ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟରେ ବନ୍ଧା ହୋଇଥିବା ଦୁଇ କୁମ୍କୀ ହାତୀ ମହେନ୍ଦ୍ର, ରାଜକୁମାରକୁ ମିଳିଛି ଡିଜିଟାଲ୍ ପରିଚୟ। ଡେରାଡୁନ୍ସ୍ଥିତ ଭାରତୀୟ ବନ୍ୟଜୀବ ସଂସ୍ଥାନ(ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଡବ୍ଲୁଆଇଆଇ) ସାରା ଭାରତ ବର୍ଷରେ ପୋଷା ହୋଇଥିବା ହାତୀଙ୍କର ପରିଚୟ ପାଇଁ ଏ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ସାତକୋଶିଆର ଏହି ଦୁଇ ପୋଷା ହାତୀଙ୍କୁ ବି ଏଥିରେ ସାମିଲ୍ କରାଯାଇଛି। ପରିଚୟ ସ୍ବରୂପ, ଉଭୟ ହାତୀଙ୍କ ଦେହରେ ରେଡିଓ ଫ୍ରିକ୍ୟୁଏନ୍ସି ଆଇଡେଣ୍ଟିଫିକେସନ୍ (ଆର୍ଏଫ୍ଆଇଡି) ନାଁରେ ଏକ ମୋବାଇଲ୍ ସିମ୍ ଆକୃତିର କ୍ଷୁଦ୍ର ଇଲେକ୍ଟ୍ରୋ ମାଗ୍ନେଟିକ୍ ଯନ୍ତ୍ର ଖଞ୍ଜାଯାଇଛି। ହାତୀଙ୍କର ଡିଏନ୍ଏ ପ୍ରୋଫାଇଲ୍ ପାଇଁ ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରି ସଂସ୍ଥାନକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ବନ୍ୟଜନ୍ତୁଙ୍କ ଚୋରା ଚାଲାଣ ଉପରେ ଅଙ୍କୁଶ ଲଗାଇବା, ଯେଉଁଠି ଥିଲେ ବି ସେମାନଙ୍କର ପରିଚୟକୁ ସ୍ପଷ୍ଟ କରିବା ପାଇଁ ଭାରତ ସରକାର ଏ ପ୍ରକାର ଏକ ଉଦ୍ୟମ ଆରମ୍ଭ କରିଛନ୍ତି। ପୋଷା ପ୍ରାଣୀଙ୍କ ଦେହରେ ଏ ଛୋଟ ଯନ୍ତ୍ରଟିକୁ ଖଞ୍ଜାଯିବ। ସେ ଯନ୍ତ୍ରରେ ପ୍ରତି ହାତୀ ପାଇଁ ସ୍ବତନ୍ତ୍ର ନମ୍ବର ରହିବ, ଠିକ୍ ମଣିଷମାନଙ୍କର ଆଧାର କାର୍ଡ ଭଳି। ଏହି ନମ୍ବର ସହିତ ହାତୀର ଶାରୀରିକ ଏବଂ ଡିଏନ୍ଏ ସହିତ ଜଡ଼ିତ ଅନ୍ୟାନ୍ୟ ତଥ୍ୟ ସବୁ ଖଞ୍ଜାଯାଇଛି। ହାତୀ ଯେଉଁଠି ଥିଲେ ବି, ଏ ନମ୍ବରକୁ ସ୍କାନ୍ କରିଦେଲେ ଯେକୌଣସି ସମୟରେ ହାତୀର ଇତିହାସ ସବୁ ଜଣାପଡ଼ି ପାରିବ।