ପାରଳାଖେମୁଣ୍ତି : ଗୋଷାଣୀ ବ୍ଲକ୍‌ କୃଷ୍ଣସାଗର ସହ କେନାଲ୍ ମାଧ୍ୟମରେ ମହେନ୍ଦ୍ରତନୟା ନଦୀର ସଂଯୋଗୀକରଣ ହେବ। ୧୦୦ କୋଟିର ଏହି ଯୋଜନାକୁ ରାଜ୍ୟ ସରକାର ସବୁଜ ସଂକେତ ଦେବା ପରେ ଚାଷୀଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି।

Advertisment

ପ୍ରାୟ ୮୦୦ ଏକର ଜମି ଉପରେ ୨୦୦ ବର୍ଷ ପୁରୁଣା କୃଷ୍ଣସାଗର ଅବସ୍ଥିତ। ୮ଟି ପଞ୍ଚାୟତର ୬ ହଜାର ହେକ୍ଟର ଜମିକୁ ଜଳସେଚନ ପାଇଁ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ପୂର୍ବରୁ ଏହି ସାଗରର ଜଳ ବର୍ଷକୁ ଦୁଇଥର ଧାନ ଉତ୍ପାଦନ ପାଇଁ କାମରେ ଲାଗୁଥିଲା। କିନ୍ତୁ ବିଗତ ୩୦ ବର୍ଷ ହେଲା କୃଷ୍ଣସାଗର ଖରାଦିନରେ ଶୁଖିଯାଉଥିବା ହେତୁ ଏହାଉପରେ ନିର୍ଭର କରୁଥିବା ଚାଷୀମାନେ ରବି ଫସଲ ଉତ୍ପାଦନକୁ ବନ୍ଦ କରିଦେଇଥିଲେ। ଫଳରେ ମହେନ୍ଦ୍ରତନୟା ସହ କୃଷ୍ଣସାଗରର ସଂଯୋଗୀକରଣ ପାଇଁ ଗୋଷାଣୀ, ଲାବନ୍ୟଗଡ, ରମ୍ପା, ସୋବରା, ଗାରାବନ୍ଧ, ଶରଧାପୁର, ବଡକତ୍ତୁରୁ, ଭୁସ୍କୁଡ଼ି, ଘୋରଣୀ ଏବ˚ ତାଟିପେଟାର ଚାଷୀମାନେ ବାରମ୍ବାର ଦାବି ଉଠାଇଆସୁଛନ୍ତି। ଏପରିକି ୨୦୦୮ ମସିହାରେ ରାୟଗଡ ବ୍ଲକ୍‌ର ଡମ୍ବାପୁର ଓ ଚମ୍ପାପୁର ଆନିକଟ ପ୍ରକଳ୍ପ ନିର୍ମା‌ଣ ଘୋଷଣା ପରେ ଏହି ଯୋଜନା କାର୍ଯ୍ୟକାରୀ ହେବାପାଇଁ ଆଶା ଉଜ୍ଜ୍ବଳ ହୋଇଥିଲା। କିନ୍ତୁ ଡମ୍ବାପୁର ପ୍ରକଳ୍ପ ଘୋଷଣାର ୧୩ ବର୍ଷ ମଧ୍ୟରେ ୩ ଜଣ ସା˚ସଦ ଏବ˚ ୩ ଜଣ ବିଧାୟକ ପରିବର୍ତ୍ତନ ହୋଇସାରିଥିଲେ ବି, ଯୋଜନା କାର୍ଯ୍ୟକାରୀ ହୋଇପାରୁନି।

ଏଭଳି ପରିସ୍ଥିତିରେ ଗତକାଲି ଡ.ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ବରେ ଗୋଷାଣୀ ବ୍ଲକ୍‌ର କିଛି ପ୍ରମୁଖ ନେତା ଏବ˚ ଅଗ୍ରଣୀ ଚାଷୀ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ରଙ୍କ ସହ ସାକ୍ଷାତ କରିଥିଲେ। ପୂର୍ବତନ ପାରଳାଖେମୁଣ୍ତି ବିଧାୟକ ବିଜୟ ଜେନା, ବୀର ରାଜୁ ଓ ଭୁସ୍କୁଡି ସରପଞ୍ଚ ଟି.ନାଗେଶ୍ବର ରାଓ, ବି.ଧାନୁଞ୍ଜୟଲୁ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହଯୋଗରେ ଆଲୋଚନା ହୋଇଥିଲା।

ରାଜ୍ୟ ସରକାର କୃଷ୍ଣସାଗରକୁ କେନାଲ ମାଧ୍ୟମରେ ମହେନ୍ଦ୍ରତନୟା ନଦୀ ସହ ସ˚ଯୋଗୀକରଣ ଦିଗରେ ଗୁରୁତ୍ବ ଦେଇଛନ୍ତି। ତୁରନ୍ତ ଏହା କାର୍ଯ୍ୟକାରୀ ହେବ। ଚଳିତ ନଭେମ୍ବର ମାସ ସୁଦ୍ଧା କେନାଲ୍ ଖନନ ପାଇଁ  ଟେଣ୍ତର ପ୍ରକ୍ରିୟା ଆରମ୍ଭ ହେବ ଓ ଡିସେମ୍ବର ମାସ ସୁଦ୍ଧା ଠିକାଦାର ନିର୍ଦ୍ଧାରିତ ହେବ।

ଚମ୍ପାପୁର ଠାରୁ କୃଷ୍ଣସାଗର ପ୍ରାୟ ୧୫ କିମି ଦୂରତା ଏବ˚ ଏହି ଯୋଜନା ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର ହେବାର ସମ୍ଭାବନା ରହିଛି। ଉକ୍ତ ପ୍ରକଳ୍ପଟି ଜଳସମ୍ପଦ ବିଭାଗର ଏକ ମେଗା ପ୍ରୋଜେକ୍ଟ୍ ଭାବେ ମାନ୍ୟତା ପାଇଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ, ଗୋଷାଣୀ ଓ ରାୟଗଡ଼୍ ବ୍ଲକ୍‌ରେ କୃଷି ‌କ୍ଷେତ୍ରରେ ବିକାଶ ହୋଇପାରିବ ବୋଲି ସୂଚନା ମିଳିଛି।