ବିଜେଡିରେ ମିଶିବେ ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ

ସୋମବାର ଭୁବନେଶ୍ୱରରେ ହେବ ମିଶ୍ରଣ ପର୍ବ

ବାରିପଦା: ମୟୂରଭଞ୍ଜରେ ବିଜେଡି ବାହାର ଦଳରୁ ନେତା ଆମଦାନୀ କରି ଜିଲ୍ଲାରେ ଶକ୍ତି ଵୃଦ୍ଧି ଯୋଜନାକୁ କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏହି କ୍ରମର ପ୍ରାଥମିକ ପର୍ଯ୍ୟାୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ ବିଜୁ ଜନତା ଦଳରେ ମିଶିବାର କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଛି। ସୋମବାର ଦିନ ଭୁବନେଶ୍ୱରରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବା ନେଇ ପ୍ରାୟତଃ ସବୁ ପ୍ରକ୍ରିୟା ସମ୍ପନ୍ନ ହୋଇଥିବା ଜଣାପଡିଛି। ଏହି ମିଶ୍ରଣ ପର୍ବରେ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀର ଜେଏମଏମର ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ନେତା ରାମଚନ୍ଦ୍ର ମୁର୍ମୁ, ଗୋବିନ୍ଦ ମାଝୀ, ପୂର୍ବତନ ଜିଲ୍ଲା ସଭାପତି ଫାଗୁ ହାଁସଦା, ଯଶୀପୁର ନିର୍ବାଚନମଣ୍ଡଳୀର ଭୀମ ନାଏକଙ୍କ ସମେତ ଏକାଧିକ ସରପଞ୍ଚ, ସମିତି ସଭ୍ୟ ଏବଂ ଶତାଧିକ ସମର୍ଥକଙ୍କ ସହିତ ମହେଶ ବିଜେଡିରେ ମିଶିବେ।
ଏହି ନେତାମାନଙ୍କର ବିଜେଡ଼ିରେ ମିଶ୍ରଣ ଫଳରେ ଦଳ ରାଇରଙ୍ଗପୁର, ସାରସକଣା ଓ ଯଶୀପୁର ଭଳି ନିର୍ବାଚମଣ୍ଡଳୀରେ ଶକ୍ତି ବୃଦ୍ଧି କରିବାକୁ ଯୋଜନା ରଖିଥିବା ଜଣାପଡିଛି। ବିଶେଷକରି ପୁରା ଜିଲ୍ଲାରେ ଜେଏମଏମର ରହିଥିବା ଆଦିବାସୀ ଭୋଟ ବ୍ୟାଙ୍କକୁ ଟାର୍ଗେଟ କରିଛି ବିଜେଡି। ଗତ ପଞ୍ଚାୟତ ଏବଂ ସାଧାରଣ ନିର୍ବାଚନରେ ଜେଏମଏମ ଭୋଟ ବ୍ୟାଙ୍କର ଏକ ବଡ଼ ଅଂଶ ବିଜେପିକୁ ଚାଲିଯାଇଥିଲା। ଫଳରେ ପୁରା ଜିଲ୍ଲାରେ ବିଜେପିର ଭୋଟ ସେୟାରରେ ଆଖିଦୃଶିଆ ଅଭିବୃଦ୍ଧି ଘଟିଥିଲା। ପୂର୍ବତନ ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା ଜେଏମଏମରେ ଯୋଗଦେବା ପରେ ମହେଶଙ୍କ ଦଳରେ ଅଣଦେଖା କରାଯାଇଥିଲା। ଏପରିକି ତାଙ୍କୁ ରାଜ୍ୟ ସଭାପତି ପଦରୁ ହଟାଇ ମଧ୍ୟ ଦିଆଯାଇଥିଲା। ଦଳର ସୁପ୍ରିମୋ ଶିବୁ ସୋରେନଙ୍କ କନ୍ୟା ଅଞ୍ଜନୀ ସୋରେନ ଏବେ ନିଜେ ଓଡ଼ିଶା ଶାଖାର ସଭାପତି ଦାୟିତ୍ବ ନେଇ ଜେଏମଏମ ମଙ୍ଗ ଧରିଛନ୍ତି।
ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ମହେଶ ବିଜେଡ଼ିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର କୌଣସି କାରଣରୁ ଏହା ଫଳପ୍ରଦ ହୋଇପାରିନଥିଲା। ଏଥର କିନ୍ତୁ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ପ୍ରତ୍ୟକ୍ଷ ଗୋଟି ଚାଳନାରେ ଏହି ମିଶ୍ରଣ ପର୍ବ ପ୍ରକ୍ରିୟା କାର୍ଯ୍ୟକାରୀ ହେବା ଯୋଜନା ଚାଲିଛି। ଦଳର ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ତଥା ଅନ୍ୟାନ୍ୟ ନେତୃତ୍ୱ ବିଜେଡିରେ ଯୋଗଦେବା କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଛି। ଏଥିସହିତ ସୁନ୍ଦରଗଡ଼ରେ ଥିବା ମହେଶଙ୍କ ସମର୍ଥକ ତଥା ବରିଷ୍ଠ ଜେଏମଏମ ନେତାମାନେ ମଧ୍ୟ ବିଜେଡିରେ ମିଶିବେ।
ଜିଲ୍ଲାବାରି ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଏପରି ହେଲେ ସୁନ୍ଦରଗଡ଼ରେ ମଧ୍ୟ ବିଜେଡିର ଆଦିବାସୀ ଭୋଟ ବ୍ୟାଙ୍କ ବୃଦ୍ଧି ଘଟିବ। ତେବେ ମହେଶ ଏବଂ ତାଙ୍କ ସମର୍ଥକମାନେ ବିଜେଦିରେ ମିଶିଲେ ଦଳ ତାଙ୍କୁ କିପରି ଥଇଥାନ କରିବ ତାହା ଦେଖିବାକୁ ବାକି ରହିଲା। କାରଣ ଉପରୋକ୍ତ ନିର୍ବାଚନମଣ୍ଡଳୀରେ ଥିବା ବିଜେଡି ନେତାମାନେ ଏମାନଙ୍କୁ କିପରି ଗ୍ରହଣ କରିବେ ତାହା ମଧ୍ୟ ଏକ ଆହ୍ବାନଭରା ବିଷୟ ନିଶ୍ଚୟ। ତେବେ ଏନେଇ ବବି ଅତ୍ୟନ୍ତ ସତର୍କତାର ସହିତ ଗୋଟି ଚାଳନା କରୁଥିବା ଜଣାପଡିଛି। ସୂଚନା ଅନୁସାରେ ଏହି ମିଶ୍ରଣ ପର୍ବରୁ ମୟୂରଭଂଜରେ ବିଜେଡିର ବାହାର ଦଳରୁ ନେତା ଆମଦାନୀ ପ୍ରକ୍ରିୟା ଆରମ୍ଭ ହେବା ଜଣାପଡିଛି। ଆଗକୁ ବିଜେପିର ଏକାଧିକ ନେତା ମଧ୍ୟ ବିଜେଡିରେ ଯୋଗଦେବାର ଯୋଜନା ରହିଥିବା ଜଣାପଡିଛି। ଏହା ଆଗକୁ ଆସୁଥିବା ପଞ୍ଚାୟତ ଓ ପୋୖର ନିର୍ବାଚନକୁ ରୋଚକ କରିବ ବୋଲି ଚର୍ଚ୍ଚା ହେଉଛି।
ସମ୍ବନ୍ଧିତ ଖବର