ପାରଳାଖେମୁଣ୍ତି : ମହେନ୍ଦ୍ରତନୟା ନଦୀରେ ରହସ୍ୟଜନକ ଭାବେ ବ୍ୟବହାର ହେଉଥିବା ଡଙ୍ଗାଟିକୁ ପ୍ରଶାସନ ନିଜ ହେପାଜତକୁ ନେଇଛି । ଡଙ୍ଗାଟି କାହାର ଏବ˚ ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଏହା ନଦୀରେ କିପରି ଚଳାଚଳ କରୁଥିଲା ତାହାର ତଦନ୍ତ ଚାଲିଛି ବୋଲି ଦାୟିତ୍ବରେ ଥିବା ଅଧିକାରୀ ଅତିରିକ୍ତ ତହସିଲଦାର ସ୍ବାଗତିକା ଦାସ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି । ଗତ ସପ୍ତାହରେ କିଛି ବ୍ୟକ୍ତି ଏହି ଡଙ୍ଗାଟି ସନ୍ଧ୍ୟା ସମୟରେ ଅନ୍ଧାରରେ ଚାଲୁଛି ବୋଲି ସମ୍ବାଦ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ଏହି ଖବର ପାଇବା ପରେ ପ୍ରାୟ  ୪ ଦିନ ଡଙ୍ଗା ଉପରେ ନଜର ରଖାଯାଇଥିଲା ଏବ˚ ଦିନତମାମ ଏହାକୁ ନଦୀ ତଟରେ ଓଡ଼ିଶା ପାର୍ଶ୍ବରେ ବନ୍ଧା ହୋଇ ରହିଥିବା ଦେଖିବାକୁ ମିଳିଥିଲା । ରାତିରେ ଡଙ୍ଗା ଚାଲୁଛି ବୋଲି ସୂଚନା ମିଳିଥିବା ସତ୍ତ୍ବେ ଲକ୍‌ଡାଉନ୍‌ କାରଣ ଯୋଗୁଁ ଏହାର ତଦନ୍ତ ହୋଇପାରିନଥିଲା । ଗତକାଲି ସନ୍ଦେହଜନକ ଡଙ୍ଗା ବିଷୟରେ ଖବର ପ୍ରକାଶ ପାଇବା ପରେ ଏହାର ଗୋଟିଏ ଦିନ ପୂର୍ବରୁ ପ୍ରଶାସନ ଡଙ୍ଗାଟିକୁ ଜବତ କରିଥିବା ନେଇ ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଥିଲେ। ବେଆଇନ ଭାବେ ବାଲି ଖନନ ନଚେତ ଅନ୍ୟ କୌଣସି କାର୍ଯ୍ୟପାଇଁ ଡଙ୍ଗା ବ୍ୟବହାର ହେଉଥିଲା ଏହି ରହସ୍ୟକୁ ଉନ୍ମୋଚନ କରିବା ଆବଶ୍ୟକତା ରହିଛି।

Advertisment

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମା ମଧ୍ୟରେ ମହେନ୍ଦ୍ରତନୟା ନଦୀ ପ୍ରବାହିତ ହେଉଛି। ପାରଳା ସହରକୁ ଲାଗି ରହିଥିବା ମହେନ୍ଦ୍ରତନୟା ନଦୀକୁ ପାର କରିଲେ ପଡ଼ୋଶୀ ରାଜ୍ୟର ପୁରୁଣାପାଟଣା ଏବ˚ ମେଳିଆପୁଟ ମଣ୍ତଳ ସହ ସ˚ଯୋଗ ହୋଇପାରିବ। ନଦୀର ଆରପାର୍ଶ୍ବରେ ରହିଛି ଅଚ୍ୟୁତାପୁରମ୍‌, ପୁରୁଣାପାଟଣା, ଦଶରଥପୁର ମେଳିଆପୁଟ ଓ ଚାଙ୍ଗୁଡି ପ୍ରଭୃତି ଗ୍ରାମ। ନଦୀ ପାର୍ଶ୍ବରେ ପୋଲିସ ପ୍ରହରା ସୀମିତ ଥିବା ଯୋଗୁଁ ଏହି ବାଟରେ ଅନେକ ବେଆଇନ ସାମଗ୍ରୀ ବିଶେଷକରି ମଦ, ଗୁଟୁକା ଓ ତମାଖୁ ରପ୍ତାନି ଓ ଆମଦାନି  ହେବାର ସମ୍ଭାବନା ରହିଛି। ଏବ˚ ଦାଦନ ଶ୍ରମିକ ଯାତାୟାତ ବି କରିପାରିବେ । ଆଶ୍ଚର୍ଯ୍ୟର ବିଷୟ ହେଲା ଡଙ୍ଗାଟି ଜବତ ହେବାର ୨୪ ଘଣ୍ଟା ପରେ ମଧ୍ୟ ଏହାର ମାଲିକଙ୍କ ସଂପର୍କରେ ପ୍ରଶାସନ ନିକଟରେ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ।