ସମ୍ବଲପୁର : ସମ୍ବଲପୁରରେ ଶୃଙ୍ଖଳାର ସହିତ ପାଳନ ହେବ ମହରମ୍‌। ମିଳିବ ନାହିଁ ସମୂହ ଶୋଭାଯାତ୍ରା ପାଇଁ ଅନୁମତି। ମହରମ ପର୍ବ ପାଳନ ପାଇଁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ଶାନ୍ତି ଓ ସମନ୍ୱୟ କମିଟି ବୈଠକରେ ଏଭଳି ନିଷ୍ପତ୍ତି ‌ହୋଇଛି। ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ଚଳିତବର୍ଷ ମହରମ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କହିଥିଲେ। ଏସ୍‌ପିଙ୍କ ନିଷ୍ପତ୍ତି ପରେ ବୈଠକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମୁସଲିମ୍‌ ସମ୍ପ୍ରଦାୟର ଲୋକେ ଏହାକୁ ବିରୋଧ କରିବା ସହ ପାତରଅନ୍ତର ଅଭିଯୋଗ ମଧ୍ୟ ଆଣିଥିଲେ। ଆମ ଶୀତଳଷଷ୍ଠୀକୁ ଅନୁମତି ମିଳିଲା, ଆମ ରଥ ଯାତ୍ରାକୁ ବି ଅନୁମତି ମିଳିଲା, ହେଲେ ଆମ ମହରମ୍‌ ପାଇଁ ଅନୁମତି ଦେବାକୁ ପ୍ରଶାସନ କାହିଁକି ଚାହୁ ନାହିଁ ବୋଲି ପ୍ରଶ୍ନ ହୋଇଥିଲା।

Advertisment

‘ହନୁମାନ ଜୟନ୍ତୀ ଅବସରରେ ସହରରେ କର୍ଫ୍ୟୁ ଲଗାଇବାକୁ ପଡ଼ିଲା, ୩୦ ଦିନ ପରେ ଯାଇ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ସ୍ଥିତି ଯେତେବେଳେ ବିଗିଡ଼ିଥିଲା ସେତେବେଳେ ନେତୃତ୍ବ କୁଆଡ଼େ ଯାଇଥିଲା’ ବୋଲି ଏସ୍‌ପି ପ୍ରଶ୍ନ କରିବା ସହ ଶୋଭାଯାତ୍ରା ପାଇଁ ଅନୁମତି ଦିଆ ଯିବନାହିଁ ବୋଲି କହିଥିଲେ। କେବଳ ମହରମ୍‌ ନୁହେଁ, ଆସନ୍ତା ବର୍ଷ ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ମଧ୍ୟ ଅନୁମତି ଦେବୁ ନାହିଁ ବୋଲି ଏସ୍‌ପି କହିଥିଲେ। ବର୍ଷେ ଯାଏ ସହଯୋଗ କରନ୍ତୁ, ୨୦୨୪ ମସିହା ଜୁନ ପରେ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯିବ। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଏବେ ଯାଏ ସହରରେ ଶାନ୍ତି ସମ୍ପୂର୍ଣ୍ଣ ଭାବେ ଫେରି ନଥିବା ଏସ୍‌ପି କହିଛନ୍ତି। ହିଂସାରେ ସମ୍ପୃକ୍ତ ଥାଇ ଜେଲ୍‌ ଯାଇଥିବା ବ୍ୟକ୍ତିମାନେ ବାହାରିବା ପରେ, ସେମାନଙ୍କ ସହ ମଧ୍ୟ ପ୍ରଶାସନ ଆଲୋଚନା କରିବ। ବର୍ଷେ ଯାଏ ଆମେ ଅନୁଧ୍ୟାନ କରିବୁ। ତାପରେ ଅନୁମତି ଦେବୁ ବୋଲି ଏସ୍‌ପି କହିଥିଲେ। ହନୁମାନ ଜୟନ୍ତୀ ହିଂସା ଘଟଣାରେ ବହୁତ ଲୋକ ଚିହ୍ନଟ ହୋଇଛନ୍ତି, ଆମେ ସମସ୍ତଙ୍କ ଉପରେ ନଜର ରଖିଛୁ।

ତେବେ ସମୂହ ଶୋଭାଯାତ୍ରାକୁ ଅନୁମତି ଦିଆଯିବ ନାହିଁ, ନିଜ ନିଜ ଥାନା ଅଞ୍ଚଳରେ ଶୋଭାଯାତ୍ରା ବାହାରି ପାରିବେ ବୋଲି ଏସ୍‌ପି କହିଥିଲେ। ଏହି ନିଷ୍ପତ୍ତି ପରେ କିଛି ଲୋକ ଆଦୌ ଶୋଭାଯାତ୍ରା କରିବୁ ନାହିଁ ବୋଲି କହି ଟେବୁଲ ବାଡ଼େଇଥିଲେ ଏବଂ ଛିଡ଼ା ହୋଇଯାଇଥିଲେ। କେତେକ ବ୍ୟକ୍ତି କକ୍ଷରୁ ମଧ୍ୟ ବାହାରି ଯାଇଥିଲେ। ମୋ ପାଇଁ ‘ସମ୍ବଲପୁର ସବୁ ଧର୍ମ ଠାରୁ ବଡ଼’ ବୋଲି ଏସ୍‌ପି କହିବା ସହ ଶାନ୍ତି ଓ ଭାଇଚାରା ରକ୍ଷା ପାଇଁ ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରିଥିଲେ। ବୈଠକରେ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) କମିସନର ବେଦ ଭୂଷଣ, ପ୍ରୋବେସନାରି ଆଇଏଏସ୍‌ ସ୍ନେହା ଅରୁଗୁଲା, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ ମିଶ୍ର, ସଦର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ସଦର ଏସ୍‌ଡିପିଓ ପ୍ରଦୀପ ସାହୁ, ଡିଆଇବି ଡିଏସ୍‌ପି ଜେମସ ସାମଦଙ୍କ ସମେତ ମହରମ କମିଟି ସଦସ୍ୟ, ଥାନାଧିକାରୀ, ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।