ଅନୁଗୁଳ: ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ମହେଶ ସାହୁଙ୍କୁ ଏଥର ଟିକେଟ ଦେଇନି ବିଜେଡି। କେଉଁ ଏକ ବିଧାନସଭା କ୍ଷେତ୍ରରୁ ତାଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି କୁହାଯାଉଛି। ହେଲେ, ଏଥିନେଇ କୌଣସି ସ୍ପଷ୍ଟ ସଙ୍କେତ ମିଳିନି। ଏପଟେ ମହେଶଙ୍କ ଟିକେଟ କଟିବାପରେ ତାଙ୍କ ସମର୍ଥକମାନେ ନିରାଶ ହୋଇପଡ଼ିଛନ୍ତି। ପ୍ରତି ବିଧାନସଭା କ୍ଷେତ୍ରରେ ତାଙ୍କର ସମର୍ଥକ ରହିଥିଲାବେଳେ ଏବେ ସେମାନେ ଦୋ’ଛକିରେ ପଡ଼ିଯାଇଛନ୍ତି। ଢେଙ୍କାନାଳ ସଂସଦୀୟ ‌କ୍ଷେତ୍ର ଅଧୀନରେ ଅନୁଗୁଳ ଜିଲ୍ଲାର ରହିଥିବା ଅନୁଗୁଳ, ତାଳଚେର ଓ ପାଳଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ମହେଶଙ୍କ ସଂଗଠନ ରହିଛି। ଏଠାରେ ସାଂସଦ ଓ ବିଧାୟକଙ୍କ ଭିତରେ ଭଲ ସଂପର୍କ ନ ଥିବାରୁ ଉଭୟଙ୍କ ସଂଗଠନ ଅଲଗା ଅଲଗା କାମ କରେ। ଏପରିକି ବିଜେଡିର କର୍ମୀ ‌ହେଲେ ମଧ୍ୟ ଉଭୟ ସମର୍ଥକଙ୍କ ଭିତରେ ଭଲ ସଂପର୍କ ନଥାଏ। ପଞ୍ଚାୟତସ୍ତରରୁ ଆରମ୍ଭ କରି ବ୍ଲକ୍‌ ପର୍ଯ୍ୟନ୍ତ ସାଂସଦ ଓ ବିଧାୟକଙ୍କ ସମର୍ଥକଙ୍କ ଭିତରେ ତୁତୁ ମେଁ ମେଁ ଲାଗି ରହିଥାଏ। ଏହା ସବୁବେଳେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲାବେଳେ ବିଜେଡିର ବଡ଼ ଶଙ୍ଖ ଓ ସାନ ଶଙ୍ଖ ଭାବେ ଦୁଇ ସଂଗଠନ କାର୍ଯ୍ୟ କରେ।

Advertisment

ଏବେ ମହେଶଙ୍କୁ ବିଜେଡି ଟିକେଟ ନ ଦେଇ ଯୁବନେତା ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରିଛି। ଏଭଳି ସ୍ଥିତିରେ ମହେଶଙ୍କ ସମର୍ଥକମାନେ କୁଆଡ଼େ ଯିବେ ସେ ଚିନ୍ତାରେ ଅଛନ୍ତି। ବିଧାୟକଙ୍କ ସହ ଭଲ ସଂପର୍କ ନ ଥିବାରୁ ସେମାନେ ବିଧାୟକଙ୍କ ଶିବିରକୁ ଯିବାର ସମ୍ଭାବନା କମ୍‌। ଗଲେ ବି ଗୁରୁତ୍ବ ନମିଳିପାରେ। ଏପଟେ ଅବିନାଶ ସାମଲ ରାଜନୀତିରେ ନୂଆ ହୋଇଥିବାରୁ ତାଙ୍କୁ ସେମାନେ ଭରସି ପାରୁନ‌ାହାନ୍ତି। ପୁଣି ଅବିନାଶ ଏମାନଙ୍କୁ ସ‌ାଙ୍ଗ‌ରେ ନେବେ କି ନାହିଁ ତାହା ବି ସନ୍ଦେହରେ। ଅନ୍ୟପକ୍ଷରେ, ପାଳଲହଡ଼ାରେ ବିଧାୟକ ମୁକେଶ ପାଳଙ୍କ ସମର୍ଥକଙ୍କ ଓ ମହେଶଙ୍କ ସମର୍ଥକଙ୍କ ମଧ୍ୟରେ ଖରାପ ସଂପର୍କ ଥିବାରୁ ସେମାନେ ଏକାଠି ହେବା ସମ୍ଭାବନା କମ୍‌। ଏସବୁକୁ ଦୃଷ୍ଟିକୁ ଆଣିଲେ, ମହେଶଙ୍କ ସମର୍ଥକ ଏବେ ଦଳରେ ରହିବେ, ନା’ ଅନ୍ୟ ଦଳମୁହାଁ ହେବେ ସେଥିନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ହେଉଛି। ତେବେ, ମହେଶଙ୍କୁ ଟିକେଟ ମିଳିବା ଉପରେ ଏହି ଚର୍ଚ୍ଚାର ଭବିଷ୍ୟତ ନିର୍ଭର କରୁଛି।