କଟକ: ୨୦୧୩ ମସିହାରେ ଖାନ୍ନଗର ମଣିମନ୍ଦିର ନିକଟରେ ଘଟିଥିବା ଗୁଳିମାଡ଼ ଓ ଆକ୍ରମଣ ଘଟଣାରେ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଜାମିନ୍ ଆବେଦନ ପୁଣି ଖାରଜ ହୋଇଛି। ଜିଲ୍ଲା ଓ ଦୌରା ଜଜ୍ ସତ୍ୟନାରାୟଣ ମିଶ୍ର ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ(ଓଏସ୍ଏଲ୍)ର ମୁଖ୍ୟ ଶ୍ରୀ ମିଶ୍ରଙ୍କ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି। ତାଙ୍କ ବିରୋଧରେ ଏହି ମାମଲାରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ସାକ୍ଷ୍ୟ ପ୍ରମାଣ ପ୍ରଭାବିତ ହେବାର ସମ୍ଭାବନା ଦୃଷ୍ଟିରୁ ଶ୍ରୀ ମିଶ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ସୂଚନା ମିଳିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ଏହି ମାମଲାରେ ଗତ ଫେବ୍ରୁଆରି ମାସରେ ଦୌରା ଜଜ୍ ଅଦାଲତ ଶ୍ରୀ ମିଶ୍ରଙ୍କ ଜାମିନ ନାମଞ୍ଜୁର କରିଥିଲେ। ଏହାପରେ ସେ ହାଇକୋର୍ଟରେ ଦାୟର କରିଥିବା ଜାମିନ ଆବେଦନ ୨୦୧୭, ଜୁନ୍ ୨୦ରେ ଖାରଜ ହୋଇଥିଲା। ମାମଲାରେ ତାଙ୍କ ବିରୋଧରେ ମେ’ ୨ ତାରିଖରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ପରିବର୍ତ୍ତିତ ପରିସ୍ଥିତିରେ ସେ ଏହି ଜାମିନ ଆବେଦନ ଦାୟର କରିଥିଲେ ବୋଲି ଦର୍ଶାଇଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ମଧୁପାଟଣା ଥାନା ଅନ୍ତର୍ଗତ ଖାନ୍ନଗର ମଣିମନ୍ଦିର ନିକଟରେ ୨୦୧୩, ସେପ୍ଟେମ୍ବର ୨୧ରେ ଆଇନଜୀବୀ ଅଭୟ ଭଟ୍ଟଙ୍କୁ କେତେକ ବ୍ୟକ୍ତି ଗୁଳିମାଡ଼ କରିବା ସହିତ ବୋମା ଫିଙ୍ଗିଥିଲେ। ଏହି ଘଟଣାକୁ ନେଇ ମଧୁପାଟଣା ଥାନାରେ ସେତେବେଳେ ଏତଲା ରୁଜୁ ହୋଇଥିଲା। ପୁଲିସ୍ ମାମଲର ତଦନ୍ତ କରି ୨୦୧୭, ଜାନୁଆରି ୪ରେ ଗଣେଶ ସାହୁ ଓରଫ୍ ବାବୁକୁ ଗିରଫ କରିଥିଲା। ଗଣେଶଙ୍କ ବୟାନକୁ ଆଧାର କରି ପରବର୍ତ୍ତୀ ସମୟରେ ମହିମାଙ୍କୁ ଏହି ମାମଲାରେ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ପୂର୍ବରୁ ପାରାଦୀପର ସିେଓ୍ଵଜ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଶ୍ରୀ ମିଶ୍ରଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିବା ବେଳେ ପାରାଦୀପ ତାରିଣୀଛକ ଗୁଳିକାଣ୍ଡ ଓ ୨୦୧୩ର ଏହି ଗୁଳିମାଡ ଘଟଣାରେ ହାଇକୋର୍ଟରେ ଜାମିନ ଖାରଜ ହେବା ପରେ ଶ୍ରୀ ମିଶ୍ରଙ୍କ ପାଇଁ ଜେଲରୁ ବାହରିବା ସମ୍ଭବ ହୋଇ ନଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ବିକ୍ରମ କେଶରୀ ରାଜ ମାମଲା ପରିଚାଳନା କରୁଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp