ଶ୍ରୀଜଗନ୍ନାଥଙ୍କ ଭକ୍ତ ଥିଲେ ମହାତ୍ମା ଗାନ୍ଧୀ

ନୂଆ ରହସ୍ୟ ଉନ୍ମୋଚନ କଲେ ଗବେଷକ

ପୁରୀ : ସତରେ କ’ଣ ମହାପ୍ରଭୁଙ୍କ ପ୍ରତି ମହାତ୍ମା ଗାନ୍ଧୀଙ୍କର ଭକ୍ତି ଭାବ ନ ଥିଲା ? ଓଡ଼ିଆ ଘରର ମୁରବି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧା ରଖୁଥିବା ଅଗଣିତ ବ୍ୟକ୍ତିଙ୍କୁ ଏ ପ୍ରଶ୍ନ ବାରମ୍ବାର ଆନ୍ଦୋଳିତ କରିଛି। ମହାପ୍ରଭୁଙ୍କ ପ୍ରତି ମହାତ୍ମାଙ୍କ ଭାବନାକୁ ଅନେକ ସମୟରେ କଦର୍ଥ କରି ଉପସ୍ଥାପନ କରିବା ହିଁ ଏଭଳି ପ୍ରଶ୍ନ ଛିଡ଼ା କରାଇଛି। ତେବେ କିଛି ଗବେଷକ ତଥ୍ୟ ଆଧାରରେ ଏ ଦ୍ବନ୍ଦ୍ବ ଦୂର କରିବାକୁ ଚେଷ୍ଟା କରିଛନ୍ତି। ମହାପ୍ରଭୁଙ୍କୁ ଯେତେବେଳେ ମହାତ୍ମା ଗାନ୍ଧୀ ସ୍ବଚକ୍ଷୁରେ ମଧ୍ୟ ଦେଖିନଥିଲେ ସେତେବେଳେ ବି ସେ ଐକ୍ୟ ଭାବର ମନ୍ତ୍ର ବୁଣିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦାହରଣ ଦେଇଥିଲେ। ବୋଧହୁଏ ଏହା ଅନେକ ଜାଣିନଥାଇ ପାରନ୍ତି। ଗାନ୍ଧୀଜୀ ଖୋଦ୍‌ ଏକ ପତ୍ରିକାରେ ଲେଖିଥିବା ଆଲେଖ୍ୟରେ ଏପରି ଉଦାହରଣ ଦେଇଛନ୍ତି।

ମହାତ୍ମା ଗାନ୍ଧୀଙ୍କ ଉପରେ ଗବେଷଣାରତ ଲେଖକ ଗୌରାଙ୍ଗ ଚରଣ ପରିଡ଼ାଙ୍କ ଗବେଷଣା ଲବ୍ଧ ତଥ୍ୟ ମୁତାବକ, ବିଭିନ୍ନ ରାଜ୍ୟରୁ ଦକ୍ଷିଣ ଆଫ୍ରିକା ଯାଇଥିବା ଭାରତୀୟମାନେ ବୈଠକରେ ଛାଡ଼ିଛାଡ଼ି ହୋଇ ବସୁଥିଲେ। କେହି କାହା ସହ ମିଶୁ ନଥିଲେ। ଗାନ୍ଧୀ ସେମାନଙ୍କୁ କହିଥିଲେ, ଏଠାକୁ ଆସିବା ବେଳେ ତୁମେମାନେ ଏହି ଜାତି ଓ ଶ୍ରେଣୀଗତ ପ୍ରଭେଦକୁ ‌ସେଇଠି ଛାଡ଼ିଦେଇ ଆସିଲ ନାହିଁ କାହିଁକି? ଛୁଆଁ ଅଛୁଆଁ ଭାବନାକୁ ସମ୍ପତ୍ତି କରି ଏଠାକୁ ନେଇକି ଆସିଛ କାହିଁକି? ଏଠାରେ ସମସ୍ତେ କେବଳ ଭାରତୀୟ ହୋଇ ରହିବା ଉଚିତ୍‌। ଠିକ୍‌ ଯେମିତି ପୁରୀରେ ଦେଖିବାକୁ ମିଳେ। ପୁରୀରେ ଜାତି ଓ ଶ୍ରେଣୀଗତ ବିବିଧତା ନାହିଁ। ମନ୍ଦିର ଭିତରକୁ ଚାଲିଗଲେ ସମସ୍ତେ କାନ୍ଧକୁ କାନ୍ଧ ମିଶାଇ ଦର୍ଶନ କରନ୍ତି। ଏକାଠି ପ୍ରସାଦ ସେବନ କରନ୍ତି। ଆଞ୍ଚଳିକ ଓ ଜାତିଗତ ବିଦ୍ବେଷ ରଖୁଥିବା ଭାରତୀୟମାନଙ୍କୁ ଏକତା ସୂତ୍ରରେ ବାନ୍ଧିବା ପାଇଁ ତାଙ୍କ ଦ୍ବାରା ପ୍ରତିଷ୍ଠିତ ‘ଇଣ୍ଡିଆନ ଓପିନିୟନ’’ ପତ୍ରିକାରେ ଏପରି ଆହ୍ବାନ ଦେଇଥିଲେ ଗାନ୍ଧୀଜୀ। ୧୯୦୪ ମସିହା ଅଗଷ୍ଟ ୨୦ ତାରିଖରେ ପତ୍ରିକାରେ ପ୍ରକାଶ ପାଇଥିବା ଆଲେଖ୍ୟ ‘ଦି ୟୁଜେସ ଅଫ୍ ଆଡ୍‌ଭରସିଟି’ରେ ସେ ପ୍ରଥମେ ମହାପ୍ରଭୁଙ୍କୁ ସାଂସ୍କୃତିକ ସଂହତିର ଏକାକୀ ପ୍ରତିନିଧି ଭାବେ ଅନ୍ତର୍ଜାତୀୟ ସ୍ତରରେ ଉପସ୍ଥାପନ କରିଥିଲେ।

ଗାନ୍ଧୀଜୀଙ୍କୁ ସେତେବେଳେ ୩୫ ବର୍ଷ। ତେବେ ଏହା ପୂର୍ବରୁ ସେ ମହାପ୍ରଭୁଙ୍କୁ ଦର୍ଶନ କରିନଥିଲେ ମଧ୍ୟ ପିଲାବେଳେ ତାଙ୍କ ମା’ ପୁତୁଲି ବାଈଙ୍କଠାରୁ ଜଗନ୍ନାଥଙ୍କ ବିଷୟରେ ଶୁଣି ଏଭଳି ଅଭିବ୍ୟକ୍ତି ରଖୁଥିଲେ। ଗୁରୁତ୍ବପୂର୍ଣ୍ଣ ବିଷୟ ଏହି ଯେ ଗାନ୍ଧୀଜୀ ଓଡ଼ିଶାକୁ ୮ ଥର ଆସିଥିବା ବେଳେ ୧୯୨୧, ୧୯୩୪ ଓ ୧୯୩୮ରେ ପୁରୀ ଭ୍ରମଣ ସମୟରେ ବିଭିନ୍ନ ସମ୍ମିଳନୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାବଦରେ ପ୍ରଶଂସା କରିଛନ୍ତି। ୧୯୨୧ ମସିହା ମାର୍ଚ୍ଚ ୨୭ ତାରିଖରେ ପୁରୀରେ ଗାନ୍ଧୀ ସେବାସଂଘ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବ‌େଳେ ମହାପ୍ରଭୁଙ୍କ ଦର୍ଶନ କରି ଅଭିଭୂତ ହୋଇଥିଲେ। ତେବେ ହରିଜନ ପଦଯାତ୍ରା ସମୟରେ ଦଳିତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଦିଆ ନଯିବା ବିଷୟକୁ ସେ ଗ୍ରହଣ କରିପାରିନଥିଲେ। ଯେଉଁ ମନ୍ଦିରକୁ ଦଳିତଙ୍କ ପ୍ରବେଶକୁ ଗ୍ରହଣ କରାଯାଇ ପାରୁନାହିଁ ସେଠାରେ ପତ୍ନୀ କସ୍ତୁରବା ଜଗନ୍ନାଥ ମନ୍ଦିରକୁ ଦର୍ଶନ କରିବାକୁ ଯିବା ଗାନ୍ଧୀଜୀକୁ ଭଲ ଲାଗିନଥିଲା। କିନ୍ତୁ କଲେକ୍ଟେଡ୍‌ ୱାର୍କସ ଅଫ୍ ମହାତ୍ମା ଗାନ୍ଧୀର ଭଲ୍ୟୁମ ୬୬, ପୃଷ୍ଠା ୬୬/୬୭ରେ ଉଲ୍ଲେଖ ଅଛି ଯେ ଗାନ୍ଧୀଜୀ ଶ୍ରୀମନ୍ଦିରରେ ଦଳିତଙ୍କ ପ୍ରବେଶ ନେଇ ଅସନ୍ତୋଷ ପ୍ରକାଶ କରିବାରୁ, ୧୯୩୮ ମସିହା ମାର୍ଚ୍ଚ ୩୦ ତାରିଖରେ ବେରବୋଇରେ ଚାଲିଥିବା ସମ୍ମିଳନୀକୁ ଜଗନ୍ନାଥ ମନ୍ଦିରର ବଡ଼ପଣ୍ଡା ଯାଇଥିଲେ। ସେଇ ସମ୍ମିଳନୀରେ ଗାନ୍ଧୀଜୀଙ୍କୁ ବଡ଼ପଣ୍ଡା କହିଥିଲେ ଦଳିତଙ୍କ ମନ୍ଦିର ପ୍ରବେଶ ନେଇ ଆପଣଙ୍କୁ ଭୁଲ୍‌ ସୂଚନା ଦିଆଯାଇଛି। ମନ୍ଦିରରେ ହରିଜନ ସେବା ଚାଲୁଥିବା ବ‌େଳେ ଦଳିତଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ନାହିଁ। ତେଣୁ ଗାନ୍ଧୀଜୀ ଦଳିତଙ୍କୁ ସାଥିରେ ନେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବାକୁ ବଡ଼ପଣ୍ଡା ଡାକିଥିଲେ। ମାତ୍ର ସେତେବେଳକୁ ଗାନ୍ଧୀଜୀଙ୍କର ପୁରୀରେ ଶେଷ ଦିନ ଥିବାରୁ ସେ ମନ୍ଦିର ଯାଇପାରିନଥିଲେ। ପରଦିନ ଅର୍ଥାତ ମାର୍ଚ୍ଚ ୩୧ ତାରିଖରେ ଗାନ୍ଧୀଜୀଙ୍କର ମୌନ ବ୍ରତ ଥିବାରୁ ସେ କେଉଁଆଡ଼େ ବାହାରିନଥିଲେ। ଏହା ପରେ ଗାନ୍ଧୀଜୀ ଆଉ କେବେ ଓଡ଼ିଶା ଆସିନଥିଲେ। ଅନ୍ତତଃ ଗାନ୍ଧୀ ପୁନଃ ଓଡ଼ିଶା ଆସିଥିଲେ ଲୋକଙ୍କ ମନରେ ବସା ବାନ୍ଧିଥିବା ଏ ଦ୍ବନ୍ଦ୍ବ ବି ଦୂର ହୋଇ ଯାଇପାରିଥାଆନ୍ତା ବୋଲି ‌ଶ୍ରୀ ପରିଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର