ଶୁଖିବାକୁ ବସିଲାଣି ମହେନ୍ଦ୍ରତନୟା, ପାରଳାରେ ପାନୀୟ ଜଳସଙ୍କଟ ଆଶଙ୍କା 

ପାରଳାଖେମୁଣ୍ତି : ପାରଳା ସହରର ଜୀବନରେଖା  କୁହାଯାଉଥିବା‌ ମହେନ୍ଦ୍ରତନୟା ନଦୀ ଏବେ ଶୁଖିବାକୁ ବସିଲାଣି। ଗ୍ରୀଷ୍ମ ଆରମ୍ଭରୁ ନଦୀଶଯ୍ୟା ଶୁଷ୍କ ହୋଇଗଲାଣି। କେଉଁଠି କେମିତି ଖାଲୁଅରେ ପାଣି ଟିକିଏ ଜମି ରହିଛି। ଆସନ୍ତା ୨ ସପ୍ତାହ ମଧ୍ୟରେ ଉପରମୁଣ୍ତରେ ବର୍ଷା ନହେଲେ ଜଳସମସ୍ୟା ଆରମ୍ଭ ହେବ ବୋଲି ବର୍ତ୍ତମାନ ଠାରୁ ଆଶଙ୍କା ହେଲାଣି।

ପାରଳାଖେମୁଣ୍ତି ପୌରପାଳିକାର ୬୦ ହଜାରରୁ ଅଧିକ  ଜନସାଧାରଣଙ୍କ ପାଇଁ ପ୍ରତିଦିନ ଥରେ କିମ୍ବା ୨ଥର ଏହି ନଦୀରୁ ପାଣିଯୋଗାଣ ହୋଇଥାଏ।  ବଡ଼ବଡ଼ ରିଗବୋର‌୍‌ ମଧ୍ୟାମରେ ଜନସ୍ବାସ୍ଥ୍ୟ ବିଭାଗ ପାଣି ଉଠାଇ ପାଇପ ଜରିଆରେ ସହରକୁ ଜଳଯୋଗାଣ କରିଥାଏ। ଏବେ ମହେନ୍ଦ୍ରତନୟା ନଦୀଗର୍ଭ  ସମ୍ପୂର୍ଣ୍ଣ ଶୁଖିଲା ପଡ଼ିବା ଫଳରେ ସହରବାସୀଙ୍କ ଚିନ୍ତା ବଢ଼ିଛି। ବର୍ଷା ଦିନରେ ମହେନ୍ଦ୍ରତନୟାର ଜଳ ମେଳିଆପୁଟି ପୋଲ ଠାରୁ ପାରଳାଖେମୁଣ୍ତି ପୋଲ ମଧ୍ୟରେ ସ˚ରକ୍ଷିତ ହୋଇ ରହିଥାଏ ଏବ˚ ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ଏହି ସ˚ରକ୍ଷିତ ଜଳ ସହରକୁ ଯୋଗାଣ ହୋଇଥାଏ। ଦୈନିକ ୫୦ ହଜାର  କ୍ୟୁବିକ ଲିଟର ଜଳ ସହର ପାଇଁ ଆବଶ୍ୟକ ଥିବାବେଳେ ଦୈନିକ ୧.୦ ଲକ୍ଷ କ୍ୟୁବିକ ଲିଟର  ପାଣି ଜନସ୍ବାସ୍ଥ୍ୟ ବିଭାଗ  ପକ୍ଷରୁ ଉଠାଯାଉଛି। ସାଧାରଣତଃ ଖରାଦିନରେ ଅସ୍ଥାୟୀ ହିଡ଼ବାନ୍ଧି ପାରଳାଖେମୁଣ୍ତି ପୋଲତଳେ ଜଳ ସ˚ରକ୍ଷଣ କରାଯାଇଥାଏ। କିନ୍ତୁ ବର୍ଷାଦିନରେ ଏହି ହିଡ଼ ଧୋଇ ହୋଇଯାଏ। କୌଣସି କାରଣରୁ ଜନସ୍ବାସ୍ଥ୍ୟ ବିଭାଗ ଗତବର୍ଷ ବାଲି ବସ୍ତାରେ ନିର୍ମାଣ ହେଉଥିବା ଅସ୍ଥାୟୀ ହିଡ଼ କରିନଥିଲା  ଏବ˚ ଏହି କାରଣରୁ ମହେନ୍ଦ୍ରତନୟା ନଦୀର ପାଣି  ସଂରକ୍ଷିତ ନହୋଇ ସମୁଦ୍ରକୁ ପ୍ରବାହିତ ହୋଇଥିଲା।

ଜନସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀଙ୍କ କହିବା ଅନୁସାରେ ନଦୀର  ଉପଗର୍ଭରେ ଜଳ ନଥିବା ସତ୍ତ୍ବେ ତଳେ ଆବଶ୍ୟକ ପରିମାଣର ଜଳ ଗଚ୍ଛିତ ରହିଛି। ଆତଙ୍କିତ ହେବାର କୌଣସି କାରଣ ନାହିଁ ଏବ˚ ସାମାନ୍ୟ ବର୍ଷାହେଲେ  ପୁନର୍ବାର ଜଳ ରିଚାର୍ଜ ହୋଇଯିବ ବୋଲି ଜନସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି । ବର୍ତ୍ତମାନ ପ୍ରବଳ ଖରା ଏବ˚ ଦିନକୁ ୨ ବେଳା ସୀମିତ ସମୟ ପାଇଁ ପାନୀୟ ଜଳ ଆସୁଥିବା ଯୋଗୁଁ ଯଦି ବର୍ଷା ବିଳମ୍ବ ହୋଇଯାଏ  ପିଇବା ପାଣି ପାଇବା କାଠିକର ହୋଇପଡିବ ବୋଲି ଆଶଙ୍କା ହୋଇଛି।

ସମ୍ବନ୍ଧିତ ଖବର