ପୁରୀ :‌ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରାଯାଉ। ପୁରୀ ସମୁଦ୍ର ତଟରେ ପ୍ରସିଦ୍ଧ ‌ମହୋଦଧି ଆଳତି ଅବସରେ ଆୟୋଜିତ ସଭାରେ ଗୋବର୍ଦ୍ଧନ ମଠ ପୀଠାଧୀଷ ଜଗଦ୍‌ଗୁରୁ ଶଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଏହି ଦାବି କରିଛନ୍ତି। ଭାରତ ସହିତ ନେପାଳ ଓ ଭୁଟାନକୁ ବି ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରାଯାଉ ଏବଂ ଏହାଦ୍ବାରା ପୁରୁଷୋତ୍ତମ କ୍ଷେତ୍ର ପୁରୀ ସମେତ ସାରା ଭାରତବର୍ଷରେ ଧାର୍ମିକ, ଆଧ୍ୟାତ୍ମିକ ବାତାବରଣ ପ୍ରତିଷ୍ଠା ହେବ ଓ ଏହା ଆଧାରରେ ବିକାଶ କାର୍ଯ୍ୟ ଆଗେଇ ଚାଲିବ ବୋଲି ସେ କହିଛନ୍ତି।

Advertisment

publive-image ଶଙ୍କରାଚାର୍ଯ୍ୟଙ୍କୁ ପ୍ରଣାମ ଜଣାଉଛନ୍ତି ରାଜ୍ୟପାଳ

ବିଶ୍ବଶାନ୍ତି ଲକ୍ଷ୍ୟରେ ଆଜି ପବିତ୍ର ପୌଷ ପୂର୍ଣ୍ଣିମାରେ ପୁରୀ ସ୍ବର୍ଗଦ୍ବାର ସମ୍ମୁଖ ସମୁଦ୍ର ତଟରେ ପ୍ରସିଦ୍ଧ ମହୋଦଧି ଆଳତି ଅନୁଷ୍ଠିତ ହୋଇଥିଲା। ଗୋବର୍ଦ୍ଧନ ମଠ ପୀଠାଧୀଷ ଜଗଦ୍‌ଗୁରୁ ଶଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଆଜି ସଂଧ୍ୟାରେ ବିଶ୍ବଶାନ୍ତି ଉଦ୍ଦେଶ୍ୟରେ ଏହି ମହୋଦଧି ଆଳତି ପ୍ରଭୁ ଶ୍ରୀନାରାୟଣଙ୍କ ଉଦ୍ଦେଶ୍ୟରେ ସପର୍ପଣ କରିଥିଲେ। ଏହି ଅବସରରେ ପୁରୀ ଗୋବର୍ଦ୍ଧନ ମଠ ଆନୁକୂଲ୍ୟରେ ତୀର୍ଥରାଜ ଶ୍ରୀ ମହୋଦଧିଙ୍କ ସଂଧ୍ୟା ଆରତୀର ତ୍ରୟୋଦଶ ବାର୍ଷିକ ଉତ୍ସବ ଆଜି ସ୍ବର୍ଗଦ୍ବାର ସମ୍ମୁଖ ସମୁଦ୍ର ତଟରେ ଅନୁଷ୍ଠିତ ହୋଇଥିଲା। ଏହି ପବିତ୍ର କାର୍ଯ୍ୟକ୍ରମରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବଡ଼ଚଣା ବିଧାୟକ ଅମର ଶତପଥୀ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୁରୀ ବିଧାୟଜ ଜୟନ୍ତ କୁମାର ଷଡ଼ଙ୍ଗୀ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ସମେତ ବହୁ ସାଧୁସନ୍ଥ, ମଠ ମହନ୍ତ ଏହି ପବିତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମହୋଦଧି ଆଳତି ସହ ସମୁହ ଦୀପଦାନ କରିଥିଲେ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଗଜପତି ମହରାଜ, ରାଜ୍ୟପାଳ ବି ଆଳତି ସମର୍ପଣ କରିଥିଲେ।

ଭକ୍ତଙ୍କୁ ଉଦ୍‌ବୋଧନ କରି ଜଗଦ୍‌ଗୁରୁ ଶଙ୍କରାଚର୍ଯ୍ୟ କହିଥିଲେ, ମହୋଦଧିର ତଟରେ ତିନି ଠାକୁରଙ୍କ ଦାରୁ ଲାଗିଥିବାରୁ ଏଠାରେ ତିନି ଠାକୁର ବିଦ୍ୟମାନ ବୋଲି ବିଶ୍ବାସ ରହିଛି। ଏଣୁ ଏଠାରେ ଯିଏ ବି ପୂଜାର୍ଚ୍ଚନା କରିଛି, ତାକୁ ସ୍ବର୍ଗପ୍ରାପ୍ତି ହେବାର ବି ବିଶ୍ବାସ ରହିଛି। ଋକବେଦରେ ମହାପ୍ରଭୁଙ୍କ ଯଶୋଗାନ କରାଯାଇଛି। ସେ ତ୍ରେତୟା ଯୁଗ ହେଉ କି କଳିଯୁଗ, ସବୁଠି ଶ୍ରୀଜଗନ୍ନାଥ ପରମପୂଜ୍ୟ ଭାବେ ପ୍ରତିଷ୍ଠିତ। ସେ ଆହୁରି ମଧ୍ୟ କହିଥିଲେ ଯେ, ବେଦାଦି ଶାସ୍ତ୍ର ଅନୁମୋଦିତ କାର୍ଯ୍ୟକ୍ରମ ଆଧାରରେ ବିକାଶ କାର୍ଯ୍ୟକୁ କ୍ରିୟାନ୍ବିତ କରିବା ଦରକାର। ଭାରତ, ନେପାଳ ଓ ଭୁଟାନକୁ ସଭିଙ୍କ ହିତ ପାଇଁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ। ଏହି ତିନି ଦେଶ ବେଦାଦି ଶାସ୍ତ୍ର ଦ୍ବାରା ପରିଚାଳିତ ହୋଇ ବିଶ୍ବକୁ ମାର୍ଗଦର୍ଶନ କରୁ। ସଦ୍‌ଭାବପୂର୍ବକ ଶ୍ରୀମନ୍ଦିରର ବିକାଶ କରାଯାଉ। ମାନ୍ୟବର ସୁପ୍ରିମକୋର୍ଟ ଯେଉଁ ସଂସ୍କାର ପ୍ରସଙ୍ଗ ଉଠେଇଛନ୍ତି, ତାହା ଋକବେଦ ଆଧାରରେ ହେଉ ବୋଲି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ କହିଥିଲେ।