ନୂଆଗାଁ: ଆଜିକୁ ଠିକ୍ ମାସେ ତଳେ ନୟାଗଡ଼ଠାରୁ ମହିପୁର ପର୍ଯ୍ୟନ୍ତ ଟ୍ରେନ ସଂପ୍ରସାରଣ କରିଥିଲା। ପ୍ରତିଦିନ ଦୁଇଟି ଟ୍ରେନ୍ ଠିକ୍ ସମୟରେ ପହଞ୍ଚିଥାଏ ଏବଂ ନିର୍ଦ୍ଧାରିତ ସମୟରେ ଛାଡ଼ିଥାଏ। ଯାତ୍ରୀମାନେ ଷ୍ଟେସନ୍ କାଉଣ୍ଟର୍କୁ ଆସି ଟିକେଟ୍ ସଂଗ୍ରହ କରି ଦୂର ସ୍ଥାନକୁ ଯିବାଆସିବା କରନ୍ତି। ଟ୍ରେନ୍ ଚଳାଚଳ କରିବା ଦ୍ବାରା ଅଂଚଳର ବିକାଶ ହେବା ସହିତ ବ୍ୟବସାୟ କରିବାକୁ ଲୋକମାନେ ନିରାପଦ ଭାବେ ଯାତାୟାତ କରିଥାନ୍ତି। ଏକ ମାସ ମଧ୍ୟରେ ୧୨ ଶହ ୧୫ ଜଣ ଯାତ୍ରୀ ରେଳଯାତ୍ରା କରିଥିବା ବେଳେ, ବିଭାଗ ୩୪ ହଜାର ୧ ଶହ ୬୯ ଟଙ୍କା ଟିକେଟ୍ ବିକ୍ରି କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ଏଠାରେ ସବୁ ପ୍ରକାର ଅସୁବିଧା ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି। ଯାତ୍ରୀ ଯିବାଆସିବା କରିବାକୁ ରାସ୍ତା ନଥିବା ବେଳେ ପିଇବା ପାଣି ଓ ରାତ୍ରୀ ରହଣି ପାଇଁ କୌଣସି ପ୍ରକାର ସୁବିଧା ନାହିଁ, ଯାହାଦ୍ବାରା ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି।
ମିଳିଥିବା ଖବର ଅନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ସବୁବେଳେ ତତ୍ପରତା ଦେଖାଇ ଆସୁଛନ୍ତି। ଦେଢ଼ବର୍ଷ ତଳେ ନୟାଗଡ଼କୁ ରେଳ ଚଳାଚଳ କରିଥିବା ବେଳେ ଗତମାସ ୨୬ ତାରିଖ ଦିନ ମହିପୁରକୁ ରେଳ ସଂପ୍ରସାରଣ କରାଯାଇଥିଲା। ଆସନ୍ତା ୨୦୨୧ ମସିହା ସୁଦ୍ଧା ଦଶପଲ୍ଲାକୁ ରେଳ ସଂଯୋଗ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ମତ ରଖିଥିଲେ। ମହିପୁରକୁ ଟ୍ରେନ ଆସିବା ଦିନଠାରୁ ଆଜି ସୁଦ୍ଧା ୧୨ ଶହ ୧୫ ଜଣ ଯାତ୍ରୀ ରେଳଯାତ୍ରା କରିଛନ୍ତି। ରେଳ ବିଭାଗ ଟିକେଟ ବାବଦକୁ ୩୪ ହଜାର ୧ ଶହ ୬୯ ଟଙ୍କା ଆଦାୟ କରିଛି। ମହିପୁର ଷ୍ଟେସନକୁ ଦେଖିବାକୁ ଗଲେ ଏଠାରେ ସବୁ ପ୍ରକାର ଅସୁବିଧା ରହିଛି। କର୍ମଚାରୀଙ୍କ ରାତ୍ରି ରହଣି ପାଇଁ ଘର ନଥିବା ବେଳେ ଗାଧୋଇବା ଏବଂ ଶୌଚାଳୟ ନାହିଁ। ସେହିପରି ଯାତ୍ରୀମାନେ ଏଠାରେ ବିପଦଜନକ ଭାବେ ଯିବାଆସିବା କରୁଛନ୍ତି। ପ୍ରଥମ ଟ୍ରେନ୍ ଭୋର ୪ଟା ୩୦ ମିନିଟ୍ ସମୟରେ ମହିପୁରରୁ ପୁରୀ ଅଭିମୁଖେ ବାହାରୁଥିବା ବେଳେ ଆଉ ଗୋଟିଏ ଟ୍ରେନ୍ ଦିନ ୧୧ଟା ୩୦ ମିନିଟ୍ ସମୟରେ ମହିପୁରରୁ ଖୋର୍ଦ୍ଧା ରୋଡ୍ ପର୍ଯ୍ୟନ୍ତ ଯାଇଥାଏ। ସେହିପରି ପୁରୀରୁ ଗୋଟିଏ ଟ୍ରେନ୍ ଅପରାହ୍ଣ ୪ଟା ୩୦ ମିନିଟ୍ ସମୟରେ ଛାଡ଼ି ରାତି ୧୦ଟା ୩୦ ମିନିଟ୍ ସମୟରେ ମହିପୁର ଷ୍ଟେସନ୍ଠାରେ ପହଞ୍ଚିଥାଏ। ରାତିରେ ଷ୍ଟେସନରେ ଯାତ୍ରୀମାନେ ଓହ୍ଲାଇବା ପରେ ଅଣନିଶ୍ବାସୀ ହୋଇଯାନ୍ତି। ନିର୍ଜନ ଅନ୍ଧାର ରାସ୍ତାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଷ୍ଟେସନ୍ଠାରୁ ବାହାରକୁ ବାହାରିବାକୁ ରାସ୍ତା ନିର୍ମାଣ ହୋଇନଥିବା ବେଳେ ଏଠାରେ ପାନୀୟ ଜଳ, ଯାତ୍ରୀଙ୍କ ରହଣି ସ୍ଥାନ, ଶୌଚାଳୟ ଏବଂ ସୁରକ୍ଷା ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼କଥା ହେଲା ମହିପୁର ବସ୍ଷ୍ଟାଣ୍ତଠାରୁ ଷ୍ଟେସନ ୧ କିଲୋମିଟର ଦୂରତା ହୋଇଥିଲେ ମଧ୍ୟ ଷ୍ଟେସନ ଯିବାକୁ କୌଣସି ବୋର୍ଡ ଲଗାଯାଇନି କି ଲାଇଟ୍ର ବ୍ୟବସ୍ଥା ନାହିଁ। ମହିପୁର ଷ୍ଟେସନ୍କୁ ଲାଗି ଜଙ୍ଗଲ ରହିଥିବା ବେଳେ ସବୁବେଳେ ଭୟର ବାତାବରଣ ଲାଗି ରହୁଛି। ଏଥିପାଇଁ ରେଳ ବିଭାଗ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି। ଯଦି ଏସବୁର ସୁବିଧା କରାଯାନ୍ତା ତେବେ ଅଧିକ ଯାତ୍ରୀ ଯିବା ଆସିବା କରନ୍ତେ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।