ଦିଗପହଣ୍ଡି/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁଡ଼ା ଗ୍ରାମରେ ହୋଇଥିବା ଡବଲ୍‌ ମର୍ଡ଼ର୍‌ ଘଟଣାରେ ୩ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବ୍ରହ୍ମପୁର ଏସ୍‌.ପି ଡା. ଶରବଣା ବିବେକ ଏମ୍‌. ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ମହୁଡ଼ା ଗ୍ରାମର ପୂର୍ବତନ ସରପଞ୍ଚ ସଂଜୟ ସାହୁ, ଅପୂର୍ବ ବସ୍ତିଆ, ପବିତ୍ର ନାହାକ ଓରଫ୍ ବୁଢ଼ା। ଅଭିଯୁକ୍ତଙ୍କ ନିକଟରୁ ଏକ ଠେଙ୍ଗା, ରକ୍ତ ଲାଗିଥିବା ପଥର ଓ ୩ଟି ମୋବାଇଲ୍‌ ଜବତ କରାଯାଇଛି।

Advertisment

ଲାଠି ଗ୍ରାମର କିଛି ଅସାମାଜିକ ଯୁବକ ମହୁଡ଼ା ଗ୍ରାମରେ ଆତଙ୍କରାଜ ସୃଷ୍ଟି କରୁଥିଲେ। ବିଭିନ୍ନ ସମୟରେ ମହିଳାମାନଙ୍କୁ ଅସଦାଚରଣ କରିବା ସହିତ ଦୋକାନୀଙ୍କୁ ଦାଦାବଟି ମାଗୁଥିଲେ। ଏହି ମାମଲାରେ ଅପରାଧୀ ଗୋଷ୍ଠୀର ସେହି ଯୁବକମାନେ ଗିରଫ ମଧ୍ୟ ହୋଇଥିଲେ। ଜାମିନ୍‌ ଆସି ପୁଣିଥରେ ସେମାନେ ମହୁଡ଼ାରେ ଆତଙ୍କରାଜ ଚଳାଇଥିଲେ। ଗତ ୨୮ତାରିଖରେ ଅପରାଧୀ ଗୋଷ୍ଠୀର ଯୁବକ ତଥା ଲାଠିର ଶିବରାମ ଗୌଡ଼ ତାର ସାଙ୍ଗ ବିଘ୍ନରାଜ ପୁରୋହିତ ଓରଫ୍‌ ଲିଟୁ ସହିତ ମହୁଡ଼ା ଗାଁକୁ ଏକ ଭୋଜିରେ ଯୋଗ ଦେବାକୁ ଏକ ବାଇକ୍‌ (ଓଡି-୦୭ଏନ୍‌-୫୩୩୦)ରେ ଯାଇଥିଲେ। ଗାଁ ମଝିରେ କୌଣସି କାରଣକୁ ନେଇ ଗ୍ରାମବାସୀଙ୍କ ସହିତ ଉଭୟେ ପାଟିତୁଣ୍ଡ କରିଥିଲେ। ଉଭୟ ଦୌରାତ୍ମ୍ୟରେ ଅତିଷ୍ଠ ଗ୍ରାମବାସୀ ସେମାନଙ୍କୁ ସାବାଡ଼ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପାଟିତୁଣ୍ଡ ସ୍ଥଳରେ ଉପସ୍ଥିତ ଥିବା ସଂଜୟ, ପବିତ୍ର, ବୁଢ଼ା ଓ ଅନ୍ୟମାନେ ଠେଙ୍ଗା, କାତି ଓ ବିଅର ବୋତଲରେ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଗ୍ରାମବାସୀ ଉଭୟଙ୍କ ମୃତଦେହ ଜରି ବସ୍ତାରେ ଭର୍ତ୍ତି କରି ଘୋଷାଡ଼ି ଘୋଷାଡ଼ି ନେଇ ଗାଁର ଏକ ପରିତ୍ୟକ୍ତ ପୋଖରୀ କଡ଼ରେ ପେଟ୍ରୋଲ ଢାଳି ପୋଡ଼ି ଦେବାକୁ ଉଦ୍ୟମ କରିଥିଲେ। ଫେରାର୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ପୁଲିସ କହିଛି।