ପ୍ରଦେଶ ମହିଳା କ˚ଗ୍ରେସର ନବୀନ ନିବାସ ଘେରାଉ

ଟମାଟୋ ମାଡ଼ ଓ କଳା ବେଲୁନ୍‌ ଦେଖାଇ ପ୍ରତିବାଦ, ପୁଲିସ ମାଡ଼ରେ ଏକାଧିକ କର୍ମୀ ଆହତ

ଭୁବନେଶ୍ବର : ଓଡ଼ିଶାରେ ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଆଜି ମହିଳା କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯାଇଥିଲା। ଶୁକ୍ରବାର ଦିନ ପ୍ରାୟ ସାଢ଼େ ୧୧ଟାରେ ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନାଙ୍କ ନେତୃତ୍ବର ଶତାଧିକ କର୍ମୀ କଳ୍ପନା ଛକରୁ ଅଟୋରେ ବସି ନବୀନ ନିବାସ ଯାଇଥିଲେ। ସେଠାରେ ସେମାନେ କଳା ବେଲୁନ୍‌ ଦେଖାଇ ପ୍ରତିବାଦ କରିବା ସହ ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୂର୍ବରୁ ସଜାଗ ହୋଇ ରହିଥିବା ପୁଲିସ ବିରୋଧ କରିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ମହିଳାମାନେ ଅଚାନକ ନବୀନ ନିବାସ ଉପରକୁ ଟମାଟୋ ମାଡ଼ କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ବହୁ ମହିଳା କର୍ମୀଙ୍କୁ ଘଉଡ଼ାଇବା ସହ ଅନେକଙ୍କୁ ଗିରଫ କରିଥିଲା। ଏହାପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ତେବେ ପୁଲିସ ସହ ଧସ୍ତାଧସ୍ତି ବେଳେ ଏକାଧିକ ମହିଳା କର୍ମୀ ଆହତ ହୋଇଥିବା ଜଣାଯାଇଛି। କଟକ ଜିଲ୍ଲା ମହିଳା କ˚ଗ୍ରେସ ସଭାନେତ୍ରୀ ଶୋଭାମୟୀ ସି˚ଙ୍କ ମୁଣ୍ତରେ ଆଘାତ ଲାଗିବାରୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ଚାଲିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଗତ ୧୦ ତାରିଖରେ ଲିଖିତ ଭାବେ ଜଣାଇଥିଲୁ। ୧୪ ତାରିଖ ସୁଦ୍ଧା ଏ ସଂପର୍କରେ ଆମ ସହ ଆଲୋଚନା କରିବା ପାଇଁ ସମୟ ଦିଆଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ନ ଡାକିବାରୁ ସ୍ପଷ୍ଟ ଜଣାଯାଉଛି ଯେ ରାଜ୍ୟ ସରକାର ନାରୀ ସୁରକ୍ଷା ପ୍ରତି କେତେ ସଚେତନ। ଏହାର ପ୍ରତିବାଦରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତେବେ ଆଗାମୀ ଦିନରେ ଓଡ଼ିଶାବାସୀ ଏହାର ଦୃଢ଼ ଜବାବ ଦେବେ ବୋଲି ମହିଳା କଂଗ୍ରେସ ଚେତାବନୀ ଦେଇଛି।

ବିକ୍ଷୋଭରେ ପ୍ରଦେଶ ମହିଳା କ˚ଗ୍ରେସ କାର୍ଯ୍ୟକାରୀ ସଭାପତି ଅଜୟନ୍ତୀ ପ୍ରଧାନ, ବନ୍ଦିତା ପରିଡ଼ାଙ୍କ ସମେତ ପ୍ରଦେଶ ମହିଳା କ˚ଗ୍ରେସ କର୍ମକର୍ତା ସ୍ବାଧୀନବାଳା ଦାସ, ପ୍ରଭାତୀ ମିଶ୍ର, ଶୁଭଶ୍ରୀ ପଣ୍ତା, ଭାଗ୍ୟଶ୍ରୀ ପ୍ରଧାନ, ସୁଜାତା ଜେନା, ଏମ.ଏ ପରବିନ୍‌, ସବିତା ଧିର, ଦୀପ୍ତିରାଣୀ ପ୍ରଧାନ, ଶ୍ରୀୟା ସମ୍ବେଦନା, ରେଖା ହୋତା, ସୂର୍ଯ୍ୟକାନ୍ତି ବାଗ, ମୁନି ଥାପା, ବିଶ୍ବକଲ୍ୟାଣୀ କର, ନିରୁପମା ଦାସ, ମେଲିନା ଦାସ, ସ୍ମୃତିରେଖା ପହି, କନକଲତା ମଲ୍ଲିକ, ବିଜୟିନୀ ତିରିଆ, ସରସ୍ବତୀ ପାତ୍ର, ଆରତୀ ସ୍ବାଇଁ, ଗୀତାଞ୍ଜଳି ମହାନ୍ତି, ପ୍ରତିମା ମଲ୍ଲିକ, ରଞ୍ଜିତା ରାଉତ, ରୀତାଶ୍ରୀ ମହାନ୍ତି ଓ ନିର୍ମଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର