ମହାତ୍ମା ଗାନ୍ଧୀଙ୍କ ନିଶା ନିବାରଣ ଅଭିଯାନକୁ ଦଳି ଚକଟି ଦିଆଗଲା

ଓଡ଼ିଶାରେ ଅବକାରୀ ମାମଲା ୩୯ ପ୍ରତିଶତ, ମଦ କାରବାର ୨ଗୁଣ ବୃଦ୍ଧି

ଭୁବନେଶ୍ବର : ଓଡ଼ିଶାର ଦାରିଦ୍ର୍ୟ ପାଇଁ ନିଶାକୁ ଏକ କାରଣ ବୋଲି କହିଥିଲେ ମହାତ୍ମା ଗାନ୍ଧୀ। ୧୯୩୮ ମସିହା ପୁରୀ ଜିଲ୍ଲା ବେରବୋଇର ଆୟୋଜିତ କାର୍ଯ୍ୟକ୍ରମରେ ସେ ଏହି ମତ ଦେଇଥିଲେ। ସ୍ବାଧୀନତା ସଂଗ୍ରାମ ଭଳି ନିଶା ବିରୋଧୀ ତାଙ୍କ ଅଭିଯାନ ବ୍ୟାପକ ଥିଲା। ଏପରିକି ସେତେବେଳେ କଂଗ୍ରେସରେ ସଦସ୍ୟ ହେବା ପାଇଁ ଚରଖାରେ ସୂତାକଟା, ଖଦି ବସ୍ତ୍ର ପରିଧାନ ସହିତ ନିଶା ନିବାରଣ ଏକ ମାନଦଣ୍ଡ ଥିଲା। ନିଶାଡ଼ିମାନଙ୍କ ପାଇଁ କଂଗ୍ରେସ ନିଷିଦ୍ଧ ଥିଲା। ମାତ୍ର ତାଙ୍କର ଏହି ନିଶା ନିବାରଣ ଅଭିଯାନକୁ ଦଳି ଚକଟି ଦେଉଛନ୍ତି ବର୍ତ୍ତମାନର ସ୍ବାଧୀନ ଭାରତର ସରକାର। ଏନ୍‌ସିଆର୍‌ବି ରିପୋର୍ଟରେ ନାର୍‌କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ତଥ୍ୟ ଭୟଙ୍କର ଚିତ୍ର ସାମ୍ନାକୁ ଆଣିଲାଣି। ସେଥିରେ ପୁଣି ମଦକୁ ରାଜସ୍ବ ସଂଗ୍ରହର ବଡ଼ ଆୟ ଭାବରେ ଗ୍ରହଣ କରିବା ଯୋଗୁଁ ଦେଶ ଏବଂ ରାଜ୍ୟରେ ମଦ୍ୟପାନ; ଏପରିକି ମହିଳା ମଦ୍ୟପାନ ବଢ଼ିଥିବା ନେଇ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରୁ ପ୍ରକାଶିତ ହୋଇଛି। ଏହାକୁ ନେଇ ଚଳିତ ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ ଉଠାଇବା ସହିତ ଉଦ୍‌ବେଗ ପ୍ରକାଶ କରିଥିଲେ।

update odisha

ଏନ୍‌ସିଆର୍‌ବି ରିପୋର୍ଟ-୨୦୨୧ ଅନୁସାରେ, କେବଳ ୨୦୨୦ ମସିହାରେ ଦେଶରେ ଅଫିମ, ହେରୋଇନ, ଗଞ୍ଜେଇ, କଫ ସିରଫ୍‌, ଇଞ୍ଜଜେକ୍ଟିଭ୍‌ ନିଶା, ଟାବ୍‌ଲେଟ ଭଳି ୬୬ ହଜାର ୮୫୬ଟି ଘଟଣାର ପର୍ଦାଫାସ କରି ବ୍ୟାପକ ପରିମାଣର ନିଶା ଦ୍ରବ୍ୟ ଜବତ କରିଛି ନୂଆଦିଲ୍ଲୀସ୍ଥିତ ନାର୍‌କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଏଥିରେ ସମୁଦାୟ ୯୧ ହଜାର ୫୧୭ ଜଣଙ୍କୁ ଗିରଫ କରାଯାଇଛି। ୬୫ ହଜାର ୫୪୦ଟି ମାମଲା ସ୍ଥାନୀୟ ଥାନା, ୬୮୪ଟି ମାମଲା ଏନ୍‌ସିବି ଏବଂ ୬୩୨ଟି ମାମଲା ଅନ୍ୟ ସ୍ଥାନରେ ରୁଜୁ ହୋଇଛି। କେବଳ ଗଞ୍ଜେଇ ୩୪ ହଜାର ୫୧୧, ବ୍ରାଉନ୍‌ସୁଗାର ୧୧ ହଜାର ୮୭୪, ହେରୋଇନ ୧୧ ହଜାର ୯୫୧ଟି ମାମଲା ପର୍ଦାଫାସ ହୋଇଛି।

ଗୋଟିଏ ବର୍ଷରେ ୬୬ ହଜାର ମାମଲାର ପର୍ଦ୍ଦାଫାସ କରିଛି ନାର୍‌କୋଟିକ୍‌ ବ୍ୟୁରୋ
ମଦରୁ ରାଜସ୍ବ ଆଦାୟ, ଏଣେ ଶିଥିଳ ପଡ଼ୁଛି ମଦ ବିରୋଧୀ ଆନ୍ଦୋଳନ

ଚଳିତ ରାଜ୍ୟ ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୧ ମସିହାରେ ସମୁଦାୟ ୬୪ ହଜାର ୭୦୮ଟି ଅବକାରୀ ମାମଲା ରୁଜୁ କରାଯାଇଛି। ଯାହା ପୂର୍ବ ବର୍ଷ ତୁଳନାରେ ୩୯ ପ୍ରତିଶତ ଅଧିକ ଅଟେ। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୩୭ ପ୍ରତିଶତ ଅଧିକ ବ୍ୟକ୍ତି ଅର୍ଥାତ ସମୁଦାୟ ୪୨ ହଜାର ୩୫୮ ଜଣଙ୍କୁ ଗିରଫ କରାଯାଇଛି। ବେଆଇନ ମଦ କାରବାର ମଧ୍ୟ ଗୋଟିଏ ବର୍ଷରେ ଦୁଇ ଗୁଣ ହୋଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ବି ଏହା ସ୍ପଷ୍ଟ ହେଉଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୫ ରିପୋର୍ଟ ଅନୁସାରେ, ପୁରୁଷ ମଦ୍ୟପଙ୍କ ଜାତୀୟ ହାର ୧୮.୭ ପ୍ରତିଶତ ଏବଂ ଓଡ଼ିଶାର ହାର ତା’ଠାରୁ ଅଧିକ ୨୮.୭ ପ୍ରତିଶତରେ ପହଞ୍ଚିଛି। ସରକାରଙ୍କ ଯୁକ୍ତି ଅନୁସାରେ, ଏନ୍‌ଏଫ୍‌ଏଚ୍‌ଏସ୍‌-୪ ଏବଂ ୫ର ରିପୋର୍ଟର ତୁଳନାତ୍ମକ ଅଧ୍ୟୟନ କଲେ ପୁରୁଷ ମଦ୍ୟପଙ୍କ ହାର ହ୍ରାସ ପାଉଛି। ଏହି ରିପୋର୍ଟରେ ମହିଳା ମଦ୍ୟପଙ୍କ ହାର ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି।

ଏନ୍‌ଏଫ୍‌ଏଚ୍‌ଏସ୍‌-୪ ଅନୁଯାୟୀ ମହିଳା ମଦ୍ୟପାନ ହାର ୧.୨ ପ୍ରତିଶତ ଥିଲା କିନ୍ତୁ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଏହା ୧.୩ ପ୍ରତିଶତକୁ ବୃଦ୍ଧି ପାଇଛି। ରାଜ୍ୟରେ ଯେଉଁଭଳି ନିଶା କାରବାର ବୃଦ୍ଧି ପାଉଛି ଓ ଏସମ୍ପର୍କିତ ଅପରାଧ ହତ୍ୟା, ଦୁଷ୍କର୍ମ, ଦାଦାଗିରି, ଲୁଟ୍‌, ରାହାଜାନୀ, ଘରୋଇ ହିଂସା ସହିତ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଥିବା ଅଧିକାଂଶ ଘଟଣାର କାରଣ ନିଶାଜନିତ ଅଟେ। ଆହୁରି ମଧ୍ୟ ଉଭୟ ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟକୁ ମଧ୍ୟ ନିଶା ପ୍ରଭାବିତ କରୁଛି। ଏମ୍‌ସ ମନସ୍ତତ୍ବ ଡାକ୍ତରଙ୍କ କହିବା ଅନୁସାରେ, ଲକ୍‌ଡାଉନରେ ନିଶାଜନିତ କାରଣରୁ ଅଧିକରୁ ଅଧିକ ବ୍ୟକ୍ତିଙ୍କଠାରେ ମାନସିକ ରୋଗ ଦେଖାଯାଇଥିଲା।

ଅନ୍ୟଦିଗରେ ନିଶା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ କୌଣସି ବ୍ୟବସ୍ଥା ନାହିଁ। ରାଜ୍ୟରେ ମଦ ବିରୋଧୀ ଆନ୍ଦୋଳନ ମଧ୍ୟ ଶିଥିଳ ପଡ଼ି ସାରିଛି। ନିଶାକୁ ବିରୋଧ କୌଣସି ରାଜନୈତିକ ଦଳର ଏଜେଣ୍ଡାରେ ନାହିଁ। ଏହାକୁ ନେଇ କୌଣସି ସ୍ଥାନରେ ବ୍ୟାପକ ଆନ୍ଦୋଳନ ନାହିଁ। ଅଧିକାଂଶ କାର୍ଯ୍ୟକ୍ରମ କେବଳ ଗାଁ କିମ୍ବା ସହରର ସାହିସ୍ତରରେ ସୀମିତ ରହୁଛି। ନିଶା ନିବାରଣ ବିରୋଧରେ ରାଜ୍ୟସ୍ତରୀୟ ଆନ୍ଦୋଳନ ଗଢ଼ି ଉଠିପାରିନାହିଁ। ଗାନ୍ଧୀବାଦୀ ନେତା ପ୍ରହଲ୍ଲାଦ ସିଂଙ୍କ କହିବା ଅନୁସାରେ- ନବଜୀବନ ପତ୍ରିକାରେ ମହାତ୍ମା ଗାନ୍ଧୀ ଲେଖିଥିଲେ, ମଦ ଛଡ଼ାଇବା ଉଦ୍ୟମକୁ ପାପ ବୋଲି ବିଚାର କରୁଥିବା ସରକାର ଆପେ ଧ୍ବଂସ ପାଇଯିବ। ମଦୁଆ ଏବଂ ମଦ ବେପାରି ନ ସୁଧୁରିଲେ, ସେମାନଙ୍କୁ ବାସନ୍ଦ କରିବାକୁ ମଧ୍ୟ ମହାତ୍ମା ଗାନ୍ଧୀ ଆହ୍ବାନ ଦେଇଥିଲେ। ଆଜି ମହାତ୍ମା ଗାନ୍ଧୀଙ୍କ ଏହି ଆହ୍ବାନକୁ ଗ୍ରହଣ କରାଯାଇ ପାରିବ ତ?

ସମ୍ବନ୍ଧିତ ଖବର