ଲକ୍‌ଡାଉନ୍‌ ସୁଯୋଗରେ ଆଦିବାସୀଙ୍କୁ ଶୋଷଣ : ଚାଉଳ କେଜିଏକୁ ମହୁଲ କେଜିଏ

ହେମଗିର : ସରକାରୀ ମୂଲ୍ୟରେ କିଣିବାଲାଗି ପଞ୍ଜିକରଣ କରିଥିବା ବ୍ୟବସାୟୀଙ୍କ ମଧ୍ୟ ଲକ୍‌ଡାଉନ୍‌ରେ ଦେଖାନାହିଁ। ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଶୋଷଣ କରିବାରେ ଲାଗିଛନ୍ତି। ସେମାନେ ବର୍ତ୍ତମାନ ଆଦିବାସୀଙ୍କର ଅସହାୟ ପରିସ୍ଥିତିର ଫାଇଦା ଉଠାଇ କେଜିଏ ଚାଉଳ ବଦଳରେ କେଜିଏ ମହୁଲ ଫୁଲ ଠକି ନେଉଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ତଥା ଅନ୍ୟ ପାରମ୍ପରିକ ବନବାସୀଙ୍କ ପାଇଁ ଗ୍ରୀଷ୍ମ ସମୟରେ ମହୁଲ ଫୁଲ ରୋଜଗାରର ପ୍ରମୁଖ ମାଧ୍ୟମ ହୋଇ ଆସିଛି। କିନ୍ତୁ ଚଳିତବର୍ଷ ପ୍ରବଳ ଖରାରେ ବର୍ତ୍ତମାନ ମହୁଲ ଫୁଲ ସଂଗ୍ରହ ଚାଲିଥିବାବେଳେ ଲକ୍‌ଡାଉନ୍‌ ଯୋଗୁ ତାକୁ ବିକ୍ରି କରି କିପରି ଉଚିତ ମୂଲ୍ୟ ପାଇବେ ଚିନ୍ତାରେ ଅଛନ୍ତି ଲୋକେ। ଲକ୍‌ଡାଉନ୍‌ ସମୟରେ ଅନ୍ୟ କାମଧନ୍ଦା ନଥିବାରୁ ଅଧିକାଂଶ ଆଦିବାସୀ ପରିବାରର ସବୁ ସଦସ୍ୟ ମହୁଲ ଫୁଲ ସଂଗ୍ରହରେ ଲାଗି ପଡ଼ିଛନ୍ତି। ଲକ୍‌ଡାଉନ୍ କଟକଣା ଭାଙ୍ଗି ପୁଲିସର କୋପଦୃଷ୍ଟିରେ ପଡ଼ିବା ଭୟରେ ସେମାନେ ମୁଖ୍ୟ ରାସ୍ତାରେ ନଯାଇ ବଣ ବିଲ ଭିତରେ ଯାଇ ମହୁଲ ସଂଗ୍ରହ କରୁଛନ୍ତି। ରୋଜଗାର ହରାଇଥିବା ଗରିବ ଦିନ ମଜୁରିଆ ଲୋକେ ପରିବାର ଚଳାଇବାକୁ ନାକେଦମ୍ ହୋଇଥିବାବେଳେ ପରିବାରର ଭୋକ ମେଣ୍ଟେଇବାକୁ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବାକୁ ଲୋକେ ମହୁଲ ଫୁଲ ଶୁଖିଲା ପରେ ତୁରନ୍ତ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହାର ସୁଯୋଗ ନେଇ ଅନେକ ଅସାଧୁ ବ୍ୟବସାୟୀ ଗାଁଗୁଡିକରେ ସକ୍ରିୟ ହେଲେଣି। ଲୋକଙ୍କ ଅଭାବର ସୁଯୋଗ ନେପଇ ସେମାନେ ଅତି କମ୍ ଦରରେ ଆଦିବାସୀଙ୍କଠାରୁ ମହୁଲ କିଣି ନେଉଛନ୍ତି।

IndiaMART

ଅନୁସୂଚିତ ଅଞ୍ଚଳରେ ଲଘୁବନଜାତ ଦ୍ରବ୍ୟର ସଂଗ୍ରହ ଓ ବ୍ୟବସାୟକୁ ନିୟନ୍ତ୍ରଣ କରିବା କ୍ଷମତା ପଞ୍ଚାୟତର ରହିଥିବାବେଳେ ଏହି ନୀତି ଓ ବ୍ୟବସ୍ଥା ସାରା ରାଜ୍ୟରେ କିପରି ଲାଗୁ ହେବ ଏବଂ ଗ୍ରାମ ପଞ୍ଚାୟତ ମାନେ କିପରି ଭାବେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବ୍ୟବସାୟକୁ ନିୟନ୍ତ୍ରଣ କରିବେ, ସେ ନେଇ ରାଜ୍ୟ ସରକାର ଲଘୁ ବନଜାତ ଦ୍ରବ୍ୟ ପରିଚାଳନା ନିୟମାବଳୀ ୨୦୦୨ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ, ପଞ୍ଚାୟତ ସମିତି ଦ୍ବାରା ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯିବ ଓ ତାହା ସମସ୍ତ ପଞ୍ଚାୟତ ଅଞ୍ଚଳରେ ଲାଗୁ କରାଯିବ। ଆବଶ୍ୟକତା ଅନୁଯାୟୀ ରାଜିନାମା କରି ମୂଲ୍ୟ ପରିବର୍ତ୍ତନର କ୍ଷମତା ମଧ୍ୟ ପଞ୍ଚାୟତର ରହିଛି। ବୈଠକକୁ ବନଖଣ୍ଡ ଅଧିକାରୀ, ଆଦିବାସୀ ଉନ୍ନୟନ ସମବାୟ ନିଗମ( ଟିଡିସିସି), ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫଡ଼ିସି) ଏବଂ ଭାରତୀୟ ଆଦିବାସୀ ସମବାୟ ବିପଣନ ଉନ୍ନୟନ ମହାସଂଘ ( ଟ୍ରାଇଫେଡ୍)ର ପ୍ରତିନିଧିମାନଙ୍କୁ ଡକା ଯିବାର ନିୟମ ରହିଛି।

ଚଳିତବର୍ଷ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ପଞ୍ଚାୟତ ସମିତିର ୧୧.୧୦.୧୯ ତାରିଖ ଅଧିବେଶନ ଅନୁସାରେ, ମହୁଲ ଫୁଲର ସର୍ବନିମ୍ନ ସହାୟକ ମୂଲ୍ୟ ୪୦ ଟଙ୍କା ରଖାଯାଇଛି। ହେଲେ କିଏ କିଣିବ ଏନେଇ ସାଧାରଣ ଲୋକେ ଏବେ ମଧ୍ୟ ଅନ୍ଧାରରେ ଅଛନ୍ତି। ସରକାରୀ ମୂଲ୍ୟରେ କିଣିବାଲାଗି ପଞ୍ଜିକରଣ କରିଥିବା ବ୍ୟବସାୟୀଙ୍କ ମଧ୍ୟ ଲକ୍‌ଡାଉନ୍‌ରେ ଦେଖାନାହିଁ। ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଲୋକଙ୍କୁ ଶୋଷଣ କରିବାରେ ଲାଗିଛନ୍ତି। ସେମାନେ ବର୍ତ୍ତମାନ ଆଦିବାସୀଙ୍କର ଅସହାୟ ପରିସ୍ଥିତିର ଫାଇଦା ଉଠାଇ କେଜିଏ ଚାଉଳ ବଦଳରେ କେଜିଏ ମହୁଲ ଫୁଲ ଠକି ନେଉଛନ୍ତି। ହେମଗିର ବ୍ଲକ୍‌ର ସୁମୁରା, ଝାରପଲମ, ମୁଣ୍ଡେରକ୍ଷେତ ଓ ଗୋପାଳପୁର ଗ୍ରାମପଞ୍ଚାୟତରେ ଥିବା ଆଦିବାସୀ ଗାଁରେ ପିଡିଏସ୍ ଚାଉଳରୁ ବଞ୍ଚିତ ଆଦିବାସୀ ପରିବାରଗୁଡ଼ିକୁ ଏହି ଶୋଷଣକାରୀମାନେ ଟାର୍ଗେଟ କରି ଚାଉଳ ବଦଳ ମହୁଲ ଫୁଲ ସଂଗ୍ରହରେ ଲାଗିଛନ୍ତି। ଗରିବ ଆଦିବାସୀମାନେ ମଧ୍ୟ ପରିସ୍ଥିତିରେ ପଡ଼ି ପିଲାଛୁଆଙ୍କ ଆହାର ପାଇଁ ଚାଉଳର ନିତାନ୍ତ ଆବଶ୍ୟକତା ଥିବାରୁ ସେଥିରେ ରାଜି ହେବାକୁ ବାଧ୍ୟ ହେଉଥିବା ଦେଖାଯାଉଛି।

ସମ୍ବନ୍ଧିତ ଖବର