ସମ୍ବଲପୁର: ଗତ ଏପ୍ରିଲ ମାସରେ ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ବ୍ୟାପକ ହିଂସା ସୃଷ୍ଟି‌ ହୋଇଥିଲା। ଜଳାପୋଡ଼ା ସହ କର୍ଫ୍ୟୁ ଜାରି ହୋଇଥିଲା। ଏସବୁ ସତ୍ତ୍ବେ ସମ୍ବଲପୁରର ସାଂପ୍ରଦାୟିକ ଭାଇଚାରାର ନିଦର୍ଶନ ମହରମ୍‌ ଏଥର ବି ପ୍ରଚଳିତ ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଛି। ପ୍ରଶାସନିକ କଟକଣା ଯୋଗୁ ଯଦିଓ ମହରମ୍‌ ଶୋଭାଯାତ୍ରା ସବୁପଡ଼ାର ଏକାଠି ହୋଇ ବାହାରିପାରିନି କି ଗୋଲବଜାରରେ ତାଜିଆ ମିଳନ ହୋଇନାହିଁ, କିନ୍ତୁ ନିଜ ନିଜ ପଡ଼ାରେ ତାଜିଆ ଶୋଭଯାତ୍ରା ବାହାରିଥିଲା ଓ ଆଖଡ଼ା ବି ପ୍ରଦର୍ଶନ ହୋଇଥିଲା।

Advertisment

ସମ୍ବଲପୁରରେ ମୁଦିପଡ଼ାର ପଢ଼ିଆରୀ ପରିବାରରୁ ଦୀର୍ଘ ୩୫୯ବର୍ଷ ତଳେ ପ୍ରଥମେ ତାଜିଆ ଶୋଭାଯାତ୍ରା ବାହାରିଥିଲା। ପଢ଼ିଆରୀ ପରିବାରର ଜୟଦେବ ପଢ଼ିଆରୀ ନିଜ ଯୁବାବସ୍ଥାରେ ମକ୍କା ଚାଲି ଯାଇଥିଲେ। ସେଠାରେ କିଛି ବର୍ଷ ରହି ଫେରିବା ପରେ ସେ ମହରମ ସମୟରେ ତାଜିଆ ଶୋଭାଯାତ୍ରା ଆରମ୍ଭ କରିଥିଲେ। ପିଢ଼ି ପଢ଼ି ପରେ ପଢ଼ିଆରୀ ପରିବାର ତାଜିଆ ବାହାର କରିଆସୁଥିବା ବେଳେ ଚଳିତ ବର୍ଷ ୩୬୦ ବର୍ଷରେ ପଦାର୍ପଣ କରିଛି। ଏଥର ଶୋଭାଯାତ୍ରା ଉପରେ ପ୍ରଶାସନିକ କଟକଣା ଲାଗିଥିବାରୁ ଘରୁ ଶୋଭାଯାତ୍ରା ବାହାରି ପଡ଼ାରେ ହିଁ ପୂଜା କରାଯାଇଛି। ଏଥିରେ ଉଭୟ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ସାମିଲ ହୋଇ ପୂଜାର୍ଚ୍ଚନା କରିଛନ୍ତି। ହିନ୍ଦୁ ଘରୁ ଏହି ତାଜିଆ ଶୋଭାଯାତ୍ରା ବାହାରୁଥିବା ବେଳେ ଜଣେ ମୁସଲମାନ ପୂଜକ ପୂଜା କରୁଥିବା ଦେଖିବାକୁ ମିଳେ। ‌

publive-image

କେବଳ ସେତିକି ନୁହେଁ, ଆଗରୁ ଗୌର ନାମକ ଜଣେ ବ୍ୟକ୍ତି ଦଳେଇପଡ଼ା ମହରମ୍‌ କମିଟି ପାଇଁ ତାଜିଆ ତିଆରି କରୁଥିଲେ। ତାଙ୍କ ବିୟୋଗ ପରେ ଗତ କିଛି ବର୍ଷ ହେବ ଆଉ ଜଣେ ହିନ୍ଦୁ ବ୍ୟକ୍ତି ଦଳେଇପଡ଼ାର ଗୁଡ୍ଡୁ ଡନସନା ତାଜିଆ ପ୍ରସ୍ତୁତ କରିଥିଲେ। ବର୍ଷା ସମୟ ହୋଇଥିବାରୁ ଗୁଡ୍ଡୁ ଯବାନ ଇ-ହିନ୍ଦ-କ୍ଲବ ପରିସରରେ ତାଜିଆ ତିଆରି କରିଥିଲେ। ସେହିପରି ଅନ୍ୟ ବର୍ଷ ଭଳି ଏଥର ବି ଓସ୍ତାଦ ବାସୁଦେବ ବରିହା ବି ପରମ୍ପରା ବଜାୟ ରଖି ମହରମ ଶୋଭାଯାତ୍ରା ପାଇଁ ଆଖଡ଼ା ଶିକ୍ଷା ଦେଇଥିଲେ। ଆଜି ବି ସେ ତାଜିଆ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପୂର୍ବରୁ ତାଙ୍କ ପୂର୍ବପୁରୁଷମାନେ ଆଖଡ଼ା ଶିଖାଉ ଥିଲେ ବୋଲି ଦଳେଇପଡ଼ା ମହରମ କମିଟିର ଉପଦେଷ୍ଟା ମହମ୍ମଦ ଇସାକ୍‌ କହିଛନ୍ତି। ସେହିପରି ସୁନାପାଲି, ମୋତିଝରଣ, ଭୂତାପଡ଼ା, ପେନ୍‌ସନ୍‌ପଡ଼ା, କୁମ୍ଭାରପଡ଼ା, ବଡ଼ବଜାରରେ ବି ଆଜି ତାଜିଆ ଶୋଭାଯାତ୍ରା ବାହାରିଛି। ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ୨୨ ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଥିଲା।