁନ୍ଗୋ ଗାନ୍ଧୀଙ୍କ ଭାଷଣ ଲୋକଙ୍କୁ ଓଡ଼ିଆରେ ବୁଝାଇବା କାର୍ଯ୍ୟ କରୁଥିଲେ। ବାଲିଅନ୍ତାରେ ୩ଦିନ ରହଣି ସ୍ଥଳରେ ସ୍ମୃତିର ସ୍ମାରକୀ ଛିଡ଼ା କରାଇବା ପାଇଁ ଗାନ୍ଧୀ ପ୍ରେମୀ ବୁଦ୍ଧନାଥ ଭୋଇ ଲୋକଙ୍କ ସହଯୋଗରେ ଗାନ୍ଧୀପୀଠ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ନିଜେ ସମ୍ପୂର୍ଣ୍ଣ କରିନପାରିବାରୁ ବାଲିଅନ୍ତାବାସୀଙ୍କ ସହଯୋଗରେ ଗାନ୍ଧୀପୀଠ ନିର୍ମାଣ କଲେ। ଏବେ ଏହି ନିକୁଞ୍ଜ ବିହାରୀ ମନ୍ଦିର ଓ ଗାନ୍ଧୀ ପୀଠ ହିଁ ମୂକସାକ୍ଷୀ ଭାବେ ଦଣ୍ଡାୟମାନ।
୭ଟଙ୍କାରେ ନିଲାମ ହେଲା ଗାନ୍ଧୀଙ୍କ ଲୁଗା
ଗାନ୍ଧୀଜୀ ଯେବେ ବାଲିଅନ୍ତାରୁ ଯାଇ ତେଲେଙ୍ଗାପେଣ୍ଠରେ ପହଞ୍ଚିଲେ ସେଠାରେ ଜଣେ ୮୦ ବର୍ଷୀୟା ବୃଦ୍ଧା ଗାନ୍ଧୀଙ୍କୁ ଗୋଟେ ଲୁଗା ଉପହାର ଦେଲେ। ତେବେ ଗାନ୍ଧୀ ପରବର୍ତୀ ସମୟରେ ପାଣ୍ଠି ଯୋଗାଡ଼ିବା ଉଦ୍ଦେଶ୍ୟରେ ଏହି ଲୁଗାଟିକୁ ନିଲାମ କରିଥିଲେ। ଯେବେ ଏହା ୭ଟଙ୍କାରେ ନିଲାମ ହେଲା, ଗାନ୍ଧୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେତେବେେଳ ୭ଟଙ୍କାର ବହୁତ ମୂଲ୍ୟ ଥିଲା।
ଗାନ୍ଧୀ କହିଲେ, ପୁଷ୍କରିଣୀ ସଫା କରିବ
ହରିଜନ ପଦଯାତ୍ରାରେ ଗାନ୍ଧୀଜୀ ଜାମସେଦପୁରରୁ ରେଳରେ ଆସିବା ଝାରସୁଗୁଡ଼ାରେ ଆସି ଭୋର୍ ୩ଟାରେ ପହଞ୍ଚିଥିଲେ। ଝାରସୁଗୁଡ଼ାରେ ସଭାରେ ଯୋଗଦେବା ପରେ ମୋଟର ଯୋଗେ ସମ୍ବଲପୁର ଅଭିମୁଖେ ଗଲେ। ତେବେ ଜାମସେଦପୁରର ବିଭବ ଓ ସମ୍ବଲପୁରର ଦାରିଦ୍ରୢ ମଧ୍ୟରେ ପ୍ରଭେଦ ଦେଖି ବିବ୍ରତ ହୋଇଥିଲେ। ସେଠାରେ ୪ଟି ବସ୍ତି ପରିଦର୍ଶନ କାଳରେ ଗାନ୍ଧୀ ଜାଣିଲେ, ଯେଉଁ ପୁଷ୍କରିଣୀରୁ ହରିଜନମାନେ ଜଳ ବ୍ୟବହାର କରୁଛନ୍ତି ତାହା ସବୁ କର୍ଦମମୟ ନର୍ଦମା। ଗାନ୍ଧୀ ହରିଜନମାନଙ୍କ ସହ କଥା ହୋଇ ପଚାରିଲେ, ପୁଷ୍କରିଣୀ ସବୁ ସଫା କରିବାକୁ ଶ୍ରମ ଦାନ କରିବ କି ନାହିଁ? ଉତ୍ସାହ ସହକାରେ ସେମାନେ କହିଲେ, ହଁ। ପରେ ଏ ସମ୍ବନ୍ଧରେ ମ୍ୟୁନିସିପାଲିଟି ଚେୟାରମ୍ୟାନ୍ଙ୍କୁ ଜଣାଇ ଦିଆଯାଇଥିଲା।
ଗାନ୍ଧୀ ଓ ଖଟା ଆମ୍ବ
ପଦଯାତ୍ରା କାଳରେ ଗାନ୍ଧୀଜୀଙ୍କ ଆହାର ଥିଲା ଛେଳି ଦୁଧ, ରୁଟି ଓ ଫଳ। ଅଟା ମିଳିବାରେ କେଉଁଠି ସମସ୍ୟା ନଥିଲା। ମାତ୍ର ଛେଳି ଦୁଧ ସବୁ ଜାଗାରେ ମିଳୁନଥିବାରୁ ଯେଉଁଠି ଏହା ମିଳୁଥିଲା ତାକୁ ସିଝାଇ ରଖି ପରବର୍ତୀ ସମୟରେ ଗାନ୍ଧୀଙ୍କୁ ଦିଆଯାଉଥିଲା। ଫଳ ବି ସବୁଜାଗାରେ ମିଳିନଥିଲା। ଗୋଟେ ସ୍ଥାନରେ ଖଟା ଆମ୍ବ ଛଡ଼ା ଆଉ କିଛି ମିଳିଲାନାହିଁ। ଆମ୍ବ ରସ ଦେବା ପରେ ଗାନ୍ଧୀଜୀ ଏହାକୁ ନିର୍ବିକାର ଭାବେ ପିଇଲେ ସିନା, ହେଲେ ମନ ବୁଝିଲାନି। ପାଖରେ ଥିବା ପ୍ରତିଷ୍ଠିତ ବୈଜ୍ଞାନିକ ସତୀଶ ଦାସଗୁପ୍ତଙ୍କୁ କହିଲେ ସତୀଶ ବାବୁ, ଆମ୍ବ ରସରୁ ଖଟା ଗୁଣକୁ ହଟାଇବା ପାଇଁ ଅତି ଶସ୍ତା ବ୍ୟବସ୍ଥା କିଛି ହୋଇପାରନ୍ତାନି? ଯଦି ହୋଇପାରନ୍ତା ଗାଁ ଲୋକ ଉପକୃତ ହୁଅନ୍ତେ। ଏହାକୁ ମନେରଖି ସତୀଶ ବାବୁ ତା’ର ପ୍ରତିକାର ବି କରିଥିଲେ।
ଓଡ଼ିଆ ଅକ୍ଷର ଶିଖିଥିଲେ ଗାନ୍ଧୀ
୧୯୪୫ ମସିହା ଅକ୍ଟୋବର ୧୦ ତାରିଖରେ ପ୍ରକାଶିତ ସମ୍ବାଦ ମୁତାବକ ଗାନ୍ଧୀ ବିଭିନ୍ନ ଭାଷା ଶିକ୍ଷା କରିବାରେ ସମୟ ଦେଉଥିଲେ। ୧୯୪୨ ମସିହାରେ ଜେଲ୍ରେ ଥିବା ସମୟରେ ସେ ବିଭିନ୍ନ ଭାଷା ଶିଖିବା ଆରମ୍ଭ କରିଥିଲେ। ୩ ବର୍ଷ ମଧ୍ୟରେ ସେ ୧୩ଟି ଭାଷାର ଅକ୍ଷର ଲେଖି ପାରୁଥିଲେ ଓ ପଢ଼ି ପାରୁଥିଲେ। ସେଇ ୧୩ଟି ଭାଷା ମଧ୍ୟରେ ଓଡ଼ିଆ ଭାଷା ଥିଲା ଅନ୍ୟତମ।
ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତ କାଳର ତିକ୍ତ ଅନୁଭୂତି
ସନାତନୀ ହିନ୍ଦୁମାନେ ଆଶଙ୍କା କରିଥିଲେ ଯେ, ଗାନ୍ଧୀ ହରିଜନଙ୍କୁ ନେଇ ବଳପୂର୍ବକ ଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିଯିବେ। ତେଣୁ ମାରପିଟ୍ ଓ ଗଣ୍ଡଗୋଳ ଭୟରେ ତତ୍କାଳୀନ ପ୍ରାଦେଶିକ କଂଗ୍ରେସ ସଭାପତି ପଣ୍ଡିତ ନୀଳକଣ୍ଠ ଦାସ ପୁଲିସ୍କୁ ଜଣାଇ ଦେଇଥିଲେ। ତେବେ ରେଳଷ୍ଟେସନ୍ରେ ତାଙ୍କ ସୁରକ୍ଷା ପାଇଁ ପୁଲିସ୍ର ଉପସ୍ଥିତି ଗାନ୍ଧୀଜୀଙ୍କୁ ଖୁସି ଦେଇପାରିନଥିଲା। ସେହିପରି ଅନୁଗୁଳ ଗସ୍ତ ବେଳେ ଗାନ୍ଧୀ ଯାହାଙ୍କ ଘରେ ଅତିଥି ହେବାର ଥିଲା ସେଇ ଘର ଲୋକଙ୍କୁ ସେଠାକାର ତତ୍କାଳୀନ ଡେପୁଟି କମିସନର ଗାନ୍ଧୀଜୀଙ୍କୁ ଘରେ ନରଖିବାକୁ ତାଗିଦ୍ କଲେ। ତେଣୁ ସ୍ଥିତି ଏମିତି ହେଲା, ଗାନ୍ଧୀଙ୍କୁ ପ୍ରଚଣ୍ଡ ଖରାରେ ମଧ୍ୟାହ୍ନରେ ଗଛତଳେ ଆଶ୍ରୟ ନେବାକୁ ପଡ଼ିଲା। ତେବେ ଗାନ୍ଧୀଙ୍କ ଲୋକପ୍ରିୟତା ଏତେ ଥିଲା ଯେ, ତାଙ୍କୁ ସେଇ ଗଛ ତଳେ ଭେଟିବା ପାଇଁ ହଜାର ହଜାର ଲୋକଙ୍କ ଆଗମନ ହୋଇଥିଲା। ଅନ୍ୟ ଏକ ଘଟଣା ମୁତାବକ, ଭଦ୍ରକର ଗରଦପୁରରେ ଗାନ୍ଧୀଙ୍କ ରହଣି କାଳରେ ଯେମିତି ଲୋକେ ତାଙ୍କ ପାଖକୁ ଯାଇ ନପାରିବେ ସେଥିପାଇଁ ସେଠିକାର ତତ୍କାଳୀନ ସବ୍ ଡିଭିଜ୍ନାଲ୍ ଅଧିକାରୀ ଓ ପୁଲିସ୍ ଅଧିକାରୀ ଭୟ ଦେଖାଇଥିଲେ। ଓଡ଼ିଶା ଗସ୍ତ କାଳରେ ଏଭଳି କିଛି ତିକ୍ତ ଅନୁଭବ ନେଇ ମଧ୍ୟ ଗାନ୍ଧୀଙ୍କୁ ଫେରିବାକୁ ପଡ଼ିଥିଲା।
ଅବିଭକ୍ତ ପୁରୀ ଜିଲ୍ଲାରେ ଗାନ୍ଧୀ ସ୍ମୃତି ବହନ କରୁଥିବା ପ୍ରତିଟି ସ୍ଥାନ ଏବେ ଏକ ପୀଠ ହୋଇଯାଇଛି। ପୁରୀରୁ ହିଁ ସେ ଅସ୍ପୃଶ୍ୟତା ବିରୋଧରେ ତାଙ୍କର ପଦଯାତ୍ରା ଆରମ୍ଭ କରିଥିଲେ। ପୁରୀ ସମୁଦ୍ରକୂଳର ଗୋପାଳ ବାଡ଼ିରେ ରାତି କାଟିଛନ୍ତି। କେବଳ ସେତିକି ନୁହେଁ ଏହି ପୁରୀରେ ମହାତ୍ମାଙ୍କ ଚିତାଭସ୍ମ ମହୋଦଧିରେ ବିସର୍ଜନ କରାଯାଇଥିଲା। ୧୯୪୮ ମସିହା ଫେବ୍ରୁଆରି ୧୨ ତାରିଖରେ ଏହି ବିସର୍ଜନ କରାଯାଇଥିଲା। ସେହି ସ୍ଥାନ ଏବେ ବି ଗାନ୍ଧୀ ସ୍ମୃତି ପୀଠ ହୋଇରହିଛି।
ମୁଁ ଗାନ୍ଧୀଙ୍କୁ ଦେଖିଛି
‘ ସେଦିନ ଥାଏ ୧୯୩୮ ମସିହା ମାର୍ଚ୍ଚ ୨୫ ତାରିଖ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଦେଖିବାକୁ ବେରବୋଇ ଗାଁକୁ ଛୁଟୁଥାଏ ଶହ ଶହ ଲୋକଙ୍କ ସୁଅ। ସେତବେଳକୁ ମୁଁ ଛୋଟ ପିଲା। କିଏ ସେ ଏତେ ବଡ଼ଲୋକ, ଯାହାକୁ ଦେଖିବାକୁ ଏତେ ଲୋକ ରୁଣ୍ଡ ହୋଇଛନ୍ତି, ଏ କଥା ଭାବି ମୋ ମନରେ ବି ଥାଏ ଉଦ୍ଦୀପନା। ପଛରୁ ନୁହେଁ ବରଂ ପୂରା ଆଗକୁ ଯାଇ କେମିତି ଗାନ୍ଧୀଙ୍କୁ ଦେଖିବି ସେଥିପାଇଁ ମନେ ମନେ ସ୍ଥିର କରି ସାରିଥାଏ। ଏକା ନୁହେଁ କିଛି ସାଂଗ ଏକାଠି ହୋଇ ଗାନ୍ଧୀଙ୍କୁ ଦେଖିଲୁ। ହେଲେ ଦେଖିଲା ପରେ ହଠାତ୍ ମନରେ ଗୋଟିଏ କଥା ଆସିଲା, ଏ ପତଳା ଲୋକ ପାଇଁ ଏତେ ଲୋକ ରୁଣ୍ଡ ହୋଇଛନ୍ତି। ସେ ଲୋକ ପୁଣି ଏକା ଇଂରେଜମାନଙ୍କ ନିଦ ହଜାଇଦେଇଛି। ମନରେ ସନ୍ଦେହ ହେଲା, ଯେଉଁଦିନ ଅର୍ଥାତ୍ ୩୧ ତାରିଖ ଦିନ ଗାନ୍ଧୀ ଫେରିଗଲେ, ଗାଁ ଟା ସାରା ଲୋକଙ୍କ ଆଖିରେ ଲୁହ ଦେଖି ମୁଁ ମୋ ସାଂଗମାନେ ମଧ୍ୟ କାନ୍ଦି ପକାଇଥିଲୁ। ଆଜି ସେ କଥା ଭାବିଲା ବେଳକୁ ଲୋମମୂଳ ଟାଙ୍କୁରି ଉଠୁଛି। ଭାବୁଛି ସେ ରକ୍ତମାଂସର ମଣିଷ ଯାହାକୁ ନିଜ ଆଖିରେ ଦେଖିଥିଲି , ସେ ମଣିଷ ନୁହେଁ ବରଂ ଜଣେ ଦେବତା ଥିଲେ।’
-ପ୍ରଫୁଲ୍ଲ ନାୟକ, ଗାନ୍ଧୀବାଦୀ ଲେଖକ
‘୧୯୩୪ ମସିହା ମେ ୮ ତାରିଖରେ ଗାନ୍ଧୀଙ୍କୁ ନିକଟରୁ ଦେଖିଛି। ପୁରୀ ଶ୍ରୀମନ୍ଦିରକୁ ଲାଗି ରହିଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ବାପୁଜୀ ନିଜେ ଉନ୍ମୋଚନ କରିଥିଲେ। ଆଉଥରେ ହରିଜନ ଆନ୍ଦୋଳନ ପଦଯାତ୍ରାରେ ଗାନ୍ଧୀଜୀଙ୍କୁ ଦେଖିଥିଲି।’
-ଚନ୍ଦ୍ରଶେଖର ନାୟକ, ସ୍ବାଧୀନତା ସଂଗ୍ରାମୀ
ସର୍ବାଧିକ ୭ ରାତି କଟିଥିଲା ଡେଲାଙ୍ଗରେ
ପୁରୀ ସହିତ ଗାନ୍ଧୀଙ୍କ ସଂପର୍କ ଅତି ନିବିଡ ଓ ନିଆରା। ଗାନ୍ଧୀ ସର୍ବାଧିକ ୭ ଦିନ ୭ ରାତି ପୁରୀ ଜିଲ୍ଲା ଡେଲାଙ୍ଗରେ ହିଁ କଟାଇଛନ୍ତି। ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୩ରେ ପ୍ରଥମେ ପୁରୀ ଓ ସତ୍ୟବାଦୀକୁ ଆସିଥିଲେ। ପରେ ୧୯୨୬ ଡିସେମ୍ବର ୪, ୧୯୩୪ ମସିହାରେ ହରଜନ ପଦଯାତ୍ରାରେ ଗାନ୍ଧୀ ଓଡ଼ିଶା ଆସିଥିଲେ। ଗାନ୍ଧୀ ପଦଯାତ୍ରାରେ ପୁରୀ, ହରେକୃଷ୍ଣପୁର, ଚନ୍ଦନପୁର, ବୀରଗୋବିନ୍ଦପୁର, ଦାଣ୍ଡମୁକୁନ୍ଦପୁର, ପିପିଲିରେ ଦେଇ କଟକ ଯାଇଥିଲେ। ପରେ ୧୯୩୮ ମାର୍ଚ୍ଚ ୨୫ ତାରିଖରେ ଗାନ୍ଧୀ ଡେଲାଙ୍ଗର ବେରବୋଇରେ ଗାନ୍ଧୀ ସେବା ସଂଘ ସମ୍ମିଳନୀରେ ଯୋଗଦେବାକୁ ଡେଲାଙ୍ଗ ଆସିଥିଲେ। ଗାନ୍ଧୀ ଆନ୍ଦୋଳନର ଏହି ପୂଣ୍ୟଭୂମିରେ ମାର୍ଚ୍ଚ ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରାୟ ୭ ଦିନ ସାତ ରାତି କାଟିଥିଲେ। ଯାହାର ସ୍ମୃତି ଫଳକ ଏବେ ବି ଡେଲାଙ୍ଗ ବେରବୋଇ ଓ ପୁରୀ ରେଳଷ୍ଟେସନରେ ରହିଛି।
ଶ୍ରୀମନ୍ଦିର-ହରିଜନ ଓ ଗାନ୍ଧୀ
ଗାନ୍ଧୀଙ୍କ ସହିତ ଶ୍ରୀମନ୍ଦିର ସଂପର୍କ ଅତି ତିକ୍ତ। ହରିଜନ ଆନ୍ଦୋଳନର ପୁରୋଧା ଗାନ୍ଧୀ ପୁରୀକୁ ଯେତେଥର ବି ଆସିଛନ୍ତି, ସେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିନାହାନ୍ତି। ସିଂହଦ୍ବାର ପର୍ଯ୍ୟନ୍ତ ଯାଇଛନ୍ତି, ସେହି ବାଟ ଦେଇ ଫେରିଛନ୍ତି। ସଭା କରିଛନ୍ତି। ହେଲେ ମନ୍ଦିରକୁ ଯିବାକୁ ମନ ବଳାଇ ନାହାନ୍ତି। ଯେଉଁଦିନ ପର୍ଯ୍ୟନ୍ତ ହରିଜନଙ୍କ ପାଇଁ ଶ୍ରୀମନ୍ଦିର ଉନ୍ମୁକ୍ତ ନୁହେଁ ସେହି ଦିନ ପର୍ଯ୍ୟନ୍ତ ଗାନ୍ଧୀଙ୍କ ପାଇଁ ମଧ୍ୟ ଶ୍ରୀମନ୍ଦିର ବନ୍ଦ ବୋଲି କହିଥିବା ଗାନ୍ଧୀ ଶେଷ ପର୍ଯ୍ୟନ୍ତ କାମରେ କରି ଦେଖାଇଛନ୍ତି। ପୁରୀ ସିଂହଦ୍ବାର ସମ୍ମୁଖରୁ ଅସ୍ପୃଶ୍ୟତା ବିରୋଧରେ ହରିଜନ ଶୋଭାଯାତ୍ରା ଆରମ୍ଭ କରିଥିଲେ। ଏବେ ବି ପୁରୀ ରେଳଷ୍ଟେସନରେ ଥିବା ଏକ ଗାନ୍ଧୀ ସ୍ମୃତିଫଳକ ଏହି ସୂଚନା ରହିଛି। ଡେଲାଙ୍ଗର ବେରବୋଇ ଆସୁଥିବା ବେଳେ କସ୍ତୁରବା ଓ ମହାଦେବ ଶ୍ରୀମନ୍ଦିର ବୁଲିବାକୁ ଆସିଥିଲେ। ଜଗନ୍ନାଥ ମନ୍ଦିର ହରିଜନଙ୍କ ପାଇଁ ଖୋଲା ନଥିବାରୁ ଏହା ଗାନ୍ଧୀଙ୍କ ପାଇଁ ମଧ୍ୟ ବନ୍ଦ ବୋଲି ଗାନ୍ଧୀ ଶୁଣାଇଦେଇଥିଲେ। ମାତ୍ର ଏ କଥା ନମାନି ଭେରା ବେନ ଓ ଦୁର୍ଗା ବେନ ଓ ମହାଦେବ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ହେଲେ ଗାନ୍ଧୀଙ୍କ କଥା ମାନି କସ୍ତୁରବା ବାହାରେ ଅପେକ୍ଷା କରିଥିଲେ। ତେବେ ଗାନ୍ଧୀଙ୍କ କଥା ନମାନି ମନ୍ଦିର ଯାଇଥିବା ଦୁଇଜଣଙ୍କୁ ଗାନ୍ଧୀଙ୍କଠାରୁ ଭତ୍ସନା ଶୁଣିବାକୁ ମିଳିଥିଲା।
ଗାନ୍ଧୀ ଓ ଉତ୍କଳମଣି
ଗାନ୍ଧୀଙ୍କ ସହିତ ଉତ୍କଳମଣିଙ୍କ ସଂପର୍କ ନିବିଡ଼ ଥିଲା। ଉତ୍କଳ ମଣିଙ୍କ ପରଲୋକ ପରେ ଗାନ୍ଧୀ ୧୯୩୪ ମସିହା ମେ ମାସରେ ପୁରୀ ଆସିଥିଲେ। ମହାତ୍ମା ଗାନ୍ଧୀ ମେ ମାସ ୮ ତାରିଖରେ ଶ୍ରୀମନ୍ଦିର ମେଘନାଦ ପାଚେରିକୁ ଲାଗି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ। ଏବେ ବି ଗାନ୍ଧୀଙ୍କ ସ୍ମୃତିବହନ କରୁଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରହିଛି। ଏବେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ବେଳେ ଊତ୍କଳମଣିଙ୍କ ମୂର୍ତ୍ତି ସ୍ଥାନାନ୍ତର କରାଯାଇଛି।
ଗାନ୍ଧୀ ସ୍ମୃତି ପୀଠ ଓ ଚିତାଭସ୍ମ
ଗାନ୍ଧୀଙ୍କ ଦେହାନ୍ତ ପରେ ତାଙ୍କ ଚିତାଭସ୍ମ ୧୯୪୮ ମସିହା ଫେବ୍ରୁଆରି ମାସ ୧୨ ତାରିଖରେ ମହୋଦଧିରେ ବିସର୍ଜନ କରିବାକୁ ଅଣାଯାଇଥିଲା। କୈଳାସ ନାଥ କାଟୁଜୁ ରାଜ୍ୟପାଳ ଓ ହରେକୃଷ୍ଣ ମହାତାବ ଥିବାବେଳେ ଏହାକୁ ଗାନ୍ଧୀ ସ୍ମୃତି ଉଦ୍ଦେଶ୍ୟରେ ସଂରକ୍ଷଣ କରିଥିଲେ। ସେଠାରେ ପ୍ରତିବର୍ଷ ଫେବ୍ରୁଆରି ୧୨ ତାରିଖରେ ସର୍ବୋଦୟ ମେଳା ଆୟୋଜନ କରାଯାଉଛି। ପ୍ର୍ରାୟ ୪ ଏକର ଜାଗା ଏଥିପାଇଁ ସଂରକ୍ଷିତ ରଖାଯାଇଥିଲା। ବର୍ତ୍ତମାନର ଦିଗବାରେଣୀ ନକଟସ୍ଥ ଗାନ୍ଧୀ ସ୍ମୃତି ପୀଠ ଏବେ ଏହି ସ୍ମୃତି ବହନ କରୁଛି। ଏଠାରେ ଉଦ୍ୟାନ ଓ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରହିଛି। ସୂଚନା ମୁତାବକ ଏହି ଚିତାଭସ୍ମ ଫେବ୍ରୁଆରି ୧୨ରୁ ଜୁନ ୨୭ ତାରିଖ ପର୍ଯ୍ୟନ୍ତ ପୁରୀ ରାଜଭବନରେ ରଖାଯାଇଥିଲା। ପ୍ରାୟ ୫ ମାସ କାଳ ଗାନ୍ଧୀଙ୍କ ଚିତାଭସ୍ମ ପୁରୀ ରାଜଭବନରେ ରହିବା ପରେ ଏହାକୁ କଟକର ଇମ୍ପାରିଆଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରଖାଯାଇଥିଲା। ୧୯୯୭ ମସିହାରେ ତୁଷାର ଗାନ୍ଧୀଙ୍କୁ ହସ୍ତାନ୍ତର କରାଯାଇଥିଲା।