ପୁରୀ : ଧାଡ଼ି ଦର୍ଶନକୁ ନେଇ ଗତ ୩ ତାରିଖ ପୁରୀ ହିଂସାକାଣ୍ଡର ସମସ୍ତ ଭିଡ଼ିଓ କ୍ଲିପିଂ ଆମିକସ୍ କ୍ୟୁରିଙ୍କ ନିକଟରେ ପହଞ୍ଚିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହିଂସାକାଣ୍ଡର ସମସ୍ତ ଭିଡ଼ିଓ କ୍ଲିପିଂ ଆମିକସ୍ କ୍ୟୁରିଙ୍କୁ ପଠାଇଥିବା ବେଳେ ଏହା ଉପରେ ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ଖୁବଶୀଘ୍ର ତାଙ୍କ ଆଭିମୁଖ୍ୟ ରଖିପାରନ୍ତି ବୋଲି ଜଣାପଡ଼ିଛି। କେବଳ ସେତିକି ନୁହେଁ, ଆମିକସ୍ କ୍ୟୁରି ସେବାୟତମାନଙ୍କୁ ପରିବର୍ତନ ପାଇଁ ଯେଉଁ ୨୧ ଦିନର ମହଲତ ଦେଇଥିଲେ ତା’ ପୂର୍ବରୁ ସେ ଶ୍ରୀମନ୍ଦିର ଆସିପାରନ୍ତି ବୋଲି ସୂଚନା ମିଳିଛି। ସେବାୟତମାନେ ଏହାକୁ ନେଇ ଶଙ୍କାରେ ରହିଛନ୍ତି। ସୂଚନାଯୋଗ୍ୟ, ଗତ ୩ ତାରିଖ ଦିନ ହିଂସାକାଣ୍ଡ ଘଟିବା ପରେ ଆମିକସ୍ କ୍ୟୁରି ମୁଖ୍ୟ ପ୍ରଶାସକଙ୍କୁ ଏହାର ଫଟୋ ଓ ଭିଡ଼ିଓ କ୍ଲିପିଂ ମାଗିଥିଲେ। ସେପଟେ ଧାଡ଼ିଦର୍ଶନକୁ ନେଇ ଆଜି ରାଜସ୍ବ ମନ୍ତ୍ରୀ ତଥା ପୁରୀ ବିଧାୟକ ମହେଶ୍ବର ମହାନ୍ତି ମୁହଁ ଖୋଲିଛନ୍ତି। ଶ୍ରୀମନ୍ଦିର ଧାଡ଼ି ଦର୍ଶନକୁ ନେଇ ସେ ପ୍ରଶ୍ନ ଉଠାଇବା ସହ ଏହା ଶୃଙ୍ଖଳା ବଦଳରେ ଆହୁରି ବିଶୃଙ୍ଖଳା ଆଣିଦେବ ବୋଲି କହିଛନ୍ତି। ଶ୍ରୀ ମହାନ୍ତିଙ୍କ କହିବା ମୁତାବକ, ବାହାର ମନ୍ଦିରରେ କମ୍ ଜାଗା ଯୋଗୁଁ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା କରାଯାଉଛି। କିନ୍ତୁ ଶ୍ରୀମନ୍ଦିରରେ ବହୁ ଜାଗା ରହିଛି, ଯେଉଁଥିରେ ଭକ୍ତଙ୍କୁ ଦର୍ଶନରେ କୌଣସି ଅସୁବିଧା ହେବନି। ଅନ୍ୟ ସବୁ ମନ୍ଦିରରେ ଏକମାତ୍ର ଭଗବାନ ରହିଥିବାବେଳେ ଶ୍ରୀମନ୍ଦିରରେ ୩୩ କୋଟି ଦେବାଦେବୀ ରହିଛନ୍ତି। ସବୁ ଦେବାଦେବୀଙ୍କୁ ଦର୍ଶନ କରିବାକୁ ନିଶ୍ଚିତ ଅଧିକ ସମୟ ଆବଶ୍ୟକ। ଶ୍ରୀମନ୍ଦିରରେ ଭକ୍ତମାନେ ପ୍ରବେଶ କଲେ ବଳଭଦ୍ରଙ୍କୁ ଦର୍ଶନ ପାଇଁ ଗୋଟିଏ କଡ଼, ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଅନ୍ୟ କଡ଼ ଓ ମା ସୁଭଦ୍ରାଙ୍କ ଦର୍ଶନ ପାଇଁ ମଝିରେ ଛିଡ଼ା ହେବାକୁ ପଡ଼େ। ଏଭଳି ପରିସ୍ଥିତିରେ ଧାଡ଼ି ଦର୍ଶନ ବ୍ୟବସ୍ଥା କଲେ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହେବେ। ଏଣୁ ଏ ସଂପର୍କରେ ଅଧିକ ଆଲୋଚନା ଓ ବିଚାରବିମର୍ଶ କରିବା ଦରକାର। ଧାଡ଼ି ଦର୍ଶନ ଲାଗୁ କରିବା ପୂର୍ବରୁ ସୁପ୍ରିମକୋର୍ଟଙ୍କୁ ଏହାର ଅସୁବିଧା ସଂପର୍କରେ ଅବଗତ କରିବା ଦରକାର ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଆବଶ୍ୟକ ପଡ଼ିଲେ ସେ ନିଜେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।
ଧାଡ଼ି ଦର୍ଶନ ଉପରେ ମୁହଁ ଖୋଲିଲେ ମନ୍ତ୍ରୀ ମହେଶ୍ବର
ଆମିକସ୍ କ୍ୟୁରିଙ୍କ ପାଖରେ ପହଞ୍ଚିଲା ଭିଡ଼ିଓ କ୍ଲିପିଂ
/sambad/media/post_attachments/wp-content/uploads/2018/10/maheswar.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)