ପ୍ରଖ୍ୟାତ ଯାତ୍ରା ଅଭିନେତା ମହେନ୍ଦ୍ର ଦାସଙ୍କ ପରଲୋକ, ବହୁ ଯାତ୍ରା ନାଟକ ସମେତ ଏହି ଓଡ଼ିଆ ସିନେମାରେ କରିଥିଲେ ଅଭିନୟ

କଟକ: ପ୍ରଖ୍ୟାତ ଯାତ୍ରା ଅଭିନେତା ମହେନ୍ଦ୍ର ଦାସ ଆଉ ନାହାନ୍ତି। ସେ ଯଲିଉଡରେ ଭିକୁ ସେଠ୍ ନାଆଁରେ ପରିଚିତ ଥିଲେ। ସୂଚନା ଅନୁସାରେ ଗତକାଲି ରାତିରେ ଚୌଦ୍ବାର ସ୍ଥିତ ବାସଭବନ ତାଙ୍କର ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା ଏବଂ କଟକକୁ  ହସ୍ପିଟାଲ ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ଯଲିଉଡର ଏହି ଚର୍ଚ୍ଚିତ କଳାକାର ପ୍ରାୟ ୩୦ ବର୍ଷ ଧରି ଯାତ୍ରା ମଂଚରେ ରାଜ୍ କରିଛନ୍ତି।
ମହେନ୍ଦ୍ର ଦାସ ଭିଲେନ ଚରିତ୍ରରେ ମଂଚକୁ ଆସିବା ପରେ ଦର୍ଶକଙ୍କ ତାଳିରେ ଫାଟି ପଡୁଥିଲା ପୁରା ପରିବେଶ । ବହୁ ଆଦୃତ ଯାତ୍ରା ’ଶାଗୁଣା ବସିଛି ଡେଣା ମେଲାଇ’ରୁ ତାଙ୍କୁ ପ୍ରସିଦ୍ଧି ମିଳିଥିଲା । ଏହି ଯାତ୍ରାରେ ଭିକୁସେଠ ଭାବେ ତାଙ୍କ ଚରିତ୍ର ଓ ଡାଏଲଗକୁ ଆଜିଯାଏଁ ମନେ ରଖିଛନ୍ତି ଦର୍ଶକ । ଗୌରୀ ଓ କଳିଙ୍ଗ ଗଣନାଟ୍ୟରେ ସେ ବହୁଦିନ ଧରି କାମ କରିଥିଲେ । ଗୋଟିଏ ସମୟରେ ତାଙ୍କୁ ନେଇ କଳିଙ୍ଗ ଗଣନାଟ୍ୟ ମଧ୍ୟ ନିଜର ପରିଚୟ ତିଆରି କରିଥିଲା । ପାର୍ବତୀ ଗଣନାଟ୍ୟ ଓ ଧଉଳି ଗଣନାଟ୍ୟରେ ମଧ୍ୟ ସେ ଅଭିନୟ କରିଛନ୍ତି ।

ଆଉ ଏକ ଉଲ୍ଲେଖନୀୟ ବିଷୟ ହେଲା ଯେ ମହେନ୍ଦ୍ର ଦାସ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦେଶିତ ‘ଯଶୋଦା’ରେ ମଧ୍ୟ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ।

ସମ୍ବନ୍ଧିତ ଖବର